ସରିଲା ମାଟ୍ରିକ୍ ପରୀକ୍ଷା : ୧୮ରୁ ୬୧ଟି କେନ୍ଦ୍ରରେ ମୂଲ୍ୟାୟନ

ଏବର୍ଷ ମୋଟ ୯୪୭ ଏମ୍‌ପି, ଶେଷ ଦିନରେ ୧୫୦, କାମାକ୍ଷାନଗରରେ ପ୍ରଶ୍ନପତ୍ର ଭାଇରାଲ!

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ୨୦୨୦ ହାଇସ୍କୁଲ ସାର୍ଟି‌ଫିକେଟ୍ (ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ସୋମବାର ସମାପ୍ତ ହୋଇଛି। ଗତ ମାସ ୧୯ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷାରେ କାଁ ଭାଁ କେତୋଟି ଅଘଟଣକୁ ଛାଡିଦେଲେ, ତିନିଟି ଯାକ ପରୀକ୍ଷା ରାଜ୍ୟର ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଛି। ଅନ୍ତିମ ଦିନରେ ଅସାଧୁ ଉପାୟ ଅବଲମ୍ବନ କରି ୧୫୦ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଟିସ୍ ହୋଇଥିବା ସୂଚନା ମିଳିଛି। ସେହିପରି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ମୋଟ ୯୪୭ଜଣ ଏମ୍‌ପି ହୋଇଥିବା ଜଣାପଡ଼ିଛି। ଆସନ୍ତା ୧୮ତାରିଖରୁ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି।

ମାଟ୍ରିକର ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାର ଅଭିଯୋଗ ଆସିଥିବା ବେଳେ ଅନ୍ୟଦିନରେ ସେଭଳି ସମସ୍ୟା ହୋଇ ନାହିଁ। ପ୍ରଥମ ଦିନରେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ନକଲି ବୋଲି ବୋର୍ଡ ପକ୍ଷରୁ ଯାଞ୍ଚ କରାଯାଇ ରିପୋର୍ଟ ଦିଆଯାଇଥିଲା। ସେହିପରି କଟକ ଜିଲ୍ଲାରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଚାଲିଥିବା ୫ଟି କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ସିସି କ୍ୟାମେରାକୁ ହଟାଇବାକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସୁରକ୍ଷା କଡ଼ାକଡ଼ି କରାଯିବା ପରେ ଓପନ୍ ସ୍କୁଲ ପରୀକ୍ଷା ଠିକ୍‌ଠାକ୍ ଚାଲିଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା କନକଦୁର୍ଗା ସ୍କୁଲ ପରୀକ୍ଷା‌କେନ୍ଦ୍ରରେ ଦ୍ବିତୀୟ ଦିନ ପରୀକ୍ଷାରେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ପରେ ସେହି କେନ୍ଦ୍ରରେ ବହୁ ପରୀକ୍ଷାର୍ଥୀ ଅବଶିଷ୍ଟ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ବୋର୍ଡ ପକ୍ଷରୁ ଏହାର ତଦନ୍ତ କରାଯିବାକୁ କୁ‌ହାଯାଇଛି। ଆସନ୍ତା ୧୮ତାରିଖରୁ ଖାତା ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଥିବା ବେଳେ ମୂଲ୍ୟାୟନ କାର୍ଯ୍ୟ ପାଖାପାଖି ୨୦ଦିନରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବୋର୍ଡ ସଭାପତି ରାମାଶିଷ ହଜାରା ସୂଚନା ଦେଇଛନ୍ତି। ମୂଲ୍ୟାୟନ ପାଇଁ ମୋଟ ୬୧ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଥିବା ବେଳେ ଏଥିରେ ପାଖାପାଖି ୨୨ହଜାର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରାଯାଇଛି। ଆଜି ସୁଦ୍ଧା ପ୍ରଥମ ତିନିଟି ପରୀକ୍ଷା (ପ୍ରଥମ ଭାଷା, ଦ୍ବିତୀୟ ଭାଷା, ତୃତୀୟ ଭାଷା) ଖାତା ନୋଡାଲ ସେଣ୍ଟରରୁ ମୂଲ୍ୟାୟନ କେନ୍ଦ୍ରକୁ ପଠା ସରିଛି। ଅବଶିଷ୍ଟ ତିନିଟି ପରୀକ୍ଷା ଖାତା ଆସନ୍ତାକାଲିଠାରୁ ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବ। ପ୍ରଥମେ ଅବ୍‌ଜେକ୍ଟିଭ୍ ଓ ପରେ ସବ୍‌ଜେକ୍ଟିଭ୍ ଖାତା ମୂଲ୍ୟାୟନ କରାଯିବ। ପରୀକ୍ଷା ଭଳି ମୂଲ୍ୟାୟନ କେନ୍ଦ୍ରକୁ ମଧ୍ୟ ମୋବାଇଲ୍ ବାରଣ କରାଯାଇଥିବା ବୋର୍ଡ ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ପରୀକ୍ଷାର ଶେଷଦିନରେ କାମାକ୍ଷାନଗରଠାରେ ଶେଷଦିନ ପରୀକ୍ଷାରେ ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ପରୀକ୍ଷାର ୧ଘଣ୍ଟା ପରେ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା। ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କୁ ପଚାରିବା ପରେ ସେମାନେ ମଧ୍ୟ ଏହା ଆଜିର ପ୍ରଶ୍ନପତ୍ର ବୋଲି କହିଥିଲେ।

ସମ୍ବନ୍ଧିତ ଖବର