୧୨ ଟ୍ରେନ୍‌ ପଠାଇଲେ, ଓଡ଼ିଶାକୁ ଖବର ଦେଲେନି

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ସୂଚନା ଦେଲେନାହିଁ। ‌ତେଲେଙ୍ଗାନାରୁ ୧୨ଟି ଟ୍ରେନରେ ୨୦ହଜାର ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ଓଡ଼ିଶା ସରକାରଙ୍କୁ ନଜଣାଇ ତେଲେଙ୍ଗାନା ସରକାର ଏଭଳି ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାର ଭୀଷଣ କ୍ଷୁବ୍ଧ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବିନା ସୂଚନାରେ ରାଜ୍ୟକୁ ପ୍ରବାସୀ ଓଡିଆ ଆସିବା ଫଳରେ ଅନେକ ସମସ୍ୟା ହେଉଛି। ବିନା ସୂଚନାରେ ଆସୁଥିବାରୁ ସରକାରଙ୍କ ସୁବିଧା (ଯାହା କୋଭି଼ଡ଼-୧୯ ପାଇଁ ସରକାର ପୂର୍ବରୁ ଘୋଷଣା ହୋଇଥିଲା) ଏମାନଙ୍କୁ ମିଳିନପାରେ। ମାଗଣା ଟିକଟ ସୁବିଧା ମଧ୍ୟ ଏମାନେ ପାଇନପାରନ୍ତି। ପୂର୍ବରୁ ଓଡ଼ିଶାର ବିଭିନ୍ନ ରାଜ୍ୟରେ ଅଟକିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ କେବଳ ଗଞ୍ଜାମର ଲୋକଙ୍କୁ ଅଣାଯାଉଥିବା ଅଭିଯୋଗ ଆଣି ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରିକି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା ବିଜୟ ମହାପାତ୍ରଙ୍କ ସମେତ ଅନେକ ନେତା ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆପତ୍ତି ଜଣାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ଏବେ ଏହି ନୂଆ ପ୍ରସଙ୍ଗ ସହିତ ପ୍ରବାସୀ ଶ୍ରମିକ ଫେରିବା ଘଟଣାକୁ ନେଇ ବିବାଦ କ୍ରମଶଃ ଉଗ୍ର ରୂପ ଧାରଣ କରିବାରେ ଲାଗିଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇବା ପାଇଁ ସମସ୍ୟା ଉପୁଜିବା, ରାସ୍ତା ଉପରେ ଶ୍ରମିକମାନଙ୍କର କଷ୍ଟ ଦ୍ବିଗୁଣିତ ହେବା ସ୍ଥିତି ଦେଖି କେନ୍ଦ୍ର ସରକାର ଇତିମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କଟକଣା କୋହଳ କରି କହିଛନ୍ତି ଯେ ଯେଉଁ ରାଜ୍ୟକୁ ଶ୍ରମିକ ଫେରିବେ ସେରାଜ୍ୟର ଅନୁମତି ଆଉ ଆବଶ୍ୟକ ନାହିଁ। ଏହି କ୍ରମରେ ତେଲେଙ୍ଗାନାରୁ ଗତକାଲି ଓ ଆଜି ମୋଟ ୧୨ଟି ଟ୍ରେନ୍ ଛାଡ଼ିଛି, ଯେଉଁଥିରେ ପାଖାପାଖି ୨୦ହଜାରରୁ ଅଧିକ ପ୍ରବାସୀ ଫେରୁଛନ୍ତି। ହେଲେ ଅନୁମତି ଦରକାର ନାହିଁ ବୋଲି ତେଲେଙ୍ଗାନା ସରକାର ଓଡ଼ିଶା ସରକାରଙ୍କୁ ଏ ସଂପର୍କରେ ସର୍ବନିମ୍ନ ସୌଜନ୍ୟ ପ୍ରକାଶ କରି ଅବଗତ ମଧ୍ୟ କରିନାହାନ୍ତି। ଗତକାଲି ରେଳବାଇ ସୂତ୍ରରୁ ଖବର ପାଇବା ପରେ ସରକାରଙ୍କ ମୁଣ୍ଡ ଗୋଳମାଳ ହୋଇଯାଇଛି। କାରଣ, ଆସୁଥିବା ଶ୍ରମିକମାନେ ସିଟ୍ ଠାରୁ କେବଳ ଅଧିକ ଆସୁଛନ୍ତି ତା ନୁହେଁ, କେଉଁ ଷ୍ଟେସନରେ କେତେ ଶ୍ରମିକ ଓହ୍ଲାଇବେ, କେଉଁ ଗ୍ରାମକୁ ଯିବେ ସେ ସଂକ୍ରାନ୍ତରେ ସରକାରଙ୍କ ପାଖରେ କିଛି ଖବର ନାହିଁ। ସରକାରୀ ଅଧିକାରୀମାନଙ୍କର କହିବା କଥା, ଏଭଳି ପରିସ୍ଥିତିରେ ସଂପୃକ୍ତ ଶ୍ରମିକଙ୍କୁ ଷ୍ଟେସନରୁ ଆଣିବା ପାଇଁ କେତେ ବସ ପଠାଯିବ, ସଙ୍ଗରୋଧରେ କିଭଳି ବ୍ୟବସ୍ଥା କରାଯିବ, ତାହା ଏବେ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି। ଅନୁମତି ନ ନେଲେ ନାହିଁ, ସାମାନ୍ୟ ସୂଚନା ଦେବାରେ କିଛି ସମସ୍ୟା ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏବେ ସମସ୍ୟାଟି ହେଉଛି, ତେଲେଙ୍ଗାନା ସରକାରଙ୍କର କ୍ଷେତ୍ରରେ ହୋଇଥିବା ତ୍ରୁଟିର ପରିଣାମ ନିରୀହ ପ୍ରବାସୀ ଭୋଗିବେ।

ପୂର୍ବରୁ ଅଭିଯୋଗ ହୋଇଥିଲା ଯେ ୧୦ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜୀକରଣ କରିଥିଲେ ହେଁ ସେମାନଙ୍କୁ ଫେରାଇଆଣିବା ଲାଗି ଓଡ଼ିଶା ସରକାର ଯେଭଳି ତତ୍ପରତା ଦେଖାଇବା କଥା ତାହା ପରିଦୃଷ୍ଟ ହେଉନାହିଁ। ବିଶେଷକରି ଗଞ୍ଜାମର ଲୋକଙ୍କୁ ଆଣିବା ଦିଗରେ ବେଶି ଆଗ୍ରହ ଦେଖାଉଥିବା କୁହାଯାଉଥିଲା। ଏ କ୍ଷେତ୍ରରେ କେନ୍ଦ୍ରାପଡ଼ାକୁ ଅବହେଳା କରାଯାଉଥିବା ନେତାମାନେ ଗର୍ଜିଥିଲେ। ଏବେ କିନ୍ତୁ ତେଲେଙ୍ଗାନା ପ୍ରସଙ୍ଗ ଏହି ପ୍ରବାସୀ ବିବାଦକୁ ନୂଆ ମୋଡ଼ ଦେଇଛି।

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତକାଲି ସୁଦ୍ଧା ୭୭ ଟ୍ରେନରେ ପ୍ରବାସୀ ଫେରିଥିଲେ। ଆଜିକୁ ମିଶାଇଲେ ଏହା ୧୦୦ ପାଖାପାଖି ଛୁଇଁଯାଇପାରେ। ଗତକାଲି ୧୭ ହଜାର ୭୦୬ ଲୋକ ଫେରିଥିଲେ। ଏଥିସହିତ ୨ଲକ୍ଷ ୫୫ ହଜାର ୪୦୪ ଜଣ ରାଜ୍ୟକୁ ଫେରିଥିଲେ। ଏହା ମୋଟ ପଞ୍ଜୀକୃତ ଶ୍ରମିକଙ୍କର ପାଖାପାଖି ୨୦ ପ୍ରତିଶତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର