କରୋନା ସ୍ଥିତି ସମୀକ୍ଷା କଲେ ବିଧାୟକ ଅମର ଶତପଥୀ : ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଉନ୍ନତମାନର ସରଞ୍ଜାମ ଦେବାକୁ ଗୁରୁତ୍ବାରୋପ

ଯାଜପୁର : ରାଜ୍ୟରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ସଂଗରୋଧରେ ରଖିବା ପାଇଁ ସଂଗରୋଧ କେନ୍ଦ୍ର ଗୁଡିକରେ ସେବା ପ୍ରଦାନ କରୁଥିବା କ୍ଷେତ୍ର ସ୍ବାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନବାଡି କର୍ମୀଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ଓ ଅନ୍ୟ ଅଧିକାରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଗତକାଲି ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କରୋନା ମୁକାବିଲା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଧାୟକ ଅମରପ୍ରସାଦ ଶତପଥୀ ଏହା ଉପରେ ଗୁରୁତ୍ବାରୋପ କରିଛନ୍ତି। ବିଧାୟକ ଶ୍ରୀ ଶତପଥୀ କହିଛନ୍ତି ଯେ, କୋଭିଡ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସହାୟକ ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ପାଇଁ ଉନ୍ନତମାନର ମାସ୍କ, ଗ୍ଲୋବସ ଆଦି ଯୋଗାଇ ଦିଆଯାଉଥିଲେ ହେଁ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ଅଧିକ ସାମଗ୍ରୀ ଯୋଗାଇ ଦେବାର ଆବଶ୍ୟକତା ରହିଛି । କୋଭିଡ ସଂକ୍ରମଣ ଜନିତ ସମସ୍ୟାକୁ ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଅତି ସଫଳତାର ସହିତ କାର୍ଯ୍ୟ କରୁଥିବାରୁ ଦେଶରେ ଓ ଦେଶ ବାହାରେ ଏହା ପ୍ରଶଂସା ପାଉଅଛି। ଓଡ଼ିଶା ସରକାର ଗ୍ରହଣ କରୁଥିବା ଆଗୁଆ ପଦକ୍ଷେପ ଫଳରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଅତି ସୀମିତ। ଏଭଳି କାର୍ଯ୍ୟକ୍ରମ ଅଧିକ ସମୟ ଧରି ଚାଲୁ ରହିବା ସମ୍ଭାବନା ଦୃଷ୍ଟିରୁ ସ୍ବାସ୍ଥ୍ୟ କ୍ଷେତ୍ର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସଂଗରୋଧ କେନ୍ଦ୍ର ଗୁଡିକରେ ସେବାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ସୁରକ୍ଷା ପାଇଁ ଉନ୍ନତ ମାନର ମାସ୍କ, ଗ୍ଲୋବସ ଓ ସାନିଟାଇଜର ଯୋଗାଇ ଦେବା ପାଇଁ ବିଧାୟକ ଶ୍ରୀ ଶତପଥୀ କହିଛନ୍ତି।

ଏଥିସହିତ, କୋଭିଡ-୧୯ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ବିଧାୟକ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପ୍ରତି କୋଭିଡ-୧୯ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅନ୍ତତଃପକ୍ଷେ ଥରେ ସ୍ବାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଗାଡି ଓ ପୁଲିସ୍ ବିଭାଗର ଗାଡି ପହଞ୍ଚି ତଦାରଖ କରିବା ପାଇଁ ମଧ୍ୟ ବିଧାୟକ ଶ୍ରୀ ଶତପଥୀ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଜିଲ୍ଲାପାଳ ରଂଜନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅଜିତ୍ ପଶାୟତ, ବଡଚଣା ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି, ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର