ପୁଅ ଆଗରେ ବୁଢ଼ାବଳଙ୍ଗରେ ଭାସିଗଲେ ମହିଳା, ମା’କୁ ଝୁରିଝୁରି ନଦୀକୂଳରେ ବସିଛି ପୁଅ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଜୁଆଳିକଟା ଗ୍ରାମର ଜଣେ ମହିଳା ନିଜ ପୁଅ ଆଖିଆଗରେ ବୁଢ଼ାବଳଙ୍ଗ ନଦୀସୁଅରେ ଭାସିଯାଇଛନ୍ତି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ; ଗ୍ରାମର ସ୍ବର୍ଗତ ମଙ୍ଗଳ ସିଂଙ୍କ ପତ୍ନୀ ଯମୁନା( ୪୦) ଓ ପୁଅ ଶିବା (୧୪) ଆଜି ପୂର୍ବାହ୍ନ ୧୦ଟାରେ ଗାଁ ପାଖ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଲଗାଣ ବର୍ଷା ପାଇଁ ନଦୀରେ ଜଳସ୍ରୋତ ପ୍ରଖର ଥିଲାବେଳେ ଏଥିରେ ଭାସି ଯାଇଥିଲେ ଯମୁନା। ମା’ ଭାସି ଯାଉଥିବା ଦେଖି ପୁଅ ଚିତ୍କାର କରିଥିଲେ ବି ଭରାନଦୀରୁ ଯମୁନାଙ୍କୁ ଉଦ୍ଧାର କରିବାକୁ କେହି ସାହସ କରି ପାରିନଥିଲେ। ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ହେଲେ ସନ୍ଧ୍ୟା ଯାଏ ଯମୁନାଙ୍କ ସନ୍ଧାନ ମିଳି ପାରିନି। ଏପଟେ ପୁଅ ଶିବା ଆଖିରୁ ଲୁହ ଶୁଖୁନି। ମା’କୁ ଝୁରିଝୁରି ସେ ନଦୀକୂଳରେ ହିଁ ଜଗି ବସିଛି।

ସୂଚନାଯୋଗ୍ୟ; ୨ ବର୍ଷ ପୂର୍ବେ ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଶିବାର ବାପା ମଙ୍ଗଳଙ୍କୁ ୬ଜଣ ଦୁର୍ବୃତ୍ତ ଅତି ନୃଶଂସ ଭାବେ ହତ୍ୟା କରି ଏକ ଗଛରେ ଟାଙ୍ଗି ଦେଇଥିଲେ। ଆଉ ଏବେ ମା’ ନଦୀରେ ଭାସିଯିବା ପରେ ଶିବା ଅସହାୟ ହୋଇଯାଇଛି। ଯମୁନାଙ୍କୁ ଉଦ୍ଧାର କରିବା ପରେ ହିଁ ପ୍ରଶାସନ ଯାହା କିଛି ସାହାଯ୍ୟ ପ୍ରଦାନ କରିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେ।

ସମ୍ବନ୍ଧିତ ଖବର