ଓଡ଼ିଶାର ଚେକ୍‌ ପଏଣ୍ଟରେ ବାହାର ରାଜ୍ୟର ଶ୍ରମିକଙ୍କୁ ଦିଆଯାଉଛି ଚାଉଳ ଓ ଚଣା

ଭୁବନେଶ୍ୱର : ଓଡ଼ିଶା ଚେକ୍‌ ପଏଣ୍ଟ ଦେଇ ଯାଉଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ମାସକୁ ମୁଣ୍ଡ ପିଛା ୫ କେଜି ଚାଉଳ ଓ ପରିବାର ପିଛା ଏକ କିଲୋ ଚଣା ହିସାବରେ ୨ ମାସ ପାଇଁ ୧୦ କେଜି ଚାଉଳ ଓ ୨ କେଜି ଚଣା ବିନା ମୂଲ୍ୟରେ ବଣ୍ଟନ କରାଯାଉଛି। ପ୍ରବାସୀ ଶ୍ରମିକ, ଯେଉଁମାନେ ଓଡ଼ିଶା ମଧ୍ୟ ଦେଇ ନିଜ ରାଜ୍ୟକୁ ଫେରୁଛନ୍ତି, ସେମାନଙ୍କୁ ଚେକ୍‌ ପଏଣ୍ଟରେ ଚାଉଳ ଓ ଚଣା ଯୋଗାଇଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୀମାବର୍ତ୍ତୀ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟର ୧୧ଟି ଜିଲ୍ଲାର ୧୨ଟି ଚେକ୍‌ ପଏଣ୍ଟରେ ଏହା କାର୍ଯ୍ୟକାରୀ ହେଉଛି। ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ଓଡ଼ିଶା ମଧ୍ୟ ଦେଇ ଯେପରି ସୁବିଧାରେ ନିଜ ରାଜ୍ୟକୁ ଫେରି ପାରି‌‌‌ବେ, ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଯେଉଁ ପ୍ରବାସୀଙ୍କୁ ଚାଉଳ ଓ ଚଣା ବଣ୍ଟନ କରାଯାଉଛି, ସେମାନଙ୍କ ବାମ ହାତର ମଝି ଆଙ୍ଗୁଳିରେ ଅଲିଭା କାଳି ଲଗା ଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଯିବା ଆସିବା ପାଇଁ ସୁନ୍ଦରଗଡ଼ର ବୀରମିତ୍ରପୁର, କେନ୍ଦୁଝରର ଚମ୍ପୁଆ, କୋରାପୁଟର ଚାନ୍ଦିଲି, ଗଞ୍ଜାମର ଗିରିଶୋଲା, ମୟୂରଭଞ୍ଜର ଜାମଶୋଳା, ଝାରସୁଗୁଡ଼ାର କନକତୋରା, ରାୟଗଡ଼ାର କେରେଡା, ନୂଆପଡ଼ାର ଖରିଆର ରୋଡ୍‌, ବାଲେଶ୍ୱରର ଲକ୍ଷ୍ମଣନାଥ, ବରଗଡ଼ର ଲୋହାରଚୋଟି, ମାଲକାନଗିରିର ମୋଟୁ ଓ କୋରାପୁଟର ଶୁଙ୍କିଠାରେ ଚେକ୍‌ ପଏଣ୍ଟ ଖୋଲା ଯାଇଛି।

ସମ୍ବନ୍ଧିତ ଖବର