ମଦନ ମହାନ୍ତିଙ୍କ ପରଲୋକ, ୧୬ ବର୍ଷରେ ହୋଇଥିଲେ ଓଡ଼ିଶା ଦଳର ଅଧିନାୟକ

ଭୁବନେଶ୍ବର / କଟକ : ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ମଦନ ମୋହନ ମହାନ୍ତିଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। କିଛି ମାସ ହେଲା ‌ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ ଜାନୁଆରି ମାସରେ କରୋନାରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନରେ ହୃଦ୍‌ଘାତରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପଳାସପଲ୍ଲୀସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ୟଶ୍‌ମାଧବ ମୁଖାଗ୍ନି ଦେଇଥିଲେ।

୧୯୪୫ ମସିହା ମାର୍ଚ୍ଚ ୬ରେ ଜନ୍ମିତ ଶ୍ରୀ ମହାନ୍ତି ଜଣେ ପ୍ରଶାସନିକ ଅଧିକାରୀ ହେବା ସଙ୍ଗେସଙ୍ଗେ ଜଣେ ଦକ୍ଷ କ୍ରୀଡ଼ାବିତ ମଧ୍ୟ ଥି‌ଲେ। ଉଭୟ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ରେ ତାଙ୍କର ରୁଚି ରହିଥିଲା। କଟକର ଜୁଭେନାଇଲ୍‌ କ୍ଲବ୍‌କୁ ସେ ପ୍ରତିନିଧିତ୍ବ କରି ଓଡ଼ିଶା ପାଇଁ କ୍ରିକେଟ୍‌ ଖେଳିଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲା ବେଳେ ୧୬ ବର୍ଷ ବୟସରେ ସେ ଓଡ଼ିଶା ଦଳର ଅଧିନାୟକ ହୋଇପାରିଥିଲେ। ସେ ଓଡ଼ିଶା ପକ୍ଷରୁ ମୋଟ ୨୫ଟି ରଣଜୀ ମ୍ୟାଚ ଖେଳିଥିବା ବେଳେ ୯ଟି ମ୍ୟାଚରେ ଅଧିନାୟକ ରହିଥିଲେ। ଶ୍ରୀ ମହାନ୍ତି ତାଙ୍କ କ୍ୟା‌ରିୟରରେ ଆସାମ ବିରୋଧରେ ଗୋଟିଏ ଶତକ କରିଥିବା ବେଳେ ୬ଟି ଅର୍ଦ୍ଧଶତକ ହାସଲ କରିଥିଲେ। ବିଦ୍ୟାଳୟ ସ୍ତରରେ ସେ ପୂର୍ବାଞ୍ଚଳକୁ ପ୍ରତିନିଧିତ୍ବ କରିବାର ସୌଭାଗ୍ୟ ପାଇଥିଲେ। ଜୁଭେନାଇଲ୍‌ କ୍ଲବ୍‌ ପକ୍ଷରୁ ଅଧିନାୟକ ଭାବେ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ଶ୍ରୀ ମହାନ୍ତି ଏହି କ୍ଲବ୍‌ର ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗରେ ଜୁଭେନାଇଲ୍‌ କ୍ଲବ୍‌ ଓ ଓଡ଼ିଶା କ୍ରିକେଟ୍‌ ସଂଘ ପକ୍ଷରୁ ଶୋକପ୍ରକାଶ କରାଯାଇଛି। ଫୁଟ୍‌ବଲ ଖେଳରେ ମଧ୍ୟ ଶ୍ରୀ ମହାନ୍ତି ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ସ୍ବର୍ଗତ ମହାନ୍ତିଙ୍କ ପୁଅ ୟଶ୍‌ପାଲ୍‌ ମହାନ୍ତି ଓଡ଼ିଶା ପାଇଁ ରଣଜୀ ଟ୍ରଫି ଖେଳିଥିଲେ। ତେବେ ଏକ କାର୍‌ ଦୁର୍ଘଟଣାର ଶିକାର ହୋଇ ବହୁ ଦିନ କୋମାରେ ରହିବା ପରେ ତାଙ୍କର ମୃତ୍ୟୁ ‌ହୋଇଥିଲା।

ଶ୍ରୀ ମହାନ୍ତି ତାଙ୍କ ପ୍ରଶାସନିକ ସେବା କ୍ୟାରିୟର୍‌ରେ ବିଭିନ୍ନ ଜିଲ୍ଲାର ଜିଲ୍ଲା‌ପାଳ ପଦ ସମ୍ଭାଳିବା ସହିତ ରାଜ୍ୟ ପ୍ରଶାସନରେ ବିଭିନ୍ନ ପଦବିରେ ସଫଳତାର ସହ ଦାୟିତ୍ବ ତୁଲାଇଥିଲେ। ୨୦୦୧-୦୨ ମସିହାରେ ସେ କ୍ରୀଡ଼ା ବିଭାଗର ସଚିବ ଥିଲା ବେଳେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆରମ୍ଭ କରାଯାଇଥିଲା। ଅବସର ପରେ ସେ ଭୁବନେଶ୍ବରର ପଳାସପଲ୍ଲୀସ୍ଥିତ ନିଜ ବାସଭବନରେ ପରିବାର ସହ ରହୁଥିଲେ।

ସମ୍ବନ୍ଧିତ ଖବର