ମାଲକାନଗିରି: ମାଓ ପ୍ରେମିକ-ପ୍ରେମିକାଙ୍କ ଆତ୍ମସମର୍ପଣ

ମାଲକାନଗିରି: ରବିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ (ପୂର୍ବର ବିଛିନ୍ନାଞ୍ଚଳ) ଦୁଇ ଜଣ ପ୍ରେମିକ-ପ୍ରେମିକ ମାଓବାଦୀ ଏସ୍‌ପି ଜଗମୋହନ ମିନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।

ସେ ଦୁହେଁ ହେଉଛନ୍ତି ମାଓ ଏରିଆ କମିଟି ମେମ୍ବର ଥିବା ପ୍ରେମିକ ଓ୍ଵାଗା ଉର୍ମାମି ଓରଫ ମୁକେଶ ଏବଂ ପାର୍ଟି ମେମ୍ବର ଥିବା ପ୍ରେମିକା ମୁଡ଼େ ମାଧି ଓରଫ ମେସି ଓରଫ ରତ୍ନା।

ସମ୍ପ୍ରତି ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ନକ୍ସଲ୍‌ ସହିଦ ସପ୍ତାହ ଚାଲିଛି। ଆଜି ସହିଦ ସପ୍ତାହର ଦ୍ୱିତୀୟ ଦିବସରେ ଆତ୍ମସମର୍ପଣ କରିଥିବା ଦୁଇ ନକ୍ସଲ୍‌ କହିଛନ୍ତି କି, ନକ୍ସଲ୍‌ ସଙ୍ଗଠନରେ ଚାଲିଥିବା ଭେଦଭାବ ଓ ନିର୍ଯାତନା ଅସହ୍ୟ ହେବାରୁ ସେମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ।

ଏହାଛଡ଼ା ଗୁରୁପ୍ରିୟା ସେତୁ କାର୍ଯ୍ୟକ୍ଷମ ହେବା ପରେ ସ୍ୱାଭିମାନ ଅଞ୍ଚଳକୁ ଘନଘନ ସୁରକ୍ଷା କର୍ମୀ ପ୍ରବେଶ କରୁଥିବାରୁ ସେଠାରେ ଥିବା ନକ୍ସଲ୍‌ମାନଙ୍କ ସ୍ଥିତି ଦୋଦୁଲ୍ୟମାନ ହେବାରେ ଲାଗିଛି। ଏହା ନକ୍ସଲ୍‌ମାନଙ୍କର ବଡ଼ ଚିନ୍ତାର କାରଣ ହେଲାଣି ବୋଲି ଉଭୟ କହିଛନ୍ତି।

ରବିବାର ଦିନ ସହିଦ ସପ୍ତାହର ଦ୍ୱିତୀୟ ଦିନରେ ରାଲଗେଡ଼ା ପଞ୍ଚାୟତରେ ନକ୍ସଲ୍‌ମାନେ ମେଳି କରିଛନ୍ତି। ସେଠାରେ ସ୍ଥାୟୀ କ୍ୟାମ୍ପ୍‌ ପ୍ରତିଷ୍ଠା କରିବା ସହ ଲୋକମାନଙ୍କୁ ସହିଦ ଦିବସ ପାଳନ କରିବାକୁ ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର