ପୁଷ୍ଟିହୀନତା ଦୂର ପାଇଁ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁଷ୍ଟିସାର ପ୍ରୋତ୍ସାହନ ଅନ୍ତର୍ଜାତୀୟ କର୍ମଶାଳା ଉଦ୍‌ଘାଟିତ, ପୁଷ୍ଟିହୀନ ମୁକ୍ତ ପଞ୍ଚାୟତକୁ ମିଳିବ ପୁରସ୍କାର

ଭୁବନେଶ୍ବର : ଶିଶୁମାନଙ୍କୁ ପୁଷ୍ଟିହୀନତାରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ। ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟ ଜୀବିକା ମିସନ ଜରିଆରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଲୋକେ ଆବଶ୍ୟକ କରୁଥିବା ପନିପରିବାଗୁଡ଼ିକୁ ନିଜ ନିଜ ବାଡ଼ି ବଗିଚାରେ ଫଳାଇବେ। ଏହାଦ୍ବାରା ଲୋକେ ସତେଜ ଓ ଜୈବିକ ପନିପରିବା ପାଇପାରିବେ। ଫଳରେ ରାଜ୍ୟରୁ ପୁଷ୍ଟିହୀନତା ଦୂର କରିବାରେ ଏପରି କାର୍ଯ୍ୟକ୍ରମ ସହାୟକ ହେବ।

ଶୁକ୍ରବାର ଅଜିମ୍ ପ୍ରେମଜୀ ଫିଲାନଥ୍ରପି ସଂସ୍ଥା ସହଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ରାଜ୍ୟ ଜୀବିକା ମିସନ ଦ୍ବାରା ଆୟୋଜିତ ପୁଷ୍ଟିସାର ପ୍ରୋତ୍ସାହନ ଅନ୍ତର୍ଜାତୀୟ କର୍ମଶାଳାକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ, ୨୦୦୫-୦୬ ବେଳକୁ ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୬୫ ଥିଲା। ୨୦୧୫-୧୬ରେ ଏଥିରେ ହ୍ରାସ ପାଇ ୪୦ରେ ପହଞ୍ଚିଛି। ଶିଶୁ ମୃତ୍ୟୁର ପ୍ରମୁଖ କାରଣ ପୁଷ୍ଟିହୀନତା ହୋଇଥିବାବେଳେ ରାଜ୍ୟକୁ କିଭଳି ପୁଷ୍ଟିହୀନ ମୁକ୍ତ କରାଯିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ କହିଥିଲେ, ପୁଷ୍ଟିହୀନ ମୁକ୍ତ ପଞ୍ଚାୟତଗୁଡ଼ିକୁ ରାଜ୍ୟ ସରକାର ଆଗାମୀ ଦିନରେ ପୁରସ୍କୃତ କରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ପୁଷ୍ଟିହୀନତା ଦୂର ଲାଗି ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଉପରେ ଗୁରୁତ୍ବ ଦେଇଥିଲେ। ଏହି କର୍ମଶାଳାରେ ଅଜିମ୍ ପ୍ରେମଜୀ ଫିଲାନଥ୍ରପି ସଂସ୍ଥାର ସିଇଓ ଆନନ୍ଦ ସ୍ବାମୀନାଥନ୍‌ଙ୍କ ସମେତ ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବାଂଲାଦେଶ ସରକାର କିପରି ‘ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ଜରିଆରେ ଲିଙ୍ଗଗତ ଭେଦ ଦୂର କରି ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ସଫଳତା ହାସଲ କରିପାରିଛନ୍ତି, ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି ପ୍ରକାଶ କରିଥିଲେ। ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମରେ ମହିଳାମାନେ ଚାଷବାସର ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିବେ ଓ ଏହା ଅଧିକ ଦୀର୍ଘ ସ୍ଥାୟୀ ହେବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର