ମହଙ୍ଗା ହେଲା ମେଡିକାଲ ପାଠପଢ଼ା, ଛାତ୍ରଛାତ୍ରୀଙ୍କୁ ଏଣିକି ଅଧିକ ଫି’ ଦେବାକୁ ପଡ଼ିବ

ଭୁବନେଶ୍ୱର : ମହଙ୍ଗା ହେଲା ମେଡିକାଲ ପାଠପଢ଼ା। ଓଡ଼ିଶାରେ ଥିବା ସରକାରୀ ମେଡିକାଲ କଲେଜରେ ପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅଧିକ ଫି’ ଦେବାକୁ ପଡ଼ିବ। ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଲାଗି ୪୯ ପ୍ରତିଶତ ଫି’ ବୃଦ୍ଧି କରାଯାଇଛି। ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ମଧ୍ୟ ୨୭.୮୦% ଫି’ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପଟେ କରୋନା ମାଡ଼ରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ବେଳେ ଅନ୍ୟପଟେ ଫି’ ବୃଦ୍ଧି ଅଭିଭାବକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଓଡ଼ିଶାରେ ମେଡିକାଲ ପାଠପଢ଼ା ଫି’ ଅଧିକ ରହୁଥିବାରୁ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ବାହାର ଦେଶକୁ ଯାଇ ଶିକ୍ଷା ଗ୍ରହଣ କରୁଛନ୍ତି। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଚୀନ୍‌, ୟୁକ୍ରେନ୍‌, ଫିଲିପାଇନ୍ସ, ଜର୍ମାନୀ, ରୁଷ୍‌ ଭଳି ଦେଶକୁ ଯାଉଛନ୍ତି। ଆଉ ସେଠାରୁ ଶିକ୍ଷା ଗ୍ରହଣ କରିବା ପରେ ଡାକ୍ତର ହେବାର ସ୍ବପ୍ନ ଦେଖୁଛନ୍ତି। ବହୁ କମ୍‌ ପିଲାଙ୍କୁ ସଫଳତା ମିଳୁଥିବା ବେଳେ ଅଧିକାଂଶଙ୍କୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ୁଛି। ଓଡ଼ିଶାରେ ମହଙ୍ଗା ଶିକ୍ଷା ପାଇଁ ଏବେ ୟୁକ୍ରେନ୍‌ରେ ଶହ ଶହ ଓଡ଼ିଆ ଛାତ୍ରଛାତ୍ରୀ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ମେଡିକାଲ ଶିକ୍ଷାର ଏଭଳି ଏକ ଘଡ଼ିଷନ୍ଧି ମୂହୁର୍ତ୍ତରେ ରାଜ୍ୟ ସରକାର ଫି’ ବୃଦ୍ଧି କରିବା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ସେପଟେ ସରକାରୀ କଲେଜର ଫି’ ବୃଦ୍ଧିକୁ ଦେଖି ଘରୋଇ ମେଡିକାଲ କଲେଜ ଏବେ ଫି’ ବଢ଼ାଇବାକୁ ଅଣ୍ଟା ଭିଡ଼ିଲେଣି।

ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଫି’ ୪୯% ବୃଦ୍ଧି
ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଫି’ ୨୮% ବଢ଼ିଲା
ସରକାରୀ କଲେଜରେ ଫି’ ବୃଦ୍ଧି କରିବାକୁ ନିଷ୍ପତ୍ତି

ସୁପର ସ୍ପେସିଆଲିଟି ପାଠ୍ୟକ୍ରମର ନାମଲେଖା ‌ସମେତ ଅନ୍ୟ ସମସ୍ତ ଫି’କୁ ବଢ଼ାଇ ଦିଆଯାଇଛି। ମେଡିକାଲ କଲେଜର ଉଭୟ ସରକାରୀ ଓ ବେସରକାରୀ ଫି’ ବୃଦ୍ଧି ଘଟିଛି। ସୁପର ସ୍ପେସିଆଲିଟି ଛାତ୍ରଛାତ୍ରୀଙ୍କ ୱାନ୍‌ ଟାଇମ୍‌ ନାମଲେଖା ଫି’ ଦୁଇଗୁଣ ବଢ଼ିଛି। ଅର୍ଥାତ୍‌ ପୂର୍ବରୁ ୨୫୦୦ ଟଙ୍କା ଥିବା ବେଳେ ଏବେ ୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ବାର୍ଷିକ ଟ୍ୟୁସନ ଫି’ ୩୦ ହଜାରରୁ ୪୦ ହଜାରକୁ ବଢ଼ିଥିବା ବେଳେ ଲାଇବ୍ରେରି ଫି’ ୬୦୦ରୁ ୩ ହଜାର, ଜର୍ଣ୍ଣାଲ ଫି’ ୧ ହଜାରରୁ ୩୫୦୦କୁ ବଢ଼ାଇ ଦିଆଯାଇଛି। ସରକାରୀ ଫି’ ବାବଦରେ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ୩୪ ହଜାର ୧୦୦ ଟଙ୍କା ଦେବାକୁ ପଡ଼ୁଥିଲେ। ଏଣିକି ୫୧ ହଜାର ୫୦୦ ଟଙ୍କା ଦେବାକୁ ହେବ। ବେସରକାରୀ ଫି’ କଥା ଯଦି ଦେଖିବା ୱାନ୍‌ ଟାଇମ୍‌ ସିକ୍ୟୁରିଟି ଡିପୋଜିଟ୍‌(ଫେରସ୍ତ ପାଇବେ) ୧୦ରୁ ୧୨ ହଜାର ଟଙ୍କାଙ୍କୁ ବଢ଼ିଛି। ଛାତ୍ର ସଂସଦ ଫି’ ୬୦୦ରୁ ୨ ହଜାର, ଏକାଡେମିକ ସୋସାଇଟି ଫି’ ୩୦୦ରୁ ୧୦୦୦, ଡ୍ରାମାଟିକ୍‌ ସୋସାଇଟି ଫି’ ୩୦୦ରୁ ୧୦୦୦, ଓଡ଼ିଶା ରେଡ୍‌କ୍ରସ ସୋସାଇଟି ଫି’ ୧୦୦ରୁ ୨୦୦ ଟଙ୍କା ହୋଇଛି। ପରିଚୟପତ୍ର ବାବାଦରେ ଫି’ ବୃଦ୍ଧି ହୋଇନି। ବେସରକାରୀ ଫି’ ୧୧ ହଜାର ୪୦୦ରୁ ୧୬ ହଜାର ୩୦୦କୁ ବୃଦ୍ଧି ପାଇଛି। ମୋଟ ଉପରେ ଦେଖିବାକୁ ଗଲେ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଫି’ ୬୭ ହଜାର ୮୦୦ ଟଙ୍କା ହୋଇଛି।

ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ କଥା ଯଦି ଦେଖିବା ସରକାରୀ ଫି’ ବାବଦରେ ପୂର୍ବରୁ ୧୮ ହଜାର ୧୦୦ ଟଙ୍କା ଥିବା ବେଳେ ଏବେ ୨୪ ହଜାରକୁ ବଢ଼ିଛି। ୱାନ୍‌ ଟାଇମ୍‌ ନାମଲେଖା ଫି’ ୧୦୦୦ରୁ ୧୫୦୦ ଟଙ୍କା ହୋଇଛି। ବାର୍ଷିକ ଟ୍ୟୁସନ ଫି’ ୧୭ ହଜାରରୁ ୨୨ ହଜାରକୁ ବଢ଼ିଛି। ଉତ୍ତର ଖାତା ଫି’ ୫୦୦ ଟଙ୍କାକୁ ବୃଦ୍ଧି ହୋଇଛି। ବେସରକାରୀ ଫି’ ବାବଦରେ ୱାନ୍‌ ଟାଇମ୍‌ ସିକ୍ୟୁରିଟି ଡିପୋଜିଟ୍‌ରେ କୌଣସି ପରିବର୍ତନ ହୋଇ ନାହିଁ। ଛାତ୍ର ସଂସଦ ଫି’ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏକାଡେମିକ ସୋସାଇଟି ଫି’ ୫୦୦, କ୍ରୀଡ଼ା ଫି’ ୫୦୦, ମାଗାଜିନ୍‌ ଫି’ ୪୦୦, ସାଂସ୍କୃତିକ ଫି’ ୪୦୦, ଅଡିଓ ଭିଜୁଆଲ ସୋ‌ସାଇଟି ଫି’ ୪୦୦, ଡ୍ରାମାଟିକ୍‌ ସୋସାଇଟି ଫି’ ୪୦୦, ଓଡ଼ିଶା ରେଡକ୍ରସ ସୋସାଇଟି ଫି’ ୨୦୦, ଷ୍ଟୁଡେଣ୍ଟ ଏଡ୍‌ ଫଣ୍ଡ ଫି’ ୫୦ ଟଙ୍କା କରାଯାଇଛି। ପରିଚୟପତ୍ର ବାବାଦରେ ଫି’ ବୃଦ୍ଧି ହୋଇ ନାହିଁ। ଏମ୍‌ବିବିଏସ୍‌/ବିଡିଏସ୍‌ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ୨୯ ହଜାର ୬୯୪ ଟଙ୍କା ଦେଉଥିଲେ। ଏଣିକି ଏବାବଦରେ ୩୭ ହଜାର ୯୫୦ ଟଙ୍କା ଦେବାକୁ ହେବ। ସେହିପରି ହଷ୍ଟେଲ ଫି’ ୧୦ ହଜାରରୁ ୧୪ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର