ଓଡ଼ିଶାବାସୀ ଦେଖିଲେ ଚନ୍ଦ୍ରଗ୍ରହଣ : ମେଘାଚ୍ଛନ୍ନ ଆକାଶ ଯୋଗୁଁ ଭୁବନେଶ୍ବରରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ହୋଇଥିବା ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ଦେଖିଛନ୍ତି। ରାଜ୍ୟର ବିିଭିନ୍ନ ସ୍ଥାନରୁ ଲୋକେ ଚନ୍ଦ୍ରଗ୍ରହଣ ଦେଖିଥିବା ଖବର ମିଳିଛି । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇଥିଲେ ହେଁ ଭୁବନେଶ୍ବରବାସୀ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିଛନ୍ତି। ଆକାଶ ମେଘାଚ୍ଛନ୍ନ ଥିବାରୁ ଭୁବନେଶ୍ବରରେ ଆଂଶିକ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ।  ସ୍ଥାନୀୟ ପଠାଣୀସାମନ୍ତ ପ୍ଲାନେଟାରିୟମ୍‌ରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପାଗ ଖରାପ ଯୋଗୁଁ ଭୁବନେଶ୍ବରରେ ବିଳମ୍ବରେ ଚନ୍ଦ୍ରଗ୍ରହଣର ଦୃଶ୍ୟ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୬ଟା ୧୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା। ଏହା ୫ଟା ୫ରୁ ୫ଟା ୧୧ ମିନିଟ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିଲା। ପାଗ ଖରାପ କାରଣରୁ ରାଜଧାନୀବାସୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାରୁ ବଞ୍ଚିତ ଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ କାରଣରୁ ସୂର୍ଯ୍ୟୋଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶ କହିଥିଲେ, ମଙ୍ଗଳବାର ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ୍‌ରେ ଗ୍ରହଣ ସର୍ବମୋକ୍ଷ ହେବ। ଏହିଦିନ ସୂର୍ଯ୍ୟୋଦୟଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡ୍‌ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରିଥିଲେ। ଗ୍ରହଣ ସର୍ବମୋକ୍ଷ ହେବା ପରେ ଅର୍ଥାତ୍‌ ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ ପରେ ଲୋକେ ସ୍ନାନ ସାରି ଦେବନୀତି, ଖାଦ୍ୟ ସେବନ ଆଦି କରିପାରିବେ ବୋଲି ଡ. ଦାଶ କହିଥିଲେ।

ସମ୍ବନ୍ଧିତ ଖବର