ନାବାଳିକା ଦୁଷ୍ମର୍ମ ଓ ହତ୍ୟାକାଣ୍ଡରେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ : ଶୁଣାଣି ପାଇଁ ଅପିଲ୍‌ ଗ୍ରହଣ କଲେ ହାଇକୋର୍ଟ

କଟକ : ଜଗତସିଂହପୁର ଜିଲ୍ଲା ଏରସମା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି କାଳିଆ ମାନ୍ନା ଓରଫ ଲବ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଏଥିସହିତ ଫାଶୀ ଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଆବେଦନରେ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି। କାଳିଆଙ୍କ ପକ୍ଷରୁ ଶୁଣାଣି ସମୟରେ ଉପସ୍ଥିତ ଆଇନଜୀବୀ ଏହି ନୋଟିସକୁ ଗ୍ରହଣ କରିଛନ୍ତି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କାଳିଆଙ୍କ ଆବେଦନ ସହିତ ମୃତ୍ୟୁଦଣ୍ଡାଦେଶ ଅନୁମୋଦନ ସଂପର୍କିତ ମାମଲାର ଅକ୍ଟୋବର ୧୬ରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ସେପ୍ଟେମ୍ବର ୧୦ରେ ଜଗତସିଂହପୁର ଅତିରିକ୍ତ ଜିଲା ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୮ ମସିହା ମାର୍ଚ୍ଚ ୨୧ରେ ଏହି ଘଟଣା ଘଟିଥିଲା। ଏରସମା ଥାନା ଅନ୍ତର୍ଗତ ଗଡହରିଶପୁରର ୯ବର୍ଷର ନାବାଳିକା ସ୍କୁଲରୁ ଫେରି ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ କାଳିଆ ନାବାଳିକାକୁ ବଜାର ବୁଲାଇ ନେବ ବୋଲି କହି ସେଠାରୁ ଡାକି ଆଣିଥିଲା। ପୀଡିତାକୁ କାଜୁ ଜଙ୍ଗଲକୁ ନେଇ କାଳିଆ ଦୁଷ୍କର୍ମ କରିଥିଲା। ପୀଡିତା ନାବାଳିକା କାଳିଆର ଷଡଯନ୍ତ୍ର ବିଷୟରେ କିଛି ବି ଅନୁମାନ ଲାଗଇ ପାରି ନ ଥିଲା। ଦୁଷ୍କର୍ମ କରିବା ପରେ କାଳିଆ ନାବାଳିକାକୁ ହତ୍ୟା କରି ଗାଁରୁ ଫେରାର ହୋଇଯାଇଥିଲା। ଝିଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ଅନେକ ଖୋଜାଖୋଜି କରିଥିଲେ ହେଁ ପୀଡ଼ିତାର ସନ୍ଧାନ ପାଇ ନ ଥିଲେ। ଏହାପରେ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଝିଅର ମୃତଦେହକୁ ଏରସମା ପୁଲିସ କାଜୁ ଜଙ୍ଗଲରୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ବାହାରକୁ ପଳାଇ ଯାଉଥିବା ବେଳେ କାଳିଆକୁ ପୁଲିସ ବାଦାମବାଡି ବସ୍ ଷ୍ଟାଣ୍ଡରୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଲତରେ ୨୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। କାଳିଆଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ଗୟା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର