ବଡ଼ବିଲ : ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସକୁ ଘାରିଛି ମାଓ ଭୟ। ଏହି କାରଣରୁ ଦୀର୍ଘ ବର୍ଷ ହେଲା ଦୁଇଟି ଫାଣ୍ଡିରେ ତାଲା ଝୁଲୁଛି। ଡ୍ୟୁଟି କରିବା ତ ଦୂରର କଥା ମାଓବାଦୀଙ୍କ ଭୟରେ ୟୁନିଫର୍ମ ପିନ୍ଧିବାକୁ ଡରୁଛନ୍ତି ପୁଲିସ କନେଷ୍ଟବଳ। କେତେଜଣ ଫାଣ୍ଡି ଛାଡ଼ି ଥାନାରେ ଯାଇ ଡ୍ୟୁଟି କରୁଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ହିସାବୁରୁ ଓ ବଲାଣି ଥାନା ଅଧୀନ କିରିବୁରୁ ଫାଣ୍ଡିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଉଭୟ ହିସାବୁରୁ ଫାଣ୍ଡି ଓ କିରିବୁରୁ ହିଲ୍ଟପ୍ ଫାଣ୍ଡିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ନିଜକୁ ସୁରକ୍ଷିତ ମଣୁ ନଥିବାରୁ ଦୁଇ ଫାଣ୍ଡିରେ ତାଲା ଝୁଲୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଡ଼ବିଲ ଥାନା ଅଧୀନରେ ଥିବା ସୀମାବର୍ତ୍ତୀ ନାଲ୍ଦା ଅଞ୍ଚଳର ହିସାବୁରୁ ପୁଲିସ ଫାଣ୍ଡି ୨୦୧୧ ମସିହାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ହିସାବୁରୁ ଫାଣ୍ଡିରେ କାର୍ଯ୍ୟରତ ଅଛନ୍ତି ଜଣେ ଏଏସ୍ଆଇ ଓ ଦୁଇଜଣ କନେଷ୍ଟବଳ। ଦୀର୍ଘ ୭ ବର୍ଷ ହେଲା ଏହି ଫାଣ୍ଡିଟି ବନ୍ଦ ଥିବାରୁ ସେମାନେ ବଡ଼ବିଲ ଥାନା ଅଧୀନରେ କାର୍ଯ୍ୟ କରୁଛନ୍ତି ବୋଲି ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ହିସାବୁରୁ ଫାଣ୍ଡି ଗୃହ ଆଉ ଖୋଲାଯାଉନଥିବାରୁ ତାହା ଏବେ ଭୂତକୋଠିରେ ପରିଣତ ହୋଇଛି।
ଝାଡ଼ଖଣ୍ଡ ସୀମାକୁ ଲାଗିଥିବା କିରିବୁରୁ ହିଲ୍ଟପ୍ ଫାଣ୍ଡି ଅବସ୍ଥା ବି ସମାନ। ଏହି ପୁଲିସ ଫାଣ୍ଡିଟି ୧୨ ବର୍ଷରୁ ଅଧିକ ହେବ ବନ୍ଦ ହୋଇ ପଡ଼ିଛି। କିରିବୁରୁ ଲୌହ ଖଣି କର୍ମଚାରୀଙ୍କ କଲୋନି ମଧ୍ୟରେ ଫାଣ୍ଡିଟି ଥିଲେ ବି ମାଓବାଦୀ ଭୟରେ ଏଠାରେ ତାଲା ଝୁଲୁଛି। ଫାଣ୍ଡିଠାରୁ ମାତ୍ର ୩ ଶହ ମିଟର ଦୂରରେ ସିଆଇଏସଏଫ୍ କ୍ୟାମ୍ପ ରହିଛି। ଏହାସତ୍ୱେ ପୁଲିସକୁ ମାଓବାଦୀ ଭୟ ଗୋଡ଼ାଉଛି। ଏହି ଫାଣ୍ଡିରେ ଜଣେ ଏଏସ୍ଆଇଙ୍କ ସମେତ ୩ ଜଣ କନେଷ୍ଟବଳ ରହିବା କଥା। ଅଛନ୍ତି ମାତ୍ର ଦୁଇଜଣ କନେଷ୍ଟବଳ। ଫାଣ୍ଡି ତ ଖୋଲୁନି ବର୍ଦ୍ଦି ପିନ୍ଧିବାକୁ ବି ସାହସ ଜୁଟାଇ ପାରୁ ନାହାନ୍ତି ପୁଲିସ କର୍ମଚରୀ। କେବଳ ସେତିକି ନୁହେଁ ଏହି ଫାଣ୍ଡିର ନିଜସ୍ୱ ଘର ନାହିଁ। ନିଜସ୍ୱ ଘର ତିଆରି କରିବା ପାଇଁ ଅର୍ଥ ବରାଦ ହୋଇଛି। ହେଲେ ଘର ତିଆରି ହୋଇପାରୁନି। ଯେଉଁଠାରେ ପୁଲିସ ଅସୁରକ୍ଷିତ ମଣୁଛି, ସେଠାରେ ସାଧାରଣ ଲୋକଙ୍କ ସୁରକ୍ଷା କଥା ପଚାରେ କିଏ।
ଏନେଇ କେନ୍ଦୁଝର ଏସ୍ପି ଜୟନାରାୟଣ ପଙ୍କଜଙ୍କୁ ପଚରାଯିବାରୁ କହିଛନ୍ତି, ସେ ନିଜେ କିରିବୁରୁ ହିଲ୍ଟପ୍ ଯାଇଥିଲେ। ସେଠାରେ ଦୁଇଜଣ କନେଷ୍ଟବଳ ଡ୍ୟୁଟି କରୁଛନ୍ତି, କିନ୍ତୁ ଫାଣ୍ଡି ବନ୍ଦ ରହିଛି। ଏହାକୁ ସେ ଗୁରୁତର ସହ ନେଇଛନ୍ତି। ଫାଣ୍ଡିକୁ କିପରି ତୁରନ୍ତ ଖୋଲାଯିବ ଏବଂ ଏହି ଅଞ୍ଚଳର ଲୋକଙ୍କୁ କିପରି ପୁଲିସ ବାହିନୀ ଉପଯୁକ୍ତ ସେବା ଯୋଗାଇ ଦେଇପାରିବ ସେନେଇ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।