ଚନ୍ଦ୍ରଶେଖରପୁର : ଚିଟ୍‌ଫଣ୍ଡ ଠକକୁ ଆପାର୍ଟମେଣ୍ଟରୁ ଉଠାଇନେଲା ପୁଲିସ୍

ଚନ୍ଦ୍ରଶେଖରପୁର : ଜଣେ ଚିଟ୍‌ଫଣ୍ଡ ଠକକୁ ଆଜି ନବରଙ୍ଗପୁର ଓ ନୂଆପଡ଼ା ପୁଲିସ ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଉଠାଇ ନେଇଛନ୍ତି। ସେ ହେଲା ଉମେଶ ମିଶ୍ର। ସେ ପରିବାର ସହ ପଟିଆସ୍ଥିତ ଶୁଭମ୍ ଆପାର୍ଟମେଣ୍ଟ୍‌ରେ ରହୁଥିବା ସୂଚନା ପାଇ ପୁଲିସ ଚଢ଼ଉ କରି ତାକୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଲୋକଙ୍କ ଜମା ଟଙ୍କାକୁ ଦୁଇ ଗୁଣ କରାଇଦେବା ଓ ବେକାର ଯୁବକଙ୍କୁ ନିଯୁକ୍ତି ଯୋଗାଇଦେବା ପ୍ରଲୋଭନ ଦେଖାଇ ଉମେଶ କୋଟି କୋଟି ଟଙ୍କା ଠକି ରାଜଧାନୀ ଚାଲିଆସିଥିଲା। ଏନେଇ ନବରଙ୍ଗପୁର ଓ ନୂଆପଡ଼ାର କିଛି ଯୁବକ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଉଭୟ ପୁଲିସ ଘଟଣାର ତଦନ୍ତ ଚଳାଇଥିଲେ। ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକଙ୍କ ସୂଚନା ମୂତାବକ ଅଭିଯୁକ୍ତ ଭୁବନେଶ୍ବରରେ ରହୁଥିବା କୌଣସି ସୂତ୍ରରୁ ଖବର ପାଇ ଦୁଇ ଜିଲ୍ଲାର ପୁଲିସ ଗତକାଲି ରାତିରେ ଆସି ଏଠାରେ ପହଞ୍ଚିଥିଲେ। ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ସହାୟତାରେ ଆପାର୍ଟମେଣ୍ଟରେ ଚଢ଼ଉ କରି ଉମେଶକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର