ମହାନଦୀକୁ ପୁଣି ଭୁଲିଗଲେ!

ଟ୍ରିବ୍ୟୁନାଲରେ ବିଚାର ଚାଲିଛି, ଆଶ୍ୱସ୍ତି ମିଳିନି

ଛତିଶଗଡ ନିର୍ମାଣ ଉପରେ ମଧ୍ୟ ରୋକ୍ ଲାଗିନି
ତାରପୁରରେ ହେବ ପ୍ରଥମ ପ୍ରକଳ୍ପ, କେଁ ଉଠିଲାଣି
ଚିଲିକା, ଭିତରକନିକା, ଅଂଶୁପା ପ୍ରତି ବି ବିପଦ

ଭୁବନେଶ୍ୱର : ତିନି ବର୍ଷ ହେଲାଣି ରାଜ୍ୟ ସରକାର ଉଚ୍ଚତମ ନ୍ୟାୟାଳୟ‌ର ଦ୍ବାରସ୍ଥ ହୋଇଛନ୍ତି। ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ଜୀବନଧାରା ବୋଲି କୁହାଯାଉଥିବା ମହାନଦୀ ପାଇଁ ନ୍ୟାୟ ଆଣିବେ। ଛତିଶଗଡ଼ ଅବିଚାରିତ ଭାବେ ମହାନଦୀର ଉପରମୁଣ୍ଡରେ ଯେଉଁ ପ୍ରକଳ୍ପ ନିର୍ମାଣ କରି ଅଣମୌସୁମୀ ସମୟରେ ମହାନଦୀକୁ ଶୁଷ୍କ କରିଦେଉଛି, ତାହା ଉପରେ ସ୍ଥଗିତାଦେଶ ଆଣିବେ।

ଦୁଇ ବର୍ଷ ହେଲା ଅର୍ଥାତ୍ ୨୦୧୮ ଜୁନ ୩ ତାରିଖରୁ ମହାନଦୀ ଟ୍ରିବ୍ୟୁନାଲ ଗଠନ ନିର୍ଦେଶ ଆସିଲାଣି। ଏଯାଏ ନା ଟ୍ରିବ୍ୟୁନାଲ ଓଡ଼ିଶାକୁ କିଛି ଆଶ୍ବସ୍ତି ଦେଇଛନ୍ତି ନା ମହାନଦୀ ଉପରମୁଣ୍ଡରେ ଛତିଶଗଡରେ ଯେଉଁ ସବୁ ପ୍ରକଳ୍ପର ନିର୍ମାଣ ଜାରି ରଖିଛନ୍ତି, ତା ଉପରେ ରୋକ୍ ଲାଗିବା ପାଇଁ ସରକାରଙ୍କ ଆବେଦନ ଉପରେ କିଛି ନିଷ୍ପତ୍ତି ଆସିଲା।

Sambad English

ପରିଣାମ ସ୍ବରୂପ ମହାନଦୀ ପ୍ରତି ବିପଦ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ ଚିଲିକା, ଭିତରକନିକା, ଅଂଶୁପା ପ୍ରତି ମଧ୍ୟ ସଙ୍କଟ ବଢ଼ିଗଲାଣି। ଏମିତି ଯେ ଓଡ଼ିଶାର ଜୈବ ବିବିଧତା ନଷ୍ଟ ହେବାକୁ ଆଉ ବେଶି ସମୟ ଲାଗିବ ନାହିଁ ବୋଲି ପରିବେଶବିତ୍ ଆଶଙ୍କା ବ୍ୟକ୍ତ କଲେଣି।

ଏତେ ବଡ ଗୁରୁତର ପ୍ରସଙ୍ଗ ପ୍ରତି ରାଜ୍ୟ ସରକାର ଓ ବିଭିନ୍ନ ରାଜନୈତିକ ଦଳ ଯେଭଳି ତତ୍ପରତା ଦେଖାଇବା କଥା, ତାହା ଆଉ ପରିଦୃଷ୍ଟ ହେଉନାହିଁ। ୨୦୧୬-୧୭ରେ ମହାନଦୀକୁ ନେଇ ବିଭିନ୍ନସ୍ତରରେ ଯେଭଳି ଉଦ୍‌ବେଗ ଓ ଚିନ୍ତା ପ୍ରକାଶ ପାଉଥିଲା, ବର୍ତମାନ କେବଳ ଟ୍ରିବ୍ୟୁନାଲ ଗଠନ କରାଯାଇ ଶୁଣାଣି ଚାଲିଛି ସିନା ଆଉ କୌଣସି ଅଧିକ ଲାଭ ମିଳିନଥିଲେ ହେଁ ସମସ୍ତେ ନିରବି ଯାଇଛନ୍ତି।

ମହାନଦୀ ମାମଲାରେ ଓଡ଼ିଶା ସରକାରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ରହିଥିଲା। ୨୦୦୦ ମସିହାରେ ମହାନଦୀ ସ୍ଥିତି ବିପଜ୍ଜନକ ଥିବା ଜାଣି ବି ଏହାର ସୁରକ୍ଷା ପାଇଁ ସରକାର ଯେଭଳି ପଦକ୍ଷେପ ନେବା କଥା ତାହା ନେଇ ନଥିଲେ। ସେହିଭଳି ଏହି ପ୍ରସଙ୍ଗରେ ବିବାଦ ଜୋର ଧରିବା ପରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ତତ୍କାଳୀନ ଜଳସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଵାଲ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ଅତି ସହଜରେ ପ୍ରଶ୍ନ ଉଠାଇ ପାରିଥିଲେ। ସେମାନେ ସିଧା ପଚାରିଥିଲେ ଯେ ମୌସୁମୀ ସମୟରେ ଯେଉଁ ଜଳ ମହାନଦୀରେ ପ୍ରବାହିତ ହେଉଛି, ତାହାର ଶତପ୍ରତିଶତ ସରକାର ସମୁଦ୍ରରେ ଛାଡି ଦେଉଛନ୍ତି। ଅଣ ମୌସୁମୀ ଋତୁ ପାଇଁ ନଦୀ ଭିତରେ ଜଳଭଣ୍ଡାର କରି ସଂରକ୍ଷଣ କାହିଁକି କରାଯାଉ ନାହିଁ ବୋଲି ଛତିଶଗଡ ସେତେବେଳେ ପ୍ରଶ୍ନ ଉଠାଇଥିଲା।

TripAdvisor

ଚାରିଆଡୁ ସମାଲୋଚିତ ହେବା ପରେ ଏକଦା ସିଣ୍ଢୋଳ ପ୍ରକଳ୍ପକୁ ବିରୋଧ କାରଣରୁ ବନ୍ଦ କରିଦେଇଥିବା ଓଡ଼ିଶା ସରକାର ନଦୀ ଭିତରେ ଛୋଟ ଛୋଟ ବ୍ୟାରେଜ ବା ଜଳଭଣ୍ଡାର କରି ପାଣି ଅଟକାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାନଦୀ ସମେତ ବିଭିନ୍ନ ନଦୀ ଉପରେ ଏଭଳି ଅନେକ ପ୍ରସ୍ତାବ ଆସିଥିଲା। ସରକାର କିନ୍ତୁ ଏଥିରୁ ୭ଟି ପ୍ରକଳ୍ପ ମହାନଦୀରେ କରିବା ଲାଗି ଚିନ୍ତା କରିଛନ୍ତି। ପାଖାପାଖି ୧୨ଶହ କୋଟି ଟଙ୍କା ଖର୍ଚ୍ଚ ଲାଗି ପ୍ରାଥମିକ ପର୍ଯ୍ୟାୟରେ ବିଚାର କରିଛନ୍ତି। ହେଲେ ହୀରାକୁଦ ତଳେ ଅର୍ଥାତ୍ ତେଲ୍‌, ସୁବଳୟା, ଖଇରମାଳ, ନରାଜ ଆଦି ଉପରେ ଏହି ପ୍ରକଳ୍ପ କରିବା ପରିବର୍ତ୍ତେ ମହାନଦୀର ତଳମୁଣ୍ଡରେ ପ୍ରଥମ ପ୍ରକଳ୍ପ କରିବା ଲାଗି ଯୋଜନା ‌ହୋଇଛି। କଟକରୁ ୧୯ କିଲୋମିଟର ଦୂର ତାରପୁରଠାରେ ଏହି ପ୍ରକଳ୍ପ କରାଯିବାକୁ ସ୍ଥିର ହୋଇଛି। ଏହାକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି। ଶାସକଦଳର କେତେକ ନେତା ବି ଅସନ୍ତୁଷ୍ଟ ଥିବା ଜଣାପଡ଼ୁଛି। ମହାନଦୀର ସୁରକ୍ଷା ପାଇଁ ନୁହେଁ ବରଂ ଆଗକୁ ପାରାଦୀପ ଅଞ୍ଚଳରେ ଆସୁଥିବା ଏକ ବୃହତ୍ ଶିଳ୍ପସଂସ୍ଥାକୁ ପାଣି ଯୋଗାଇବା ପାଇଁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଏତେ ବଡ଼ ପ୍ରକଳ୍ପ କରୁଥିବା ଅଭିଯୋଗ ଉଠିଲାଣି। ଏହି ମହଲରେ ପ୍ରଶ୍ନ ଉଠିଛି, ତାରପୁରରେ ପ୍ରକଳ୍ପ କଲେ ଅଣ ମୌସୁମୀ ସମୟରେ କି ଲାଭ ମିଳିବ? ବିରୋଧୀ ଶିବିରରେ ମଧ୍ୟ ବଡ଼ ଚର୍ଚ୍ଚା ଲାଗି ଏହି ପ୍ରସଙ୍ଗଟି ଖୋରାକ ଯୋଗାଇଲାଣି।

ବିଶେଷଜ୍ଞମାନଙ୍କ ମତ ହେଉଛି, ଅଣମୌସୁମୀ ସମୟରେ ହୀରାକୁଦରୁ ପାଣି କେବଳ ଏକ ଆବଶ୍ୟକତା ନୁହେଁ ବରଂ ଭିତରକନିକା, ଚିଲିକା, ସାତକୋଶିଆ, ଅଂଶୁପା ଆଦି ପାଇଁ ଅପରିହାର୍ଯ୍ୟ। ବିଶେଷକରି ଚିଲିକା ପିରବେଶ ଓ ଜୈବ ବିବିଧତା ଦୃଷ୍ଟିରୁ ଦେଶର ଏକ ସମ୍ବେଦନଶୀଳ ଅଞ୍ଚଳ। ଏହି ହ୍ରଦର ପର୍ଯ୍ୟାବରଣକୁ ସନ୍ତୁଳିତ କରି ରଖିବାରେ ସବୁଠାରୁ ବେଶି ଭୂମିକା ମହାନଦୀର ରହିଛି। ଚିଲିକାକୁ ଯେଉଁ ମଧୁର ଜଳ ପ୍ରବେଶ ଫଳରେ ଲବଣାକ୍ତ-କ୍ଷାରୀୟ-ମଧୁର ଜଳ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇଥାଏ, ସେ ଜଳର ୬୦% ଅବଦାନ ହେଉଛି ମହାନଦୀର।

କଟକ-ଭୁବନେଶ୍ବର ସଂଲଗ୍ନ ଅଂଶୁପା ମଧ୍ୟ ମୃତ ପାଇଯିବାକୁ ବସିଲାଣି। ଭିତରକନିକା ସ୍ଥିତି ଆହୁରି ସଙ୍ଗିନ୍। ଏଭଳି ସମୟରେ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ଭୂମିକା ବେଶ୍ ଉଲ୍ଲେଖନୀୟ। ଯଦି ସରକାର ଏବେଠାରୁ ଏ ଦିଗରେ ଧ୍ୟାନ ନ ଦିଅନ୍ତି, ତେବେ ଆଗକୁ ସ୍ଥିତି ଅଧିକ ଭୟଙ୍କର ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଲେଣି।

ସମ୍ବନ୍ଧିତ ଖବର