କନ୍ଦରାଭଟାରେ ମାଓ କ୍ୟାମ୍ପ ଠାବ : କମ୍ବିଂ ଜାରି, ମାଓବାଦୀଙ୍କ ଛତ୍ରଭଙ୍ଗ; ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ଲାକ୍‌ବୋର୍ଡ, ରନ୍ଧା ସମାଗ୍ରୀ ଓ ଜିନିଷ ଜବତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ହରିଶଙ୍କର ସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓ ଶିବିର ଠାବ ହୋଇଛି। ଶନିବାର ସେଠାରେ ପୁଲିସର କମ୍ବିଂ ଜାରି ରହିଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଡିଆଇଜି ହିମାଂଶୁ ଲାଲ ଓ ଏସ୍‌ପି ମାଡକର ସନ୍ଦୀପ ସମ୍ପତ ହରିଶଙ୍କର ପହଞ୍ଚିଛନ୍ତି।

ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀଙ୍କ ଟ୍ରେନିଂ ‌କ୍ୟାମ୍ପ ଚାଲିଥିବା ନେଇ କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ଶନିବାର ସକା‌ଳୁ ଡିଭିଏଫ ଓ ଏସ୍‌ଓଜି ଯାବାନମାନେ ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇ ଥିଲେ। କମ୍ବିଂ ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଡିଭିଏଫ ଓ ଏସଓଜି ଯବାନ ମାଓବାଦୀଙ୍କ ଟ୍ରେନିଂ କ୍ୟାମ୍ପରେ ପହଞ୍ଚିବା ବେଳକୁ ସେଠାରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଏକ ବ୍ଲାକବୋର୍ଡ, ଛତା ରହିଥିଲା। ରନ୍ଧାଖାଦ୍ୟ ମଧ୍ୟ ରହିଥିଲା। ସେଠାରେ ଏକ ଦରି ପଡ଼ିଥିବା ବେଳେ ଔଷଧ, ଡେକଚି ଆଦି ଥିବା ସାମଗ୍ରୀ ଦେଖିବାକୁ ମିଳିଛି। ସଂଧ୍ୟା ପର୍ଯ୍ୟନ୍ତ କମ୍ବିଂ ଜାରି ହରିଥିଲା। କମ୍ବିଂ ଟିମ୍‌ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଜବତ ସାମଗ୍ରୀ ଧରି ପାହଡ଼ ତଳକୁ ଫେରି ନଥିଲେ। ତେବେ ଶିବିରରେ ପ୍ରାୟ ୫୦ ଜଣ ମାଓବାଦୀ ରହୁଥିବା ଅନୁମାନ କରାଯାଉଛି। ଖବର ପାଇବା ପରେ ଡିଆଇଜି ଓ ଏସ୍‌ପି ହରିଶଙ୍କର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧିତ ଖବର