ସୁରକ୍ଷିତ ଅଛି ମାଟ୍ରିକ୍‌ ଓ ଯୁକ୍ତ୨ ଉତ୍ତର ଖାତା : ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍‌, ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କଥା ବିଚାର କରାଯାଉଛି

ଭୁବନେଶ୍ବର : ମୂଲ୍ୟାୟନ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ସୁରକ୍ଷିତ ରହିଛି। ପରୀକ୍ଷାର୍ଥୀ କିମ୍ବା ଅଭିଭାବକ ଏନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି। ଉତ୍ତର ଖାତାଗୁଡ଼ିକରେ ଯେପରି ଉଈ ନ ଲାଗିବେ, ମୂଷା ନ କାଟିବେ ସେଥିପାଇଁ ଔଷଧ ପକାଯାଇଛି। ନିୟମିତ ବ୍ୟବଧାନରେ ଉତ୍ତର ଖାତାଗୁଡ଼ିକର ତଦାରଖ କରିବାକୁ ସମସ୍ତ ୬୨ଟି ମୂଲ୍ୟାୟନ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମାଟ୍ରିକ୍‌ରେ ସମସ୍ତ ବିଷୟର ପରୀକ୍ଷା ଶେଷ ହୋଇଛି। ପ୍ରଥମ ଦିନର ଖାତା ମୂଲ୍ୟାୟନରେ ୭ ହଜାର ଉତ୍ତର ଖାତା ଦେଖା ସରିଛି। ଯେଉଁ ଖାତାଗୁଡ଼ିକ ମୂଲ୍ୟାୟନ ହେବାକୁ ବାକି ରହିଛି ସେଗୁଡ଼ିକର ସୁରକ୍ଷା ଉପରେ ଗଣଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାଥମିକତା ଦେଇଛି।

ଅନୁରୂପ ଭାବେ ଯୁକ୍ତ୨ ଉତ୍ତର ଖାତା ସୁରକ୍ଷିତ ଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅବଗତ କରାଯାଇଛି। ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖାତାଗୁଡ଼ିକ ରହିଛି। ମୂଲ୍ୟାୟନ କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ଏହାର ତତ୍ତ୍ବାବଧାନ ଦାୟିତ୍ୱରେ ରହିଛନ୍ତି। ମୂଲ୍ୟାୟନ ହେବାକୁ ଥିବା ଖାତାଗୁଡ଼ିକ ନିର୍ଦ୍ଧାରିତ କେନ୍ଦ୍ରକୁ ପଠାଇ ଦିଆଯାଇଛି। ବାକି ଥିବା ପ୍ରଶ୍ନପତ୍ରଗୁଡ଼ିକ ଥିବା ପରୀକ୍ଷା ପରିଚାଳନା ହବ୍‌କୁ ସିଲ୍‌ କରାଯାଇଛି। ହବ୍‌ର ସୁପରିନଟେଣ୍ଡେଣ୍ଟ ଓ ଡେପୁଟି ସୁପରିନଟେଣ୍ଡେଣ୍ଟଙ୍କ ନିକଟରେ ହବ୍‌ ଚାବି ରହିଛି। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ହବ୍‌ଗୁଡ଼ିକ ରହିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍‌ ହେବା ନେଇ ମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି।

‘ସମ୍ବାଦ’କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଓଡ଼ିଶାରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାସ୍‌ କରିବେ। ପୂର୍ବରୁ ବି ପାସ୍‌ ଫେଲ୍‌ ବ୍ୟବସ୍ଥା କିଛି ନ ଥିଲା। ସମସ୍ତ ପିଲା ଉପର ଶ୍ରେଣୀକୁ ଉନ୍ନୀତ ହେଉଥିଲେ। ସେହି ଅନୁଯାୟୀ ଏଥର ବି ସମସ୍ତ ପିଲା ପାସ୍‌ କରିବେ। ପରୀକ୍ଷା କରାଯାଇ ନ ଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାସ୍‌ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଆଉ ଗୋଟିଏ ବିଷୟର ପରୀକ୍ଷା ହେବାକୁ ଥିବା ବେଳେ ସ୍କୁଲ ଛୁଟି ଘୋଷଣା କରାଗଲା। ତେଣୁ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର