୭ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବାର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଫଳରେ ଆସନ୍ତା ୨୭ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ। ଯଦି ସବୁ ଠିକ୍‌ଠାକ୍‌ ରୁହେ ଜୁନ୍‌ ୬ କିମ୍ବା ୭ରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ। ଏବେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ଜଳୁଥିବା ‌ବେଳେ ମୌସୁମୀର ଶୀଘ୍ର ଆଗମନ ଖବର ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି। ଗତ ଦୁଇ ଦିନ ହେଲା ପୁଣି ଥରେ ପଶ୍ଚିମ ଓଡ଼ିଶା ଜଳିବା ଆରମ୍ଭ କରିଛି। ରାଜ୍ୟର ଆଜି ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୩ ଡିଗ୍ରି ଉପରକୁ ରହିଛି ପଶ୍ଚିମ ଓଡ଼ିଶାର ୩ ସହର ତାପମାତ୍ରା। ସୋନ୍‌ପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରବିବାର ଦିନ ବଲାଙ୍ଗୀର ଓ ସୁନ୍ଦରଗଡ଼ର ଦିନ ତାପମାତ୍ରା ୪୩ ଡିଗ୍ରି ରହିଥିଲା। ଆଗକୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତାତି ଜାରି ରହିବ। ଏଥିସହ ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ବି ସମ୍ଭାବନା ରହିଛି। ଆଜି ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ।

ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଏହାଛଡ଼ା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ଼ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷାର ବି ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Photo: SkyMate Weather

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରବିବାର ଦିନ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିସହ ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଯାଜପୁର, ଭଦ୍ରକ ଓ ବାଲେଶ୍ବରର କିଛି କିଛି ସ୍ଥାନରେ ବର୍ଷା ହୋଇଛି। ୧୭ ଓ ୧୮ ତାରିଖ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ୧୭ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏସବୁ ଜିଲ୍ଲାରେ ବଜ୍ରପାତଜନିତ ଧନଜୀବନ ହାନୀର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି। କିନ୍ତୁ ପବନର ବିଶେଷ ଆଶଙ୍କା ନାହିଁ। ୧୮ ତାରିଖ ଦିନ କାଳବୈଶାଖୀର ପ୍ରଭାବ ଓ ପ୍ରକୋପ ଅପେକ୍ଷାକୃତ କମ୍‌ ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅପରାହ୍ନ ଆଡ଼କୁ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ।

ରାଜ୍ୟ‌ରେ ଏବେ ତାତି ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶା କିନ୍ତୁ ଥଣ୍ଡା ରହିଛି। ଆଜି ରାଜଧାନୀର ସର୍ବାଧିକ ଦିନ ତାପମାତ୍ରା ୩୫.୮ ଡିଗ୍ରି ରହିଥିବା ବେଳେ କଟକର ତାପମାତ୍ରା ଥିଲା ୩୫.୨ ଡିଗ୍ରି। ଆସନ୍ତାକାଲି ମଧ୍ୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର