ବେଖାତିର : ପାର୍କିଂ ନାଁରେ ରାଜଧାନୀବାସୀଙ୍କୁ ଲୁଟୁଛନ୍ତି ସପିଂ ମଲ୍‌, କେବେ ଚେତି‌ବେ ଜନତା

ଭବାନୀ ମଲ୍‌ରେ ଚଢ଼‌ଉ, ବାକି କେବେ? ଆଜି ବି ଆଦାୟ କଲେ ଫି’, ଚଢ଼ଉ ପାଇଁ ବିଏମ୍‌ସିରେ କର୍ମଚାରୀ ନାହାନ୍ତି, ୧୮ ସ୍ଥାନରୁ ଖାଲି ହାତରେ ଫେରିଲା ସ୍କ୍ବାଡ୍‌

ଭୁବନେଶ୍ୱର : ଦୁଇଦିନ ବିତିଲାଣି। ତଥାପି ପାର୍କିଂ ନାଁରେ ରାଜଧାନୀବାସୀଙ୍କୁ ଲୁଟୁଛନ୍ତି ସପିଂ ମଲ୍‌। ଗଣମାଧ୍ୟମରେ ବାରମ୍ବାର ଖବର ବାହାରିବା ପରେ ବି କେହି ଚେତୁନାହାନ୍ତି। ସପିଂ ମଲ୍‌, ମଲ୍ଟିପ୍ଲେକ୍ସ, ହସ୍ପିଟାଲ କର୍ତୃପକ୍ଷ ଲୋକଙ୍କଠାରୁ ଆଜି ବି ଫି’ ଆଦାୟ କରିଛନ୍ତି। ଏ ଦିଗରେ ସହରର ସଚେତନ ନାଗରିକ ମଧ୍ୟ କୌଣସି ପ୍ରତିବାଦ କରୁନାହାନ୍ତି। ପାର୍କିଂ ସ୍ଥଳରେ ଫି’ ମାଗିବା କ୍ଷଣି ସୁନା ପିଲା ପରି ସହରବାସୀ ଟଙ୍କା ଗଣି‌ ଦେଉଛନ୍ତି। କେହି ବି ମୁହଁ ଖୋଲୁନାହାନ୍ତି। ଯେଉଁଥିପାଇଁ ଭବାନୀ ମଲ୍‌ ପରି ସଂସ୍ଥା ଆଜି ବି ଗ୍ରାହକଙ୍କୁ ଲୁଟିଛି। ପାତ୍ରପଡ଼ାରେ ଥିବା ଡିଏନ୍‌ ରିଗାଲିଆ ମଲ୍‌ ବି ପାର୍କିଂ ବାବଦରେ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରିଛି। ସମ୍‌ ହସ୍ପିଟାଲ ନିକଟରେ ମହାବୀର ମୋଟର ସାଇକେଲ୍‌ ଷ୍ଟାଣ୍ଡ ନାଁରେ ଏକ ସଂସ୍ଥା ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରିଥିବା ନେଇ ବିଡିଏ ନିକଟରେ ଅଭିଯୋଗ ହୋଇଛି। ଗୋଟିଏ ପଟେ ବିଡିଏ ଓ ବିଏମ୍‌ସି ଏଭଳି କଡ଼ା ପଦକ୍ଷେପ ନେଉଥିବା ବେଳେ ଅନ୍ୟପଟେ ଲୋକେ କେବେ ସଚେତନ ହେବେ? କେବେ ପ୍ରତିବାଦ କରିବେ? ତାହା ଦେଖିବା ବାକି ରହିଲା।

ଭବାନୀ ମଲ୍‌ରେ ଚଢ଼‌ଉ, ବାକି କେବେ?

ଭବାନୀ ମଲ୍‌ ପାର୍କିଂ ଫି’ ଆଦାୟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ୱାଡ଼୍‌ ଓ ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ଼୍‌ ମିଳିତ ଭା‌ବେ ବିଏମ୍‌ସି ଭବାନୀ ମଲ୍‌ ଉପରେ ଚଢ଼ଉ କରିଥିଲେ। ଜଣାପଡ଼ିଥିଲା ଯେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରାଯାଉଛି। ତେଣୁ ଦୁଇଟି ପାର୍କିଂ ଟିକେଟ ଆଦାୟ ମେସିନ୍‌କୁ ସ୍କ୍ବାଡ୍‌ ଜବତ କରିଥିଲା। ଏହାପରେ ବିଏମ୍‌ସି କର୍ତୃପକ୍ଷଙ୍କ ସହ ଆଲୋଚନା କରି ଆଜି ଭବାନୀ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଚିଠି ‌ଲେଖି ତାଗିଦ୍ କରାଯାଇଛି। ଚିଠି ନମ୍ବର-୨୮୯୯୧୨, ୧୮/୧୦/୨୦୧୯ରେ ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ କରାଯାଇଛି। ସମ୍ପୃକ୍ତ ସଂସ୍ଥା ପିଓଏସ୍ ମେସିନ୍ ଦ୍ୱାରା ପାର୍କିଂ ଫି ଆଦାୟ କରୁଥିବା ଏନ୍‌ଫୋର୍ସମେଣ୍ଟ କର୍ମଚାରୀ ଦେଖିଛନ୍ତି। ଯାହାକି ବିଏମ୍‌ସି ନିର୍ଦ୍ଦେଶାବଳିର ଉଲ୍ଲଙ୍ଘନ କରୁଛି। ତେଣୁ ତିନି ଦିନ ମଧ୍ୟରେ ଏହାର କାରଣ ସ୍ପଷ୍ଟ ନ କଲେ, ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସହରରେ ଥିବା ଆଉ କେତେକ ସପିଂ ମଲ୍‌ ବି ଆଜି ପାର୍କିଂ ଫି’ ଆଦାୟ କରୁଥିବା ବିଡିଏ ନିକଟରେ ଅଭିଯୋଗ ହୋଇଛି। ଟୁଇଟ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପାତ୍ରପଡ଼ାଠାରେ ଥିବା ଡିଏନ୍‌ ରେଗାଲିଆ ଆଜି ଗ୍ରାହକଙ୍କଠାରୁ ବାଇକ୍‌ ପାର୍କିଂ ବାବଦରେ ୨୦ ଟଙ୍କା ଲେଖାଏଁ ଆଦାୟ କରିଛି। ଜଣେ ଗାଡ଼ି ମାଲିକ ଟିକେଟ୍‌ ସହ ବିଡିଏ ନିକଟରେ ଅଭିଯୋଗ କରିଛନ୍ତି। ଆଉ ଜଣେ ଗ୍ରାହକ ଲେଖିଛନ୍ତି ଯେ ଉକ୍ତ ମଲ୍‌ ଶନିବାର ଓ ରବିବାର ବାଇକ୍‌ ପାର୍କିଂ ବାବଦରେ ୩୦ ଟଙ୍କା ପର୍ଯ୍ୟନ୍ତ ଫି’ ନେଉଛି। ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେହିପରି ସମ୍‌ ହସ୍ପିଟାଲ ସମ୍ମୁଖରେ ମହାବୀର ମୋଟର ସାଇକେଲ୍‌ ଷ୍ଟାଣ୍ଡ ବାଇକ୍‌ ପାର୍କିଂ ବାବଦରେ ଆଜି ୫ଟଙ୍କା ଲେଖାଏ ନେଇଛି। ରସୁଲଗଡ଼ଠାରେ ଥିବା ଏସ୍‌ପ୍ଲାନେଡ୍‌, ପଟିଆ ବିଗ୍‌ବଜାର, କେତେକ ସିନେମା ହଲ୍‌ ଆଜି ବି ପାର୍କିଂ ଫି’ ନେଇଥିବା ଅଭିଯୋଗ ହୋଇଛି। ତେବେ ଭବାନୀ ମଲ ବ୍ୟତୀତ ଆଉ କୌଣସି ବି ସଂସ୍ଥାଙ୍କୁ ନୋଟିସ୍‌ ହୋଇ ନ ଥିବା ଜଣାପଡ଼ିଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ‌ଯେ ମିଳିତ ସ୍କ୍ବାଡ୍‌ ଭବାନୀ ମଲ୍‌ ବ୍ୟତୀତ ସହରର ଆଉ ୧୮ଟି ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲା। ତେବେ ସ୍କ୍ବାଡ୍‌ ଆସୁଥିବା ଜାଣି ପାର୍କିଂ ସ୍ଥାନରେ ଥିବା କର୍ମଚାରୀମାନେ ପଳାଇ ଯାଇଥିଲେ। ସେମାନଙ୍କ ଟେର୍‌ ମିଳି ନ ଥିଲା କି ମେସିନ୍‌ ଧରାପଡ଼ି ନଥିଲା।
ଅଧିକାରୀଜଣକ ଆହୁରି ଏକ ବଡ଼ ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ଏକ ସଙ୍ଗେ ସବୁ ସ୍ଥାନରେ ଚଢ଼ଉ କରିବା ସମ୍ଭବ ହେଉନାହିଁ। କର୍ମଚାରୀ ଅଭାବ ରହିଥିବାରୁ ଏଭଳି ସମସ୍ୟା ହେଉଛି। ସେପଟେ ଜବରଦଖଲ ବି ଉଚ୍ଛେଦ କରାଯାଉଛି। ତେଣୁ ସେଥିପାଇଁ ବି କର୍ମଚାରୀଙ୍କ ଆବଶ୍ୟକତା ରହୁଛି। ଏକାସଙ୍ଗେ ସହରରେ ଏକାଧିକ ଚଢ଼ଉ ହେଉଥିବାରୁ ସମସ୍ୟା ହେଉଥିବା ସେ କହିଛନ୍ତି।

କାହିଁକି ପୁଲିସ ସହଯୋଗ କରୁନି
ରାଜଧାନୀରେ ଯେତିକି ସପିଂ ମଲ, ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ହସ୍ପିଟାଲ ଓ ଆପାର୍ଟମେଣ୍ଟ ରହିଛି, ସେଥିରେ ଥିବା ପାର୍କିଂରେ ଚଢ଼ଉ କରିବା ବିଡିଏ ସ୍କ୍ବାଡ୍ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ଅନେକ ବି ଏହି ସ୍କ୍ବାଡକୁ ଖାତିର କରୁନାହାନ୍ତି। ଫଳରେ ଏହି ନିୟମକୁ ଲାଗୁ କରିବା ବିଡିଏ ପାଇଁ କଷ୍ଟକର ହୋଇପଡ଼ୁଛି। ଏଭଳି ସମୟରେ କମିସନରେଟ ପୁଲିସ କାହିଁକି ବିଡିଏକୁ ସହଯୋଗ କରୁନାହିଁ ବୋଲି ଅନେ‌କେ ପ୍ରଶ୍ନ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଡିଏ ଆମ ସହଯୋଗ ନେବାକୁ ଚାହିଁଲେ ଆମେ ପୁଲିସ ଫୋର୍ସ ଯୋଗାଇଦେବୁ।

କୁଆ‌ଡ଼େ ଗଲେ ସଚେତନ ନାଗରିକ?
ଟିକେ ଟିକେ କଥାରେ ହାତରେ ପତାକା ଧରି ବିକ୍ଷୋଭ, ରୢାଲି ଓ ଧାରଣା ଦେଉଛନ୍ତି। କିନ୍ତୁ ଗୁରୁବାରଠାରୁ ବିଡିଏ ନିୟମ କରି ସାରିଲାଣି ଯେ ସପିଂ ମଲଠାରୁ ଆରମ୍ଭ କରି ହସ୍ପିଟାଲ ଆଦିରେ ଥିବା ପାର୍କିଂ ସ୍ଥାନରେ କେହି ଟଙ୍କା ଆଦାୟ କରିପାରିବେ ନାହିଁ। ଏସବୁ ସତ୍ତ୍ବେ ଆଜି ବିଭିନ୍ନ ସପିଂ ମଲରେ ପାର୍କିଂ ବାବଦରେ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରାଯାଇଛି। ପ୍ରଶ୍ନ ଉଠୁଛି, ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ସଂଗଠନ କାହିଁକି ଏହାର ପ୍ରତିବାଦ କରିନାହାନ୍ତି। ଏଭଳି ସମୟରେ ଏବେ ସଚେତନ ନାଗରିକ ଅଧିକ ସଚେତନ ହେବା ଆବଶ୍ୟକ ହୋଇ ପଡ଼ିଛି।

Shutterstock

ବିଡିଏ ଓ ବିଏମ୍‌ସିର ଦୋମୁହାଁ ନୀତି
ଦୁଇ ଦିନ ତଳେ ବିଡିଏ ନିର୍ଦେଶନାମା‌ ଜାରି କଲା ଯେ ସହରର ସମସ୍ତ ମଲ୍‌, ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍ଟିପ୍ଲେକ୍ସସ୍‌, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ଆବାସିକ ବା‌ସଗୃହ ପ୍ରକଳ୍ପଗୁଡ଼ିକ ପାର୍କିଂ ନିୟମକୁ ତୁରନ୍ତ ଲାଗୁ କରିବେ। ଯେଉଁମାନଙ୍କ ଅଫ୍-ଷ୍ଟ୍ରିଟ୍‌ ପାର୍କିଂ ସୁବିଧା ନାହିଁ, ସେମାନେ ୩୦ଦିନ ଭିତରେ ସୁବିଧା କରିବେ। ଯେଉଁମାନଙ୍କର ପାର୍କିଂ ସୁବିଧା ରହିଛି ସେମାନେ ଏହାକୁ ତୁରନ୍ତ ଲାଗୁ କରିବେ ଓ ମାଗଣା ସୁବିଧା ଦେବେ। ତେବେ ବିଡିଏ ଓ ବିଏମ୍‌ସି କର୍ତୃପକ୍ଷ ଏବେ ସପିଂ ମଲ୍, ହସ୍ପିଟାଲ ଓ ବ୍ୟ‌ାବସାୟିକ ପ୍ରତିଷ୍ଠାନକୁ ୭ ଦିନିଆ ମହଲତ ଦେବାକୁ ଯୋଜନା କରୁ୍‌ଥିବା ଜଣାପଡ଼ିଛି। ଖବରକାଗଜ ଓ ଟିଭିରେ ବିଡିଏର ନିର୍ଦେଶନାମା ନେଇ ବାରମ୍ବାର ଖବର ପ୍ରକାଶ ପରେ ଏବେ କାହା ଚାପରେ ପୁଣି ମହଲତର ଆବଶ୍ୟକତା ପଡ଼ିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

କେଉଁଠି ଦେବାକୁ ପଡ଼ିବନି ପାର୍କିଂ ଫି’
ଭବାନୀ ମଲ୍‌, ଫୋରମ୍‌ ମାର୍ଟ, ଏସ୍‌ପ୍ଲାନେଡ୍‌-୧, ସେଣ୍ଟ୍ରାଲ ମଲ୍‌, ପାଣ୍ଟାଲୁନ୍ସ(ସହିଦନଗର ଓ ପଟିଆ), ନୟାପଲ୍ଲୀ ବିଗ୍‌ବଜାର, ଡିଏନ୍‌ ରେଗାଲିଆ ମଲ୍‌, ଦି ୱାର୍ଲ୍ଡ (ଖଣ୍ଡଗିରି ଓ ଶାସ୍ତ୍ରୀନଗର), ସମସ୍ତ ରିଲାଏନ୍ସ ମଲ୍‌, ପାଲ୍‌ ହାଇଟ୍ସ, ପଟିଆ ବିଗ୍‌ବଜାର, ସିମ୍ଫୋନି ମଲ୍‌, ଆପୋଲୋ ହସ୍ପିଟାଲ, ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲ, ‌କେୟାର ହସ୍ପିଟାଲ, କିମ୍‌ସ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଆମ୍‌ରି ହସ୍ପିଟାଲ, ସମ୍‌ ହସ୍ପିଟାଲ, ଏମ୍‌ସ ପରି ରାଜଧାନୀରେ ଥିବା ସମସ୍ତ ଡାକ୍ତରଖାନା, ସିନେମା ହଲ୍‌, ଶିକ୍ଷାନୁଷ୍ଠାନ, ଅଳଙ୍କାର ସୋ-ରୁମ୍‌ଗୁଡ଼ିକ ନିକଟରେ ବି କୌଣସି ପ୍ରକାର ଫି’ ଦେବାକୁ ପଡ଼ିବ ନାହିଁ।

କେଉଁଠି ଦେବାକୁ ପଡ଼ିବ
ୟୁନିଟ୍‌-୧ ମାର୍କେଟ୍‌ ଅଞ୍ଚଳ, ୟୁନିଟ୍‌-୨ ଅଞ୍ଚଳ, ଖାଦିମସ୍‌ ସମ୍ମୁଖରୁ ‌ଶ୍ରୀଲେଦର ପର୍ଯ୍ୟନ୍ତ ଜନପଥରେ ପାର୍କିଂ କଲେ ଫି’ ହେବାକୁ ହେବ। ଏହାବ୍ୟତୀତ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ରେ ଆଉ କୌଣସି ସ୍ଥାନରେ ବି ‌ପାର୍କିଂ ଫି’ ଆଦାୟ କରିବାର ବ୍ୟବସ୍ଥା ନାହିଁ।

ସମ୍ବନ୍ଧିତ ଖବର