ଡିଜିପିଙ୍କ କନ୍ଧମାଳ ଗସ୍ତ ପରେ ମତଦାନ କେନ୍ଦ୍ରରେ ପୁଣି ମାଓ ପୋଷ୍ଟର୍‌

ବାଲିଗୁଡ଼ା : କନ୍ଧମାଳରେ ନିର୍ବାଚନ ପରିଚାଳନା ପୁଲିସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେଲାଣି। ଲଗାତାର ପୋଷ୍ଟର୍‌, ବ୍ୟନର୍‌ ମାରି ଭୋଟବର୍ଜନ ଧମକ ଦେବା ସହ ଠିକା କ୍ୟାମ୍ପ୍‌ରେ ଲଙ୍କାକାଣ୍ଡ ଘଟାଇଲେ। ତାପର ଦିନ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ଜୀବନ ନେଇ‌ ଖୋଲା ଆହ୍ବାନ୍‌ ଦେଲେ। ଗତକାଲି ପୁଲିସ ଡିଜି ସୁନୀଲ ବଂଶଲ୍‌ ଓ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଆସି ପାଞ୍ଚ ଜିଲ୍ଲାର ଏସ୍‌ପିଙ୍କ ଉପସ୍ଥିତିରେ ମାଓ ମୁକାବିଲା ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ଅବାଧ ନିର୍ବାଚନ କରାଇବାକୁ ସମୀକ୍ଷା କରି ଗଲେ। ଡିଜିପି ଯାଉ ଯାଉ ଶନିବାର ଦିନ ପୁଣି କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ଅଞ୍ଚଳ ମତଦାନ କେନ୍ଦ୍ରରେ ମାଓବାଦୀ ପୋଷ୍ଟର ଲଗାଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ବଂଶଧାରା-ଘୁମୁସର- ନାଗାବଳୀ ଡିଭିଜନ ମାଓ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି ହୋଇଥିବା ଦେଖିବାକୁ ମିଳିଛି।

ବ୍ୟାନର ମାଧ୍ୟମରେ ଲାଲ୍ ବାହିନୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସହିତ ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ ବୋଲି ଉଲ୍ଲେଖ ରହିଛି । ବିଶେଷ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ ଜିଲ୍ଲାରେ ମାଓବାଦୀ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ପଞ୍ଚାୟତ ନିର୍ବାଚନ ଠିକ୍‌ ପୂର୍ବରୁ କନ୍ଧମାଳରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। ଉଭୟ ବଂଶଧାରା-ଘୁମୁସର- ନାଗାବଳୀ ଡିଭିଜନ ଓ କେକେବିଏନ୍ ମାଓ ସଂଗଠନ ଜିଲ୍ଲାରେ ଭୋଟବର୍ଜନ ପାଇଁ ପୋଷ୍ଟର୍‌ ଓ ବ୍ୟାନର୍‌ ଜରିଆରେ ଚେତାବନୀ ଦେବା ସହ ଲୋକଙ୍କୁ ଭୟଭୀତ କରୁଛନ୍ତି। ଫଳରେ ଜିଲ୍ଲାରେ ମୁକ୍ତ ମତଦାନ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଂଗଠନ କନ୍ଧମାଳ ଜିଲ୍ଲାରେ ସେତିକି ଉଗ୍ର ହେଉଛନ୍ତି।

ସମ୍ବନ୍ଧିତ ଖବର