ଜୁଲାଇରେ ମାଟ୍ରିକ ଫଳ, ମେ’ ୨୦ରୁ ଖାତା ମୂଲ୍ୟାୟନ

ଆଜିଠାରୁ ସିବିଏସ୍ଇ ୧୦ମ, ଦ୍ବାଦଶ ଖାତା ଦେଖା

ଭୁବନେଶ୍ବର : କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ବେଳେ ଏଥିରେ ମାଟ୍ରିକ୍‌ ଖାତା ଦେଖା ପ୍ରଭାବିତ ହୋ‌ଇଛି। ମାଟ୍ରିକ୍‌ ଫଳ ଉପରେ +୨ ନାମଲେଖା ନିର୍ଭର କରୁଥିବାରୁ ରାଜ୍ୟ ସରକାର ଆଉ ବିଳମ୍ବ ନକରି ମେ’ ୨୦ରୁ ମାଟ୍ରିକ୍‌ ଖାତା ଦେଖା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ଜୁଲାଇ ଶେଷ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମାଟ୍ରିକ ଖାତା‌ ଦେଖା କିପରି ପୁଣି ଆରମ୍ଭ ହେବ, କରୋନା ପାଇଁ ଲାଗିଥିବା କଟକଣାକୁ ନଜରରେ ରଖି ସାମାଜିକ ଦୂରତା ରହିବ, କେତେ ଦିନ ଖାତା ଦେଖା ହେବ, କେବେ ସୁଦ୍ଧା ଫଳ ପ୍ରକାଶ ପାଇବ, ସେନେଇ ଆଜି ମନ୍ତ୍ରୀ ଶ୍ରୀ ଦାଶ ଗଣଶିକ୍ଷା ବିଭାଗର ଅଧିକାରୀ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମେ’ ୨୦ରୁ ଖାତା ଦେଖା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମେ’ ୧୯ରୁ ପରୀକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବାକୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୂଲ୍ୟାୟନ ପାଇଁ ପ୍ରାୟ ୬୦ଟି କେନ୍ଦ୍ର ହେବ। ଯେଉଁଠି ପରୀକ୍ଷା ଖାତା ଅଛି ସେଠାରୁ କିପରି ମୂଲ୍ୟାୟନ କେନ୍ଦ୍ରକୁ ଯିବ, ଯେଉଁଠି ମୂଲ୍ୟାୟନ କେନ୍ଦ୍ର ହେବ, ସେହି ଅଞ୍ଚଳକୁ ଯେପରି ବାହାର ଲୋକ କେହି ଯିବେନି, ଯେପରି ପରୀକ୍ଷକମାନେ ସୁବିଧାରେ ଯାତାୟାତ କରିପାରିବେ, ସେ ନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯିବ। ଏହାସହ ପରୀକ୍ଷକମାନଙ୍କୁ ବର୍ତ୍ତମାନ ସ୍ଥିତିରେ ମୂଲ୍ୟାୟନ ପାଇଁ ଆକର୍ଷିତ କରିବାକୁ କେତେ ଟଙ୍କା ସ୍ବତନ୍ତ୍ର ଭତ୍ତା ଦେଇ ହେବ, ସେନେଇ ନିଷ୍ପତ୍ତି ନେବାକୁ ବୋର୍ଡ ସଭାପତିଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସାଢ଼େ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ଖାତା ମୂଲ୍ୟାୟନ ହେବା ପରେ କରୋନା କଟକଣା ପାଇଁ ମୂଲ୍ୟାୟନ ସ୍ଥଗିତ ରଖାଯାଇଥିଲା। ଖାତା ମୂଲ୍ୟାୟନ ହୋଇପାରୁ ନଥିବାରୁ କେବେ ଫଳ ପ୍ରକାଶ ପାଇବ, ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ବରେ ଥିଲେ। ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୂଲ୍ୟାୟନ ତାରିଖ ଘୋଷଣା କରିବା ପରେ ସମ‌ସ୍ତେ ଆଶ୍ବସ୍ତ ହୋଇଛନ୍ତି।

ଅପରପକ୍ଷେ ରବିବାରଠାରୁ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ହେବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ସିବିଏସ୍‌ଇ ପକ୍ଷରୁ ୩୦୦୦ ସ୍କୁଲକୁ ଖାତା ମୂଲ୍ୟାୟନ କେନ୍ଦ୍ର ଭାବେ ବଛା ଯାଇଥିବା ବେଳେ ସେଠାକୁ ସ୍ବତନ୍ତ୍ର ଗାଡ଼ିରେ ଖାତା ପହଞ୍ଚାଯିବ। ଏହାବାଦ୍ କେତେକ ପରୀକ୍ଷକ ଘରେ ଖାତା ଦେଖିବେ। ସେମାନଙ୍କ ଘରେ ଖାତା ପହଞ୍ଚାଇବାକୁ ନି‌ଷ୍ପତ୍ତି ହୋଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଏହି ନିଷ୍ପତ୍ତି ହୋଇଛି ବୋଲି କୁହାଯାଇଛି। ମୂଲ୍ୟାୟନ ବେଳେ କୋଭିଡ୍‌-୧୯ ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର