ଅନ୍‌ଲାଇନ୍‌ରେ ୧୦ ଘଣ୍ଟିଆ ନୃତ୍ୟ ଉତ୍ସବ

ଭୁବନେଶ୍ବର: ମଞ୍ଚରେ ତାଲା ଝୁଲୁଛି। ନୃତ୍ୟ ସଂଗୀତ ସବୁ ବନ୍ଦ ହେଇଯାଇଛି। ମାତ୍ର ନୃତ୍ୟର ଅଭିଳାଷ ନୂଆ ବାଟ ଦେଖାଇଛି। ମାତୃ ଦିବସରେ ପ୍ରଥମକରି ୧୦ ଘଣ୍ଟିଆ ନୃତ୍ୟ ଉତ୍ସବ ଅନଲାଇନରେ ଅନୁଷ୍ଠିତ ହେବାକୁ ଯାଉଛି। ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଜୋଷୀଙ୍କ ତତ୍ତ୍ବାବଧାନରେ ‘ଲାସ୍ୟକଳା ଡ୍ୟାନ୍ସ ଭିଜନ’ ଭେଟି ଦେବାକୁ ଯାଉଛି ଏହି ନିଆରା ନୃତ୍ୟ ଉତ୍ସବ। ରବିବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ନୃତ୍ୟ ଉତ୍ସବ ‘ହାପି ଫର୍‌ ହୋପ୍‌’।

ସାଗରିକା ମହାନ୍ତି ପ୍ରଥମେ ଭେଟିଦେବେ ଶିବାଷ୍ଟକମ ଓ ମଧୁର ବଚନ। ତାଙ୍କ ପରେ ସ୍ବୀକୃତି ପଣ୍ଡା, ଚିନ୍ମୟୀ ମଲିଆ, ବିଭୁଦତ୍ତ ଦାସ, ଲିପ୍ସା ମହାପାତ୍ର, ସୋନାଲ ଆଚାର୍ଯ୍ୟ, ପୂଜା ପ୍ରିୟଦର୍ଶିନୀ ସାହୁ, ଶୁଭଶ୍ରୀ ଶତପଥୀ, ଶୀତଲ ସ୍ବରୂପା, ପ୍ରକୃତି ମହାନ୍ତି, ତେଜସ୍ବିନୀ ପଟ୍ଟନାୟକ, ତୃପ୍ତିତା ପଟ୍ଟନାୟକ ଓ ଶେଷରେ ରାତି ୮ଟାରେ ଶାଶ୍ବତ ଜୋଷୀ ନିଜେ ‌ନୃତ୍ୟ ଭେଟିଦେବେ। ଫେସବୁକରେ ସିଧା ପ୍ରସାରଣ ହେବାକୁ ଯାଉଥିବା ଏହି ନୃତ୍ୟ ଉତ୍ସବରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ଦେଖିବାକୁ ମିଳିବ। ପୁରୀ, ସମ୍ବଲପୁର, ଜଗତସିଂହପୁର, ଭୁବନେଶ୍ବର, ଖୋର୍ଧା, ଗଂଜାମ, ନୟାଗଡ଼, ପିପିଲି, ବୀରମିତ୍ରପୁର, ଟିଟଲାଗଡ଼, ବାଲେଶ୍ବରରୁ ଶିଳ୍ପୀମାନେ ନିଜ ଘରୁ ନୃତ୍ୟ ଭେଟିଦେବେ। ସଂପ୍ରତି ଲକ୍‌ଡାଉନ ପାଇଁ ସମସ୍ତେ ଘରେ ରହିଥିବା ବ‌େଳେ ନୃତ୍ୟଗ୍ରାହୀ ଦର୍ଶକଙ୍କୁ ସିଧାସଳଖ ନୃତ୍ୟ ଭେଟିଦେବାର ଏହି ଆୟୋଜନ କରାଯାଇଛି। ଦର୍ଶକ ଘରେ ରହି ଫେସବୁକରେ ଲାସ୍ୟକଳା ଡ୍ୟାନ୍ସ ଭିଜନରୁ ଏହି ନୃତ୍ୟର ମଜା ନେଇପାରିବେ ବୋଲି ଶ୍ରୀ ଜୋଷୀ କହିଛନ୍ତି।

ସମ୍ବନ୍ଧିତ ଖବର