ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୧୮(ରେଗୁଲାର ଓ ଏକ୍ସରେଗୁଲାର) ଫେବ୍ରୁଆରି ୨୩ ତାରିଖରୁ ଆରମ୍ଭ ହୋଇ ମାର୍ଚ ୮ରେ ଶେଷ ହେବ। ଏହି ସମୟ ମଧ୍ୟରେ ବୋର୍ଡ ପକ୍ଷରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା(ପ୍ରଥମ) ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ପ୍ରଥମ) ଫେବ୍ରୁଆରି ୨୩ରୁ ଆରମ୍ଭ ହୋଇ ମାର୍ଚ ୮ତାରିଖରେ ଶେଷ ହେଉଥିବା ବେଳେ ମଧ୍ୟମା ପରୀକ୍ଷା ଫେବ୍ରୁଆରି ୨୩ରୁ ଆରମ୍ଭ ହୋଇ ମାର୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା(ଆଇଟି, ଟିଟି, ବିଏଫ୍‌, ଏଚ୍‌ସି, ବିଏମ୍‌ ଆଦି ବିଷୟ ପାଇଁ) ମାର୍ଚ ୭ ତାରିଖ ବୁଧବାର ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମାଟି୍ରିକ୍‌ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ମାଟି୍ରକ୍‌ ପରୀକ୍ଷା ପାଇଁ ଏବେ ଫର୍ମ ପୂରଣ ଚାଲିଥିବା ବେଳେ ଓପନ୍‌ ସ୍କୁଲ ଓ ମଧ୍ୟମା ପାଇଁ ଫର୍ମ ପୂରଣ କାର୍ଯ୍ୟସୂଚୀ ଖୁବ ଶୀଘ୍ର ପ୍ରକାଶ ପାଇବ।

ଆଜି ବୋର୍ଡର ସଭାପତି ଡକ୍ଟର ଜାହାଁନାରା ବେଗମ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପରୀକ୍ଷା କାର୍ଯ୍ୟସୂଚୀ ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ଫେବ୍ରୁଆରି ୨୩ ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ୨୬ ତାରିଖ ସୋମବାର ଦ୍ୱିତୀୟ ଭାଷା(ଇଂରାଜୀ, ହିନ୍ଦୀ, ମୂକବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୨୮ ତାରିଖ ବୁଧବାର ତୃତୀୟ ଭାଷା(ସଂସ୍କୃତ, ହିନ୍ଦୀ, ଓଡ଼ିଆ, ପାର୍ସିିର୍), ମାର୍ଚ ୩ ତାରିଖ ଶନିବାର ଗଣିତ, ୪ ତାରିଖ ରବିବାର ପ୍ରାକ୍ଟିକାଲ୍‌ (ଭିଜୁୁଆଲ୍‌ ଆର୍ଟ, ସକାଳ ୯ରୁ ୧୧ଟା), ୬ ତାରିଖ ମଙ୍ଗଳବାର ବିଜ୍ଞାନ, ୮ ତାରିଖ ଗୁରୁବାର ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ଏସବୁ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେଉଥିବା ବେଳେ ଗଣିତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୪୫ରେ ଶେଷ ହେବ। ପରୀକ୍ଷାର୍ଥୀଙ୍କୁ ସକାଳ ୮ଟା ୩୦ରେ ଓଏମ୍‌ଆର୍‌ ସିଟ୍‌, ୮ଟା ୪୫ରେ ଉଭୟ ସଂକ୍ଷିପ୍ତ ଓ ଦୀର୍ଘଉତ୍ତରମୂଳକ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ୭ ତାରିଖ ବୁଧବାର ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ।

ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷାରେ ଫେବ୍ରୁଆରି ୨୩ ତାରିଖ ଶୁକ୍ରବାର ପ୍ରଥମ ପତ୍ର, ୨୪ ତାରିଖ ଶନିବାର ଦ୍ୱିତୀୟ ପତ୍ର, ୨୬ ତାରିଖ ସୋମବାର ତୃତୀୟପତ୍ର, ୨୭ ତାରିଖ ମଙ୍ଗଳବାର ଚତୁର୍ଥ ପତ୍ର, ୨୮ ତାରିଖ ବୁଧବାର ପଞ୍ଚମପତ୍ର, ମାର୍ଚ ୩ ତାରିଖ ଶନିବାର ଷଷ୍ଠପତ୍ର, ୬ତାରିଖ ମଙ୍ଗଳବାର ସପ୍ତମପତ୍ର, ୭ତାରିଖ ବୁଧବାର ଅଷ୍ଟମପତ୍ର ପରୀକ୍ଷା ହେବ। ପରୀକ୍ଷା ଅପରାହ୍‌ଣ ୨ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ଶେଷ ହେବ। କେବଳ ପଞ୍ଚମପତ୍ର(ଗଣିତ) ପରୀକ୍ଷା ଅପରାହ୍‌ଣ ୨ଟାରୁ ୪ଟା ୪୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ରାଜ୍ୟ ଓପନ୍‌ ସ୍କୁଲ ପରୀକ୍ଷା ଫେବ୍ରୁଆରି ୨୩ ତାରିଖରୁ ମାର୍ଚ ୮ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୧୧ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ଗଣିତ ପରୀକ୍ଷା ସକାଳ ୯ଟାରୁ ୧୧ଟା ୪୫ପର୍ଯର୍୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ବର୍ଷଠାରୁ ଓପନ୍‌ ସ୍କୁଲ ପରୀକ୍ଷା ପାସ୍‌ ମାର୍କ ୩୩ ପ୍ରତିଶତ ବଦଳରେ ୩୦ ପ୍ରତିଶତ ରହିଛି। ଓପନ୍‌ ସ୍କୁଲ(ଦ୍ୱିତୀୟ) ପରୀକ୍ଷା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ କରାଯିବ ବୋଲି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ବୋର୍ଡ ସଭାପତି ପ୍ରଫେସର ଜାହାଁନାରା ବେଗମ୍‌, ସଂପାଦକ ରମାଶିଷ ହାଜରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର