ଦିବ୍ୟାଙ୍ଗ ଶିଶୁକୁ ନିଆଁରେ ଫିଙ୍ଗିଦେଲେ!

ରାଗ ବ୍ରହ୍ମଚଣ୍ଡାଳ

କାଲିମେଳା : ଦିବ୍ୟାଙ୍ଗ ଶିଶୁର ଅସ୍ତ୍ରୋପଚାର ହୋଇପାରିଲାନି। ଚିକିତ୍ସା ଶିବିରରେ ଅପେକ୍ଷା କରି କରି ନିରାଶ ହୋଇ ଫେରିଲେ ପରିବାର। ଆଉ ଏହାକୁ ନେଇ ଘରେ ସୃଷ୍ଟି ହେଲା ମହାଭାରତ। ଝଗଡ଼ା ଏମିତି ହେଲା ଯେ ଶିଶୁଟିକୁ ନିଜ ବାପା ଜଳନ୍ତା ନିଆଁରେ ଫିଙ୍ଗିଦେଲା। ବର୍ତ୍ତମାନ ଦିବ୍ୟାଙ୍ଗ ଶିଶୁଟି କାଲିମେଳା ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛି। ଆଉ ପାଖରେ ଅଛନ୍ତି ତାର ମା’ ଏବଂ ଭଉଣୀ। ଏଭଳି ଲୋମ ଟାଙ୍କୁରା ଘଟଣା ସଂପର୍କରେ ଅଭିଯୋଗ ଆସିଛି କାଲିମେଳା ଅଞ୍ଚଳରୁ। ଦିବ୍ୟାଙ୍ଗ ଶିଶୁପୁତ୍ରକୁ ନିଜ ବାପା ରାଗରେ ନିଆଁରେ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଥିବା ବେଳେ ପରିବାର ପକ୍ଷରୁ କିନ୍ତୁ ଏହାକୁ ଅସ୍ୱୀକାର କରାଯାଇଛି।

ଚିକିତ୍ସାଧୀନ ଶିଶୁଟି କାଲିମେଳା ଥାନା ଅନ୍ତର୍ଗତ ଭେଙ୍କଟପଲମ ପଞ୍ଚାୟତ ମାଙ୍ଗିପାଲୀ ଗ୍ରାମର ପଦିଆ ମାଡ଼କାମୀଙ୍କ ପୁଅ ଲକ୍ଷ୍ମଣ। ଶିଶୁଟିର ଶରୀରର ଗୋଟିଏ ପଟ ସଂପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଶରୀରରୁ ଚମଡ଼ା ବାହାରି ପଡ଼ିଥିବାରୁ ପ୍ରବଳ ଯନ୍ତ୍ରଣାରେ ଛଟପଟ ହେଉଛି। ଘଟଣାରୁ ପ୍ରକାଶ ଯେ ଗତ ୬ତାରିଖ ଦିନ ମାଲକାନଗିରିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଠାରେ ବକ୍ରପାଦ ଶିଶୁଙ୍କୁ ଅସ୍ତ୍ରୋପଚାରର ବ୍ୟବସ୍ଥା ହୋଇଥିଲା। ୪ବର୍ଷର ଶିଶୁ ଲକ୍ଷ୍ମଣର ଗୋଟିଏ ଗୋଡ଼ ଖରାପ ଥିବାରୁ ପରିବାରବର୍ଗ ଚିକିତ୍ସା ଶିବିରକୁ ନେଇଥିଲେ। ତେବେ ସେଠାରେ କୌଣସି କାରଣରୁ ଲକ୍ଷ୍ମଣଙ୍କ ଅସ୍ତ୍ରୋପଚାର ହୋଇପାରି ନଥିଲା। ଫଳରେ ପରିବାର ମନ ଦୁଃଖରେ ଘରକୁ ଫେରି ଆସିଥିଲେ। ଘରକୁ ଫେରିବା ପରେ ଏହାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଦିବ୍ୟାଙ୍ଗ ଶିଶୁଟି ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିଲା। ଶିଶୁଟିକୁ ତାର ବାପା ନିଆଁରେ ଫିଙ୍ଗି ଦେଇଥିବା କେତେକ ଲୋକ ଅଭିଯୋଗ କରିଥିବା ବେଳେ ପରିବାରବର୍ଗ ଠିକ୍‌ ଭାବେ କିଛି କହୁ ନାହାନ୍ତି।

ପ୍ରେତ ଛଡ଼ାଇବାକୁ ଯାଇ ମହିଳାଙ୍କୁ ମାରିଦେଲେ

କୁଜଙ୍ଗ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭଳି ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେତ ଛଡ଼ାଇବାକୁ ଯାଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ହେଉଛନ୍ତି ଜଣେ ନାବାଳିକା ଗୁଣିଆ। ପରିବାର ଲୋକଙ୍କ ସହାୟତାରେ ସେ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୁଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।

ମୃତ ମହିଳା ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଶାସନୀପଡ଼ା ଗ୍ରାମର ପୀତାମ୍ବର ନାୟକଙ୍କ ଝିଅ ରଶ୍ମିତା ନାୟକ (୩୪ବର୍ଷ)। ରଶ୍ମିତା ହେଉଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଏବଂ ସେ କିଛିଦିନ ହେବ ମାନସିକ ରୋଗରେ ପୀଡ଼ିତ ଥିଲେ। ଗତ ସୋମବାର ଦିନ ମହିଳାଙ୍କ ଭାଇ ସରୋଜକାନ୍ତ ନାୟକ ତାଙ୍କୁ ଭଲ କରିବା ପାଇଁ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ନିକଟକୁ ଆଣିଥିଲେ। ଏହି ଛାତ୍ରୀ ଜଣଙ୍କୁ କୁଆଡେ ଠାକୁରାଣୀ ସବାର୍‌ ହୋଇଥା’ନ୍ତି ଏବଂ ସେହି ସମୟରେ ସେ ବିଭିନ୍ନ ଦୁରାରୋଗ୍ୟ ଭଲ କରିଦିଅନ୍ତି। ଫଳରେ, ବିଭିନ୍ନ ସ୍ଥାନରୁ ବହୁତ ଲୋକ ତାଙ୍କ ନିକଟକୁ ଆସନ୍ତି। ଏହି ଅନ୍ଧବିଶ୍ୱାସର ଶିକାର ହୋଇ ସରୋଜ ମଧ୍ୟ ଭଉଣୀଙ୍କୁ ନେଇ ଆସିଥିଲେ।

ଅଭିଯୋଗ ଅନୁସାରେ, ପ୍ରେତ ସବାର ହୋଇଥିବା କହି ଏହି ନାବାଳିକା ଗୁଣିଆ ଗତ ସୋମବାରଠାରୁ ରଶ୍ମିତାଙ୍କୁ ପିଟି ଚାଲିଥିଲେ। ଭାଇ ସରୋଜ ମଧ୍ୟ ଏଥିରେ ଆପତ୍ତି ଉଠାଇଥିଲେ। ମାତ୍ର, ନାବାଳିକା ଗୁଣିଆ କିଛି ହେବନାହିଁ ଏବଂ ଏହାଦ୍ୱାରା ପ୍ରେତ ଛାଡ଼ି ଚାଲିଯିବା ସହିତ ସେ ଭଲ ହୋଇଯିବେ ବୋଲି ଆଶ୍ୱାସନା ଦେଇଥିଲେ। ଏହାପରଠାରୁ କେବଳ ନାବାଳିକା ଗୁଣିଆ ନୁହନ୍ତି, ତାଙ୍କ ମା’, ମାଉସୀ ଏବଂ ଗ୍ରାମର ଜଣେ ବ୍ୟକ୍ତି ନରେଶ ପ୍ରଧାନ ତିନିଦିନ ଧରି ପିଟି ଚାଲିଥିଲେ। ଏହାପରେ ବି ରଶ୍ମିତା ସୁସ୍ଥ ନହେବାରୁ ଗତକାଲି ନାମ ସଂକୀର୍ତ୍ତନ ସହିତ ମାଡ଼ ମଧ୍ୟ ଚାଲିଥିଲା। ଫଳରେ, ରଶ୍ମିତା ସମ୍ପୂର୍ଣ୍ଣ ସଂଜ୍ଞାହୀନ ହୋଇ ପଡ଼ିଥିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏହି ଘଟଣା ଦେଖିବା ପରେ ଭାଇ ସରୋଜ ମଧ୍ୟ ଧୈର୍ଯ୍ୟହରା ହୋଇ ଅଚେତ ହୋଇପଡ଼ିଥିଲେ। ଆଜି ଭୋର୍‌ ସମୟରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ୧୮୯/୧୭ ରେ ଏକ ହତ୍ୟାମାମଲା ରୁଜୁ କରି ନାବାଳିକା ଗୁଣିଆ, ତାଙ୍କ ମା’, ମାଉସୀ ଓ ନରେଶଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ତିନୋଟି ବେତ,ଗୋଟିଏ ଠେଙ୍ଗା,ଗୋଟିଏ ଛୁରୀକୁ ଜବତ କରଛି। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର