ବଢିଲା ଦାରୁ ଚୟନ ଅଡ଼ୁଆ: ମହାରଣାଙ୍କ ପରେ ମୁହଁ ଖୋଲିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ

ପୁରୀ : ୨୦୧୫ ନବକ‌ଳେବର ସମୟ‌ରେ ଦାରୁ ଚୟନ ଅନିୟମିତତା ନେଇ ସୁଭଦ୍ରାଙ୍କ ଦେବଦଳନ ରଥର ବିଶ୍ବକର୍ମା ତଥା ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମୁହଁ ଖୋଲିବା ପରେ ଏବେ ବ୍ରହ୍ମ ବିଭ୍ରାଟ ଘଟଣାରେ ନୋଟିସ୍‌ ପାଇଥିବା ଅନ୍ୟତମ ଅଭିଯୁକ୍ତ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ମୁହଁ ଖୋଲିଛନ୍ତି। ସତ କହିବାରୁ ତାଙ୍କୁ ଦୋଷୀ କରାଯାଇଛି ବୋଲି ପ୍ରେମାନନ୍ଦ କହିଛନ୍ତି। ବ୍ରହ୍ମ ଦର୍ଶନ ପାଇଁ ୪ ଜଣଙ୍କୁ ପୂରାଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ହୋଇଥିବା ବେଳେ ସେ ଏହାର ଉତ୍ତର ରଖିବେ ବୋଲି କହିଛନ୍ତି। ତେବେ ନୋଟିସ ପାଇବା ପରେ ଚିହିଁକି ଉଠିଛନ୍ତି ଶ୍ରୀ ଦାସ ମହାପାତ୍ର। ଦାରୁ ଚୟନରେ ଅନିୟମିତତା ହୋଇଥିବା ସେ ସିଧାସିଧା କହିଛନ୍ତି। ତିନି ଦାରୁ ଜଗତସିଂହପୁରରୁ କିଭଳି ମିଳିଲା, ବନଯାଗ ଯାତ୍ରୀମାନେ ଶଗଡରେ ଯିବା ବଦଳରେ କାରରେ କାହିଁକି ଯାଉଥିଲେ, ରାତିରେ ଦାରୁ ଚୟନ କାହିଁକି କରାଯାଉଥିଲା ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି। ଏସବୁର ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରେମାନନ୍ଦଙ୍କ ବୟାନକୁ ନେଇ ଅନେକ ସନ୍ଦେହ ପ୍ରକଟ କରିଛନ୍ତି। ପ୍ରେମାନନ୍ଦ ଜଣେ ଆଗଧାଡିର ଦଇତା ସେବକ। ସେ ନିଜେ ମଧ୍ୟ ନବକଳେବର ଦଇତା ନିଯୋଗର ସଂପାଦକ ଥିଲେ। ଯେତେବେଳେ ଦାରୁ ଚୟନରେ ବିଭ୍ରାଟ ଦେଖା ଦେଇଥିଲା, ନିଯୋଗର ସଂପାଦକ ହିସାବରେ ସେ ତୁରନ୍ତ ବୈଠକ ଡାକିଲେ ନାହିଁ କାହିଁକି? ନିଯୋଗ ସଂପାଦକ ହିସାବରେ ମୁଖ୍ୟ ପ୍ରଶାସକଙ୍କୁ ଲିଖିତ ଭାବେ ଜଣାଇ ବି ପାରିଥାନ୍ତେ? କିନ୍ତୁ ଯାହା କରିବା କଥା ସେ କଲେ ନାହିଁ। ଏବେ ବ୍ରହ୍ମ ବିଭ୍ରାଟରେ ଅଭିଯୁକ୍ତ ଭାବେ ନୋଟିସ କରାଯିବା‌ ପରେ ମୁହଁ ଖୋଲିବା ଗ୍ରହଣୀୟ ନୁହେଁ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର