ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ, ପ୍ରଥମ ଦିନରେ ୨୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଘଟଗାଁ : ଶୁକ୍ରବାରଠାରୁ ମା’ ତାରିଣୀଙ୍କ ୮୫ତମ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ ହୋଇଛି। ଏହା ସ‌ପ୍ତା‌ହେ ଧରି ଚାଲିବ। ମା’ ତାରିଣୀ ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶକୁ ଦେଖିବାପାଇଁ ପୀଠରେ ୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁମାନେ କୋଭିଡ କଟକଣା ମଧ୍ୟରେ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିଥିଲେ। ଚଇତି ପର୍ବ ପାଇଁ ମା’ଙ୍କ ପୀଠକୁ ରଙ୍ଗିନ ଆଲୁଅରେ ସଜ୍ଜିତ କରାଯାଇଛି। ୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବ ଏବଂ ହରିଚନ୍ଦନ-ଘଟଗାଁ ରାସ୍ତାରେ ବିରାଟ ତୋରଣ ନିର୍ମାଣ କରାଯାଇଛି।

ଶୁକ୍ରବାର ସକାଳୁ ମା’ଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା। ମା’ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଇଥିଲା। ପରେ ମାଜଣା ଓ ବଡ଼ସିଂହାର ପୂଜା କରାଯାଇଥିଲା। ଚଇତି ଯାତ୍ରା ପାଇଁ ମା’ଙ୍କ ନିକଟରେ ‌ସ୍ବତନ୍ତ୍ର ଭୋଗ ଲାଗି କରାଯାଇଥିଲା। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ନଟବର ଦେହୁରୀ, ନେପାଳୀ ଦେହୁରୀ ପୂଜାର୍ଚ୍ଚନା କରିଥିଲେ। କରୋନା କଟକଣା ମଧ୍ୟରେ ମା’ଙ୍କ ଚଇତି ପର୍ବ ଅବସରରେ ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାରାୟଣ, ସତ୍ୟନାରାୟଣ ପୂଜା କରାଯାଇଛି। ଏଥିରେ ସୀମିତ ସଂଖ୍ୟକ କାର୍ଯ୍ୟକର୍ତ୍ତା, ପୁରୋହିତ ଓ ସେବାୟତଙ୍କୁ ସାମିଲ କରାଯାଇଛି।

ମା’ ତାରିଣୀଙ୍କ ପାଲାମଣ୍ଡପରେ ସତ୍ୟନାରାୟଣ ପୂୂଜା ଓ ପାଲା କରାଯାଇଥିଲା। ଶରତ ଚନ୍ଦ୍ର ପଣ୍ଡା ଓ କେଶବ ଚନ୍ଦ୍ର ଆଚାର୍ଯ୍ୟ ପୂଜାର୍ଚ୍ଚନା କରିଥିଲେ। ଟ୍ରଷ୍ଟବୋର୍ଡ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ ସଂକଳ୍ପରେ ବସିଥିଲେ। ସନ୍ତୋଷ କୁମାର ପଣ୍ଡା ଚଣ୍ଡୀପାଠ କରିଥିଲେ। ଟ୍ରଷ୍ଟବୋର୍ଡ ସଦସ୍ୟ କ୍ଷୀରୋଦ ପ୍ରସା‌ଦ ଦାସ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ଭାଗବତ ପାରାୟଣରେ ପୂଜକ ସନ୍ତୋଷ କୁମାର ଆଚାର୍ଯ୍ୟ ପୂଜାର୍ଚ୍ଚନା କରିଥିଲେ। ଦୟାନିଧି ମହାନ୍ତ ସଂକଳ୍ପ ପୂଜା କରିଥିଲେ। ସକାଳ ୭ଟାବେଳେ ପହଡ଼ ଖୋଲିବା ମାତ୍ରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପ୍ରଥମ ଦିନରେ ୨୦ ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଛନ୍ତି। ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ତତ୍ତ୍ବାବଧାନରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବାହିନୀ ମୁତୟନ ହୋଇଥିଲେ। ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ଟ୍ରଷ୍ଟବୋର୍ଡ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ନିିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ ଓ ଆନନ୍ଦ ଚନ୍ଦ୍ର ସିଂହ ପ୍ରମୁୁଖ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର