ତ୍ରିବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଆଜି ଲକ୍ଷ୍ମୀନୃସିଂହ ବେଶ

ପୁରୀ : କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ଶ୍ରୀମନ୍ଦିରରେ ପାଞ୍ଚ ସ୍ବତନ୍ତ୍ର ବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ପ୍ରଥମଦିନରେ ଲକ୍ଷ୍ମୀ-ନାରାୟଣ ବେଶ ଓ ଦ୍ବିତୀୟ ‌ଦିନରେ ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରବିବାର ଦିନ ପବିତ୍ର କାର୍ତ୍ତିକ ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।

ଏହି ଉପଲକ୍ଷେ ରବିବାର ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରବିବାର ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବିପୁଳ ଭିଡ଼ ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତି ୨ଟା ୩୫ରେ ରାତ୍ର ପହୁଡ଼ ହୋଇଥିବା ବେଳେ ରବିବାର ଭୋର ୪ଟା ୫୦ ମିନିଟ୍‌ରେ ଦ୍ବାର ଫିଟା ହୋଇଥିଲା। ମାତ୍ର ୨ ଘଣ୍ଟା ୧୫ ମିନିଟ୍‌ ମହାପ୍ରଭୁ ବିଶ୍ରାମ କରିବା ପରେ ପୁନର୍ବାର ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର୍‌ ୫ଟା ୩୫ରେ ମଙ୍ଗଳ ଆଳତି, ସକାଳ ୬ଟା ୧୦ରେ ତଡ଼ପ ଲାଗି, ୬ଟା ୫୦ରେ ମଇଲମ ଓ ୭ଟା ୨୦ରେ ରୋଷହୋମ ହେବାପରେ ସକାଳ ୯ଟା ୨୫ରେ ତ୍ରିବିକ୍ରମ ବେଶ ଆରମ୍ଭ ହୋଇଥିଲା।

 

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ ତଥା ପଞ୍ଚୁକର ଶେଷଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ରାଜାଧିରାଜ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେପଟେ ପଞ୍ଚୁକରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମରିଚିକୋଟ ଛକରୁ ଚାରୋଟି ଧାଡ଼ିରେ ବ୍ୟାରିକେଡରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯାଇଥିଲା। ମାତ୍ର, ଭକ୍ତଙ୍କ ବିପୁଳ ସମାଗମ ଯୋଗୁ ଟାଉନ ଥାନା ପର୍ଯ୍ୟନ୍ତ ଧାଡ଼ି ଲମ୍ବିଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକେ ଖରାରେ ବହୁ ସମୟ ଛିଡ଼ା ହୋଇଥିଲେ।

ସମ୍ବନ୍ଧିତ ଖବର