ପହିଲାରୁ ସକାଳୁଆ ସ୍କୁଲ

ନବମରୁ ଦ୍ବାଦଶ ପାଠପଢ଼ା ସମୟ ବଦଳିଲା
ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ମଧ୍ୟରେ କ୍ଲାସ୍‌
ନଳକୂପ ମରାମତି କରିବାକୁ ଡିଇଓମାନଙ୍କୁ ନିର୍ଦେଶ

ଭୁବନେଶ୍ବର : ଫେବ୍ରୁଆରିରୁ ଅସହ୍ୟ ଗରମ। ସ୍ଥିତି ଏମିତି ହେଲାଣି ଯେ ପୂର୍ବାହ୍ନରୁ ଲୋ‌କେ ଘରୁ ବାହାରି ପାରୁନାହାନ୍ତି। ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଅନ୍ୟ ସହରଗୁଡ଼ିକର ତାପମାତ୍ରା ବି ଅନୁରୂପ ଭାବେ ବଢ଼ି ଚାଲିଛି। ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି। ଏନେଇ ଦୁଇ ଦିନ ତଳେ ଏସ୍‌ଆରସିଙ୍କ ପକ୍ଷରୁ ହିଟ୍‌ୱେଭ୍‌ ସତର୍କତା ଜାରି ହୋଇଥିଲା। ଯାହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ ହେବ। କରୋନା ସଂକ୍ରମଣ ଯୋଗୁଁ ଏବେ କେବଳ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଚାଲିଛି। ତେଣୁ ଏହି ୪ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ କରି ଅପରାହ୍‌ଣ ୧ଟା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭବତଃ ଓଡ଼ିଶା ଶିକ୍ଷା ଇତିହାସରେ ପ୍ରଥମଥର ଲାଗି ମାର୍ଚ୍ଚ ପହିଲାରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବାକୁ ଯାଉଛି। ପୂର୍ବରୁ କେବେ ବି ଏଭଳି ସ୍ଥିତି ହୋଇ ନ ଥିବା ଶିକ୍ଷାବିତ୍‌ମାନେ କହିଛନ୍ତି।

ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବେ ସକାଳ ୮ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ଚାଲିଛି। ‌ମାର୍ଚ୍ଚ ପହିଲାରୁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଏହି ଦୁଇ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ। ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ବଦଳରେ ସକାଳ ୯ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍କୁଲଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟଜଳର ବ୍ୟବସ୍ଥା‌ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କୁହାଯାଇଛି। ଯଦି କୌଣସି ବିଦ୍ୟାଳୟରେ ନଳକୂପ ଅଚଳ ଥିବ, ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ପୌରସଂସ୍ଥା ସହ ଆଲୋଚନା କରି ପଦକ୍ଷେପ ନେବେ। ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରୁ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍‌ ଆଣି ସ୍କୁଲରେ ମହଜୁଦ୍‌ ରଖିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ କୁହାଯାଇଛି। କୋଭିଡ୍‌-୧୯ ପରେ ଯେଉଁ ବିଦ୍ୟାଳୟଗୁଡ଼ିକ ପରିବହନ ସେବା ବନ୍ଦ ରଖିଛନ୍ତି, ସେମାନେ ପୁଣିଥରେ ଆରମ୍ଭ କରିପାରିବେ। ତେବେ ବସ୍‌ରେ ପରିବହନ ବେଳେ କୋଭିଡ୍‌-୧୯ କଟକଣା ପାଳନ କରିବେ। ପିଲାମାନେ ଶିକ୍ଷାନୁଷ୍ଠାନକୁ ଯିବା ସମୟରେ ଅଭିଭାବକ ପାଣି ବୋତଲ ଦେବା ସହ ସଚେତନ କରାଇବାକୁ କୁହାଯାଇଛି। ସ୍କୁଲ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନେ ପିଲା, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିକୁ ଏ ବିଷୟରେ ସଚେତନ କରାଇବେ। ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବାକୁ ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର