ପ୍ରବାସୀ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ନଦେଖାଇଲେ ୭ଦିନ ସଙ୍ଗରୋଧ ବାଧ୍ୟତାମୂଳକ

ଛତ୍ରପୁର/ଭଞ୍ଜନଗର: ଏଣିକି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ କୋଭିଡ୍ ଆର୍‌ଟିପିସିଆର୍ ଟେଷ୍ଟର ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ। ନ‌ଚେତ୍ ତାଙ୍କୁ ୭ ଦିନ ପାଇଁ ସଙ୍ଗରୋଧରେ ବାଧ୍ୟତାମୂଳକ ଭାବେ ରଖାଯିବ। କରୋନାର ଦ୍ବିତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମହାମାରୀର ପ୍ରାଦୁର୍ଭାବରେ ଜନସାଧାରଣ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ପୃଥକ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବାହାର ରାଜ୍ୟରୁ ଟ୍ରେନ୍,ବସ୍‌ ଓ ବିମାନରେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା  ପ୍ରବାସୀ ୭୨ ଘଣ୍ଟା ମଧ୍ୟରେ ‌ହୋଇଥିବା ଆର୍‌ଟିପିସିଆର୍ ଟେଷ୍ଟ୍ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ କିମ୍ବା କୋଭିଡ଼ର ଶେଷ ଟିକା ନେଇଥିବା ନେଇ ପ୍ରମାଣପତ୍ର ଦେବାକୁ ପଡ଼ିବ। ନଚେତ୍ ତାଙ୍କୁ ଘରୋଇ କିମ୍ବା ସରକାରୀ ସଙ୍ଗରୋଧରେ ରହିବାକୁ ପଡ଼ିବ। ଯାତ୍ରୀମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍‌ଣ ଦୃଷ୍ଟି ରଖାଯିବ। ଆସନ୍ତାକାଲିଠୁ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଗିରିସୋଲା ଏବଂ ଖଲ୍ଲିକୋଟ ନିକଟ ଗୁରାପଲ୍ଲୀ ଠାରେ କଡାକଡ଼ି ଯାଞ୍ଚ ଆରମ୍ଭ ହେବ। ସଙ୍ଗରୋଧରେ ରହିବା ଲାଗି ପ୍ରତି ବ୍ଲକରେ ୧୦୦ ଶଯ୍ୟା ବିଶିଷ୍ଟ ଏବଂ ସହରା‌ଞ୍ଚଳରେ ୫୦ ଶଯ୍ୟା ବିଶିଷ୍ଟ କ୍ଲଷ୍ଟରସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ସେଠାରେ ସ୍ବାସ୍ଥ୍ୟସେବା ସମେତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ।
ଛତ୍ରପୁର ଉପଖଣ୍ତସ୍ତରରେ ଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକରେ ନିଜ ଖର୍ଚ୍ଚରେ କୋଭିଡ୍ କେୟାର ସେଣ୍ଟର୍ ଖୋଲାଯିବ। ଏଥିସହ କରୋନା ଆକ୍ରାନ୍ତ ଓ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଭଞ୍ଜନଗର ଉପଖଣ୍ଡର ୨ଟି ସ୍ଥାନରେ ଡେଡ଼ିକେଟେଡ୍ କୋଭିଡ କେୟାର୍ କେନ୍ଦ୍ର (ଡିସିସି)ଖୋଲାଯାଇଛି। ଭଞ୍ଜନଗର ଏସ୍‌ଟି ମହିଳା ଛାତ୍ରୀନିବାସ, ବାଳକ ଛାତ୍ରବାସ ଏବଂ ଆସିକାର ବାବନପୁର ଠାରେ ଥିବା ଲେପର୍ସି ହସ୍ପିଟାଲ୍‌କୁ ଡିସିସି କରାଯାଇଛି। ଛତ୍ରପୁର ଉପଖଣ୍ତସ୍ତରରେ ହିଞ୍ଜିଳି ପୁରୁଣା ଡାକ୍ତରଖାନାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର୍ ସେଣ୍ଟର୍ କାର୍ଯ୍ୟକ୍ଷମ ହୋଇଛି। ବର୍ତ୍ତମାନ ବାହାର ରାଜ୍ୟରୁ ଗ୍ରାମକୁ ଆସୁଥିବା ପ୍ରବାସୀଙ୍କ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯିବା ସହ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି। ପଞ୍ଚାୟତ ଅଫିସ୍‌ରେ ସେମାନଙ୍କ ସବିଶେଷ ତଥ୍ୟ ରହିବ। ଛତିଶଗଡ଼ ସୀମା ଦେଇ ଆସୁଥିବା ସମସ୍ତ ଯାନବାହନ ଯାତାୟାତକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟବସାୟୀ ମା‌ନେ ପଞ୍ଚସୂତ୍ରୀ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ଦୋକାନକୁ ସପ୍ତାହକ ପାଇଁ ବନ୍ଦ ରଖାଯିବ।
ଅନ୍ୟପକ୍ଷରେ ଆଗାମୀ ଦିନରେ ମାସ୍କ୍ ଯାଞ୍ଚ ଜୋରଦାର ହେବ। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ଉପଖଣ୍ଡର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାଛଡା ସମସ୍ତ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ବୋଲି ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି। ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡେପୁଟି କଲେକ୍ଟର୍ ବିଶ୍ୱରଞ୍ଜନ କହଁର ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଉପସ୍ଥିତ ଥିଲେ।  ସେହିପରି ଛତ୍ରପୁରରେ ସାମ୍ବାଦିକ ସମ୍ମିଳନୀରେ ଆସିଷ୍ଟାଣ୍ଟ୍ କଲେକ୍ଟର ବିକ୍ରମ କୁମାର ଦୋରା ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର