କନ୍ଧମାଳରେ ବଡ଼ ହମଲା ଯୋଜନା! : ଖମଣଖୋଲ ଜଙ୍ଗଲରେ ବିଶାଳ କ୍ୟାମ୍ପ୍

ଅପରେସନ୍ ପୂର୍ବରୁ ୩୦ ମାଓବାଦୀଙ୍କ ଛତ୍ରଭଙ୍ଗ, ବିସ୍ଫୋରକ, ବିପୁଳ ସାମଗ୍ରୀ ଜବତ

ଫୁଲବାଣୀ : କିଛି ଦିନର ନିରବତା ପରେ କନ୍ଧମାଳରେ ମାଓବାଦୀ ସକ୍ରିୟ ହୋଇଛନ୍ତି। ବାଲିଗୁଡ଼ା ଥାନା ଖମଣଖୋଲ ଜଙ୍ଗଲରେ ବିଶାଳ ମାଓ କ୍ୟାମ୍ପ୍ ଠାବ ହେବା ପରେ ଏହା ସ୍ପଷ୍ଟ ‌ହୋଇଛି।

ମାଓ କ୍ୟାମ୍ପ ଠାବ ହେବା ପରେ ଅନୁମାନ କରାଯାଉଛି ଯେ, ବଡ଼ଧରଣର ହମଲା ପାଇଁ ମାଓବାଦୀଙ୍କ ଯୋଜନା ଥିଲା। କ୍ୟାମ୍ପ୍‌ରେ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁୁତ କରିଥିଲେ। କ୍ୟାମ୍ପ୍‌ରେ ୨୫ରୁ ୩୦ ଜଣ କେକେବିଏନ୍ ସ˚ଗଠନ ମାଓବାଦୀ ରହିଥିଲେ। ଏ ସମ୍ପର୍କରେ ଜାଣିପାରି ପୁଲିସ୍‌ ଅପରେସନ୍‌ ପାଇଁ ଯୋଜନା ଚଳାଇଥିଲା। ଏହାପୂର୍ବରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ତେବେ, ଏହି ସୂଚନା ଆଧାରରେ ଏସ୍ଓଜି, ସିଆରପିଏଫ ଓ ଡିଭିପି ଯବାନଙ୍କ ମିଳିତ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ମାଓ ଶିବିରରୁ ପୁଲିସ ବିପୁଳ ବିସ୍ଫୋରକ, ସେମାନଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଛି।

କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ‘ କ୍ୟାମ୍ପରୁ ‌ବି‌େସ୍ଫାରକ ଦ୍ରବ୍ୟ ସମେତ ମାଓବାଦୀଙ୍କ ବ୍ୟବହୃତ ପୋଷାକ, ଜୋତା, ରେଡ଼ିଓ, ବଟିକା, ବ୍ୟାଗ୍, ରୋଷେଇ ଜିନିଷ ଜବତ କରାଯାଇଥିଲା। ଅେପରେସନ୍ ଚାଲିଥିବାରୁ ଆଖାପାଖ ଜଙ୍ଗଲ‌େର ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଲୁଚି ରହିଥିବା ଅନୁମାନ କରି କମ୍ବିଂ ଅପରେସନକୁ ଜୋର୍‌ଦାର୍‌ କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଉତ୍କଳ ର˚ଜନ ଦାସ, ସିଆରପିଏଫ କମାଣ୍ତାଣ୍ଟ ଜି.କୁମାର ଓ ଡିଏସପି ପ୍ରୋବେସନର ସୁନାରାମ ହେମ୍ବ୍ରମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଘଟଣା ପରେ କନ୍ଧମାଳର ମାଓ ପ୍ରଭାବିତ ତୁମୁଡ଼ିବନ୍ଧ, ବାଲିଗୁଡ଼ା, କୋଟଗଡ଼, ବେଲଘର, ଗୋଛାପଡ଼ା, ବାଲନ୍ଦାପଡ଼ା, ଶ୍ରୀରାମପୁର, ସୁବର୍ଣ୍ଣଗିରି ଅଞ୍ଚଳରେ ପୁଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏଥିସହ ସର୍ଚ ଅପରେସନ୍‌ ଚାଲିଛି। କନ୍ଧମାଳରେ ମାଓ ଦମନ ପରେ ଏବେ କେକେବିଏନ୍ ସମେତ ବିଭିନ୍ନ ମାଓ ସ˚ଗଠନ ପୁଣି ସେମାନଙ୍କ କାୟା ବଢ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଯାହାକି ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର