ମଧୁସୂଦନ ଆଇନ ମହାବିଦ୍ୟାଳୟ ହେଲା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଶେଷରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ୧୯୪୩ ମସିହାରେ କଟକରେ ପ୍ରତିଷ୍ଠା ହୋଇଥିବା ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଅନେକ ଆଇନ ବିଷାରଦଙ୍କୁ ଗଢ଼ିଥିବା ରାଜ୍ୟର ଏହି ପ୍ରମୁଖ ଆଇନ ମହାବିଦ୍ୟାଳୟକୁ ଉପେକ୍ଷିତ କରାଯାଉଥିବା ଏବଂ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର ଶୁଣୁ ନ ଥିବା ନେଇ ମାର୍ଚ୍ଚ ୩ ତାରିଖରେ ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ଖବର ପ୍ରକାଶ ପାଇଥିଲା। ସମ୍ବାଦ ପ୍ରକାଶ ପାଇବାର ୩୬ ଘଣ୍ଟା ନ ପୂରୁଣୁ ଚେଇଁ ଉଠିଛି ଉଚ୍ଚଶିକ୍ଷା ବିଭାଗ। ମଧୁସୂଦନ ଲ’ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଗଲା ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ସେକ୍ସନ ୩୨ର ସବ୍‌-ସେକ୍ସନ(୩)ର ସବ୍‌-ସେକ୍ସନ(୧), (୨) ଓ କ୍ଲଜ୍‌(ଜି) ଅନୁଯାୟୀ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଗଲା। ଆସନ୍ତା ୨୦୨୦ ଜୁନ୍‌ ମାସ ୧ ତାରିଖଠାରୁ ଏହା ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଭାବେ ପରିଣତ ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଆଇନ ମହାବିଦ୍ୟାଳୟ ଏହି ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ରାଜ୍ୟର ସମସ୍ତ ଅନୁବନ୍ଧିତ ଆଇନ ମହାବିଦ୍ୟାଳୟଗୁଡ଼ିକ ପ୍ରସ୍ତାବିତ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଅନୁବନ୍ଧିତ ହେବେ। କିନ୍ତୁ ବିଶ୍ବବିଦ୍ୟାଳୟଗୁଡ଼ିକର ନିଜସ୍ବ ଆଇନ ମହାବିଦ୍ୟାଳୟ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଅଧୀନରେ ପୂର୍ବଭଳି କାମ କରିବେ। ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନାମଲେଖା, ପରୀକ୍ଷା ପରିଚାଳନା, ମୂଲ୍ୟାୟନ ପ୍ରଦାନ ପରି ବିଭିନ୍ନ ବିଷୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ କାମ କରିବ।

ସୂଚନାଯୋଗ୍ୟ ଯେ ୧୯୪୩ ମସିହାଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର ନିଜସ୍ବ ମହାବିଦ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲା।

ସମ୍ବନ୍ଧିତ ଖବର