ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌ ମେଡ଼ିକାଲ କଲେଜ ନିର୍ମାଣରେ ବିଳମ୍ବ : ବିଜେପିରୁ ଦୂରେଇ ଯିବେ ଦିଲୀପ!

୪/୫ ଦିନ ମଧ୍ୟରେ ନେବେ ନିଷ୍ପତ୍ତି, ବିଧାୟକ ପଦରୁ ଦେଇ ପାରନ୍ତି ଇସ୍ତଫା, ଶେଷଥର ପାଇଁ ଦିଲ୍ଲୀ ନେତାଙ୍କୁ ଭେଟିବେ

ରାଉରକେଲା : ରାଉରକେଲାର ଜୀବନରେଖା ବୋଲି କୁହାଯାଉଥିବା ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ମେଡିକାଲ କଲେଜ ନିର୍ମାଣରେ ଅହେତୁକ ବିଳମ୍ବ ସ୍ଥାନୀୟ ବିଧାୟକ ଦିଲୀପ ରାୟଙ୍କୁ କ୍ଷୁବ୍ଧ କରିଛି। ଆସନ୍ତା ୪/୫ ଦିନ ମଧ୍ୟରେ ଏ ସମ୍ପର୍କିତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ନ ଗଲେ ସେ ବିଜେପିରୁ ଦୂରେଇ ଯିବେ ପରୋକ୍ଷରେ ଧମକାଇଛନ୍ତି। ଏପରିକି ଏହି ଦାବି ହାସଲ ନ ହେଲେ ନଭେମ୍ବର ଶେଷ ଆଡକୁ ଦିଲୀପ ବିଧାୟକ ପଦବିରୁ ମଧ୍ୟ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ଯେକୌଣସି ସ୍ତରକୁ ଯି‌ବି ବୋଲି ସୂଚାଇ ‌ଶ୍ରୀ ରାୟ ମଧ୍ୟ ଏହି ଚର୍ଚ୍ଚାକୁ ବଳ ଦେଇଛନ୍ତି।

ରାଉରକେଲାରେ ‘କନକ ଟିଭି’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଧାୟକ ଶ୍ରୀ ରାୟ କହିଛନ୍ତି, ରାଉରକେଲା ସହରବାସୀଙ୍କ ଦୁଇଟି ମୁଖ୍ୟ ସମସ୍ୟା ସମାଧାନ ପାଇଁ ସେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଉନ୍ନତିକରଣ ଦାବି ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଗସ୍ତରେ ଆସିଥିବା ବେଳେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଥିଲେ। ଇତିମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଲାନାହିଁ। ଏହି ପ୍ରସଙ୍ଗରେ ସେ ବହୁବାର କେନ୍ଦ୍ରମନ୍ତ୍ରୀ, ଦଳୀୟ ପଦାଧିକାରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ଭେଟି ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ତାଙ୍କର ଦାବିକୁ ଗୁରୁତ୍ବ ମିଳିନାହିଁ। ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ମେଡିକାଲ କଲେଜ ହେଲେ ସବୁ ଶ୍ରେୟ ତା‌ଙ୍କ ପାଖକୁ ଯିବ ଏବଂ ସେଇ କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ କରାଯାଉଥିବା ପ୍ରଚାର ହେଉଥିବାରୁ ସେ ମର୍ମାହତ।

କେନ୍ଦ୍ରରେ କ୍ଷମତାରେ ଥାଇ ଏହି ଦୁଇ ଦାବି ପୂରଣ ହୋଇ ପାରୁ ନ ଥିବାରୁ ସେ ଲୋକଙ୍କୁ ମୁହଁ ଦେଖାଇ ପାରୁନାହାନ୍ତି। ଶେଷଥର ପାଇଁ ସେ ଦିଲ୍ଲୀ ଯାଇ ଏ ସମ୍ପର୍କରେ ଆଲୋଚନା କରିବେ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ସେ ୪/୫ ଦିନ ମଧ୍ୟରେ ‘ସାଇଡ୍‌’ ହେବାକୁ ନିଷ୍ପତ୍ତି ନେବେ। ସେ ଦୂରେଇ ଗଲେ ଯଦି ଉପରୋକ୍ତ ଦୁଇ ମୁଖ୍ୟ ଦାବି ପୂରଣ ହେବ, ତେବେ ସେ ଏହା କରିବାକୁ ପ୍ରସ୍ତୁତ ବୋଲି ବିଧାୟକ ଶ୍ରୀ ରାୟ କହିଛନ୍ତି। ସେ କହିଲେ, ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ଉନ୍ନତ ପ୍ରଦର୍ଶନ ନ କରୁ ବୋଲି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଚାହୁଛନ୍ତି। ତେବେ କାହା ସହିତ ତାଙ୍କର ବ୍ୟକ୍ତିଗତ ଝଗଡ଼ା ନାହିଁ। କିନ୍ତୁ ଲୋକଙ୍କ ସ୍ବାର୍ଥ ପାଇଁ ସେ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବିଧାୟକ ଶ୍ରୀ ରାୟ କହିଲେ, ରାଉରକେଲାରେ ସହରୀ ଗ୍ୟାସ୍ ବିତରଣ ପ୍ରକଳ୍ପ ପାଇଁ ସେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଶିଳାନ୍ୟାସ ଦିନ କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ। ତାଙ୍କ ଦାବି ପୂରଣ ହୋଇଥିବାରୁ ସେ ଖୁସି। କିନ୍ତୁ ଏହି ପ୍ରକଳ୍ପ ବ୍ରାହ୍ମଣୀ ସେତୁ ଓ ମେଡିକାଲ୍‌ କଲେଜ ଭଳି ହେବନାହିଁ ତ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି କାରଣରୁ ସେ ରାଉରକେଲାରେ ସହରୀ ଗ୍ୟାସ୍ ବିତରଣ ପ୍ରକଳ୍ପ ଶିଳାନ୍ୟାସ ଉତ୍ସବକୁ ଯାଇ ନ ଥିଲେ। ଯଦିଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ କେବେ ହେବ ବୋଲି ସେ ନିର୍ଦିଷ୍ଟ ଭାବେ କହିି ନ ପାରୁବାରୁ ଉତ୍ସବକୁ ଯାଇ ନ ଥିବା ବିଧାୟକ ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର