ରାଜ୍ୟ ବାହାରୁ ଗଞ୍ଜାମକୁ ଫେରିବେ ୨.୮ଲକ୍ଷ, ଶତ ପ୍ରତିଶତ ସ୍କ୍ରିନିଂ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ

ଗୁଜରାଟରୁ ୧.୧୮ଲକ୍ଷ, ମହାରାଷ୍ଟ୍ରରୁ ୨୬ହଜାର, ପଶ୍ଚିମବଙ୍ଗରୁ ୨୧୦୦

ବ୍ରହ୍ମପୁର/ଛତ୍ରପୁର : ଆଗୁଆ ପଦକ୍ଷେପ ନେଇ ଗଞ୍ଜାମ ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି ଜିଲ୍ଲା ପ୍ରଶାସନ। କିନ୍ତୁ ଲକ୍‌ଡାଉନ୍‌ ପରେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦାଦନ ଶ୍ରମିକ ଓ ଲୋକମାନେ ଜିଲ୍ଲାକୁ ଫେରିବେ। ରାଜ୍ୟକୁ ୫ଲକ୍ଷ ଓଡ଼ିଆ ଫେରିବେ ବୋଲି ରାଜ୍ୟ ସରକାର ପ୍ରାକ୍‌ ଆକଳନ କରିଛନ୍ତି। ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାକୁ ୨ଲକ୍ଷ ୮୦ହଜାର ଫେରିବେ ବୋଲି ଜିଲ୍ଲା ପ୍ରଶାସନା ସର୍ଭେରୁ ଜଣାପଡ଼ିଛି। କରୋନା ସ˚କ୍ରମଣ ଚେନ୍‌ ଭାଙ୍ଗିବାକୁ ବାହାରା ରାଜ୍ୟ ଫେରନ୍ତାଙ୍କ ଶତ ପ୍ରତିଶତ ସ୍କ୍ରିନି˚ କରିବା ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ।

କରୋନା ହଟ୍‌ସ୍ପଟ୍‌ ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ ଦିଲ୍ଲୀ ପ୍ରଭୃତି ସ୍ଥାନରୁ ଗଞ୍ଜାମ ଜିଲ୍ଲାକୁ ଅଧିକ ଲୋକ ଆସିବେ। ଏଣୁ ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ପ୍ରଶାସନ ରାଜ୍ୟ ବାହର ଫେରନ୍ତାଙ୍କ ଲାଗି କଠୋର ସର୍ତ୍ତାବଳୀ କାର୍ଯ୍ୟକାରୀ କରିବା ଲାଗି ସ୍ଥିର କରିଛି। ପଞ୍ଜୀକରଣ ନ କଲେ ଜିଲ୍ଲାକୁ ଆସିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ବାହାର ଫେରନ୍ତା କୌଣସି ସ୍ଥାନୀୟ ଲୋକ ସହ କଥା ହେବେ ନାହିଁ କି ମିଶିବେ ନାହିଁ। କ୍ବାରାଣ୍ଟିନ୍ କେନ୍ଦ୍ର ପରିସୀମା ମଧ୍ୟରୁ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ। ଆବଶ୍ୟକ ସ୍ଥଳେ କ୍ଵାରାଣ୍ଟିନ୍ କେନ୍ଦ୍ର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରିବା ଲାଗି ଜିଲ୍ଲା ପ୍ରଶାସନ ସ୍ଥିର କରିଛି। ରେଳଷ୍ଟେସନ୍‌ରେ ସ୍ବାସ୍ଥ୍ୟ ପରୀକ୍ଷା କରି ସ୍ବତନ୍ତ୍ର ବସ୍‌ ଯୋଗେ ସିଧା ପଞ୍ଚାୟତ ସଙ୍ଗରୋଧକୁ ପଠାଯିବ। ‌ତେବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର କଟକଣା ଯୋଗୁଁ ରାଜ୍ୟ ବାହାର ଫେରନ୍ତା ସିଧା ଟ୍ରେନ୍‌ରେ ନ ଆସି ଗଳାବାଟ କିମ୍ବା ସଡ଼କ ପଥରେ ଆସିବା ସମ୍ଭାବନା ଅଧିକ ରହୁଛି। ବିଶେଷ କରି ସୁରତ୍‌ ଓ ମୁମ୍ବାଇ ଆଦି ଅଞ୍ଚଳରୁ ଫେରିବାକୁ ଥିବା ଲୋକମାନେ ଯାଞ୍ଚ ଓ କଟକଣାରୁ ବର୍ତ୍ତିବା ଲାଗି ଜିଲ୍ଲା ବାହାର ରେଳ ଷ୍ଟେସନ ଇଛାପୁର ଓ ବାଲୁଗାଁରେ ଓହ୍ଲାଇ ସଡ଼କ ପଥରେ ଜିଲ୍ଲାକୁ ଆସିପାରନ୍ତି। ଦ୍ବିତୀୟରେ ରାଜ୍ୟ ବାହାର ଫେରନ୍ତା ବି ବସ୍‌ ଏବଂ ବିଭିନ୍ନ ଗାଡ଼ି ଭଡ଼ା ସଡ଼କ ପଥରେ ଫେରିବାର ସମ୍ଭାବନା ବି ଅଧିକ ରହୁଛି। ଏଣୁ ଯାଞ୍ଚକୁ କଡ଼ାକଡ଼ି କରିବା ଜରୁରୀ ହୋଇପଡ଼ିଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରି ଜିଲ୍ଲାକୁ ଲାଗି ରହିଥିବା ଷ୍ଟେସନଗୁଡ଼ିକରେ ବି ଯାଞ୍ଚ୍‌ କଡ଼ାକଡ଼ି କରିବା ଆବଶ୍ୟକତା ରହିଛି। ବିଶେଷ କରି ପଞ୍ଜୀକରଣ ନ କରି ଜିଲ୍ଲାକୁ କୌଣସି ଶ୍ରମିକ ଆସିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ରାଜ୍ୟ ବାହାର ଫେରନ୍ତାଙ୍କ ସଂକ୍ରାନ୍ତରେ ସବିଶେଷ ତଥ୍ୟ ପାଇବା ଲାଗି ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅଧିକ ରୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି।

ଗତ ମାର୍ଚ୍ଚ ୨୨ରୁ ଜନତା କର୍ଫ୍ୟୁ ଦିନରୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଲକ୍‌ଡାଉନ୍‌ ମେ ୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ଅଛି। ଏହା ପରେ ଲକ୍‌ଡାଉନ୍‌ ହଟିବା କ୍ଷଣି ଟ୍ରେନ୍‌, ବସ୍‌ ଯୋଗେ ବାହାର ରାଜ୍ୟରୁ ଲୋକଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସର୍ଭେ କରା ଯାଇଥିଲା। ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀଙ୍କ ଜରିଆରେ ତଥ୍ୟ ସ˚ଗ୍ରହ ହୋଇଥିଲା। ଜିଲ୍ଲା ପ୍ରଶାସନର ପ୍ରାକ୍‌ ଆକଳନ ଅନୁଯାୟୀ ଜିଲ୍ଳାକୁ ପ୍ରାୟ ୨ଲକ୍ଷ ୮୦ହଜାର ଲୋକ ଫେରିବେ। ଆନ୍ଧ୍ରପ୍ରଦେଶରୁ ୯୫୩୪, ବିହାରରୁ ୨୦୨, ଛତିଶଗଡ଼ରୁ ୨୫୧୦ , ଦିଲ୍ଲୀରୁ ୧୫୧୧ ଏବ˚ ଗୋଆରୁ ୬୨୯ ଜଣ ଫେରିବେ। ଜିଲ୍ଲାକୁ ଗୁଜରାଟରୁ ସର୍ବାଧିକ ୧ଲକ୍ଷ ୧୮ହଜାର ୮୯୬ଜଣ ଫେରିବା ସମ୍ଭାବନା ଅଛି। ହରିଆନାରୁ ୨୨୨, ଜମ୍ମୁକଶ୍ମୀରରୁ ୮୬, ଝାଡ଼ଖଣ୍ତରୁ ୨୧୧ଜଣ , କର୍ଣ୍ଣାଟକରୁ ୧୩,୩୧୬ଜଣ, କେରଳରୁ ୧୯,୭୯୮ ଜଣ, ପଶ୍ଚିମବଙ୍ଗରୁ ୨୧୩୦ଜଣ ଫେରିବାର ସମ୍ଭାବନା ରହିଛି। ସେହିପରି ମଧ୍ୟ ପ୍ରଦେଶରୁ ୧୬୯ଜଣ, ମହାରାଷ୍ଟ୍ରରୁ ୨୬ହଜାର ୭୩୫ଜଣ, ପଞ୍ଜାବରୁ ୨୧୯ଜଣ, ରାଜସ୍ଥାନରୁ ୨୦୧ଜଣ, ସିକିମ୍‌, ନାଗାଲାଣ୍ତ, ମିଜୋରାମ୍‌ରୁ ୨୮୧ଜଣ, ତାମିଲନାଡ଼ୁରୁ ୧୬ହଜାର ୫୬ଜଣ ଫେରିବାର ସମ୍ଭାବନା ରହିଛି। ଉତ୍ତରାଖଣ୍ତରୁ ୯୩ଜଣ, ଉତ୍ତରପ୍ରଦେଶରୁ ୨୩୧ଜଣ ଏବ˚ ଅନ୍ୟାନ ସ୍ଥାନରୁ ୪୭୬୨ଜଣ ଫେରିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୬ହଜାର ୩୭୧ଜଣ ଲୋକ ଗଞ୍ଜାମକୁ ଫେରିବେ ବୋଲି ଆକଳନ ହୋଇଛି। ଜିଲ୍ଲାର ସୋରଡ଼ା ବ୍ଲକ ଅଞ୍ଚଳକୁ ସର୍ବାଧିକ ୩୨ହଜାର ୧୦ଜଣ ‌ଫେରିବା ସମ୍ଭାବନା ଅଛି। ଏଥିରୁ ୧୬ହଜାର ୯୧୭ କେବଳ ଗୁଜରାଟରୁ ଫେରିବେ।

ସମ୍ବନ୍ଧିତ ଖବର