ଜୁଲାଇରେ ଘରୋଇ ହସ୍ପିଟାଲକୁ ୧୦ଲକ୍ଷରୁ ଅଧିକ ଡୋଜ୍‌ର ଅନୁମତି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକା ନୀତି ଅନୁସାରେ ଆସନ୍ତା ମାସରେ ରାଜ୍ୟର ଘରୋଇ ହସ୍ପିଟାଲମାନେ ୧୦ଲକ୍ଷ ୧୬ହଜାର ୯୭୦ଡୋଜ୍ ଟିକା କିଣିବା ଲାଗି ଅନୁମୋଦନ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଆଗୁଆ ସୂଚନା ଦିଆଯାଇଛି। ଏଥିରେ ୮ଲକ୍ଷ ୪୩ହଜାର ୯୩୦ଡୋଜ୍‌ର ‘କୋଭିସିଲ୍‌ଡ’ ଓ ୧ଲକ୍ଷ ୭୩ହଜାର ୦୪୦ ଡୋଜ୍‌ର ‘କୋଭାକ୍ସିନ୍’ ଟିକା ରହିଛି। ନୂଆ ଟିକା ନୀତିରେ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ କେନ୍ଦ୍ର ସରକାର ୭୫ପ୍ରତିଶତ ଟିକା କିଣି ରାଜ୍ୟମାନଙ୍କୁ ପ୍ରଦାନ କରିବେ। ବଳକା ୨୫ପ୍ରତିଶତ ଟିକା ଘରୋଇ ହସ୍ପିଟାଲମାନେ ସିଧାସଳଖ ସଂସ୍ଥାଠାରୁ କିଣିପାରିବେ। ପ୍ରତି ମାସରେ ପ୍ରତ୍ୟେକ ରାଜ୍ୟ ଘରୋଇ ହସ୍ପିଟାଲ ଚାହିଦା ଅନୁଯାୟୀ ପରିମାଣ ସଂପର୍କରେ ସୂଚନା ଦେବାକୁ କୁହାଯାଇଛି।

ରାଜ୍ୟ ସରକାରଙ୍କ ଅନୁବନ୍ଧିତ ବିଏସ୍‌କେୱାଇ ହସ୍ପିଟାଲମାନଙ୍କୁ ପ୍ରାଥମିକତା ଦିଆଯିବ। ଜାତୀୟ ସ୍ବାସ୍ଥ୍ୟ କର୍ତୃପକ୍ଷ ବା ଏନ୍‌ଏଚ୍‌ଏ ପ୍ଲାଟଫର୍ମ ଜରିଆରେ କେନ୍ଦ୍ର ସରକାର ଟିକାର କିଣାବିକା ଓ ଟଙ୍କା ପଇଠ ବ୍ୟବସ୍ଥାକୁ ସୁଗମ କରିବେ ବୋଲି କୁହାଯାଇଛି। ଆବଶ୍ୟକ ଟଙ୍କା ପଇଠ କରାଯିବା ପରେ କେନ୍ଦ୍ର ସରକାର ରାଜ୍ୟ ଅନୁସାରେ ଆବଶ୍ୟକ ଟିକା ଯୋଗାଇଦେବେ। ଏ ଦୃଷ୍ଟିରୁ ଆସନ୍ତା ୨ ଦିନ ଭିତରେ ରାଜ୍ୟର ସମସ୍ତ ଘ‌ରୋଇ ହସ୍ପିଟାଲମାନଙ୍କ ସହିତ ଟିକା ସଂପର୍କରେ ଆଲୋଚନା କରିବା ଲାଗି ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ୩୦ତାରିଖ ସୁଦ୍ଧା ଘରୋଇ ହସ୍ପିଟାଲର ଚାହିଦା ଅନୁଯାୟୀ ଧାର୍ଯ୍ୟ ଫର୍ମାଟରେ ପ୍ରଦାନ କରିବାକୁ କୁହାଯାଇଛି। ଜିଲ୍ଲାସ୍ତରରେ ଟିକାକରଣର ସମନ୍ବୟ ନେଇ ଇମ୍ୟୁନାଇଜେସନ୍‌ର ଭାରପ୍ରାପ୍ତ ଅଧିକାରୀ ଡା.ପ୍ରତିଭା ପ୍ରଧାନଙ୍କୁ ନୋଡାଲ ଅଧିକାରୀଭାବେ ଚୟନ କରାଯାଇଛି। ରାଜ୍ୟରେ ମାତ୍ର ୬ ପ୍ରତିଶତ ଘରୋଇ ହସ୍ପିଟାଲ ଟିକାକରଣ ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ସଂଖ୍ୟାକୁ ବଢ଼ାଇବା ଲାଗି ଛୋଟ ହସ୍ପିଟାଲ ସମେତ କ୍ଲିନିକ୍‌ମାନଙ୍କୁ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏହାସହ ଫିକି/ସିଆଇଆଇ, ମିସନାରି ହସ୍ପିଟାଲ ଓ ଏନ୍‌ଜିଓ ଦ୍ବାରା ପରିଚାଳିତ ହସ୍ପିଟାଲମାନଙ୍କୁ ମଧ୍ୟ ସାମିଲ କରିବା ଉପରେ ଆଲୋଚନା କରାଯାଉଛି।

ସମ୍ବନ୍ଧିତ ଖବର