ମା’ ଝିଅ ଡବଲ୍ ମର୍ଡର ମାମଲା: ଅନୁପଙ୍କୁ ପୁଣି ରିମାଣ୍ଡରେ ନେଲା ରାୟଗଡ଼ ପୁଲିସ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ କଳ୍ପନା-ବବ୍‌ଲି ଡବଲ୍‌ ମର୍ଡର ଘଟଣାରେ ଗିରଫ ହୋଇ ଜେଲ‌୍ ହାଜତରେ ଥିବା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମଙ୍ଗଳବାର ରାୟଗଡ଼ ଚକ୍ରଧରନଗର ପୁଲିସ ପୁଣି ଗୋଟିଏ ଦନ ପାଇଁ ରିମାଣ୍ଡରେ ନେଇଛି। ଆଜି ରାୟଗଡ଼ ସିଜେଏମ୍‌ କୋର୍ଟ ଏହି ଆବେଦନର ଶୁଣାଣି ହୋଇଥିଲା। ଯଦି ଅନୁପ ରାଜି ହୁଅନ୍ତି ତେବେ ବୁଧବାର ନାର୍କୋ ଟେଷ୍ଟ ପାଇଁ ଶୁଣାଣି ହେବ ବୋଲି ଜଣାଯାଇଛି।

ଗତ ୧୯ ତାରିଖ ଦିନ ଚକ୍ରଧରନଗର ପୁଲିସ ୩ ଦିନ ପାଇଁ ଅନୁପଙ୍କୁ ରିମାଣ୍ଡରେ ନେଇଥିଲା। ୨୨ ତାରିଖ ସନ୍ଧ୍ୟାରେ ରିମାଣ୍ଡ ଅବଧି ଶେଷ ହୋଇଯିବାରୁ ତାଙ୍କୁ ‌କୋର୍ଟରେ ହାଜର କରାଯାଇଥିଲା। ପରେ ପୁଣି ୩ ଦିନ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିଥିଲା। ଏହି ଆବେଦନକୁ ବିଚାରକୁ ନେଇ କୋର୍ଟ ମଙ୍ଗଳବାରକୁ ଶୁଣାଣି ରଖିଥିଲେ। ଆଜି ସିଜେଏମ୍‌ ପୁଲିସକୁ ଗୋଟିଏ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିବା ବେଳେ ବୁଧବାର ଅପରାହ୍‌ଣ ୪ଟା ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୁଲିସ ନାର୍କୋ ଟେଷ୍ଟ ଓ ବ୍ରେନ୍‌ ମ୍ୟାପିଂ ପାଇଁ କରିଥିବା ଆବେଦନର ଶୁଣାଣିକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛି। ଏହି ଗୋଟିଏ ଦିନରେ ପୁଲିସ ଅନୁପଙ୍କୁ ଜେରା କରି ଆଉ କଣ ନୂଆ ତଥ୍ୟ ହାସଲ କରୁଛି ତାହା ଦେଖିବା ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି। ଗତ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁପଙ୍କୁ ରିମାଣ୍ଡରେ ନେଇ ଜେରା କରିବା ପରେ ପୁଲିସକୁ ସେପରି କିଛି ସଫଳତା ମିଳି ନଥିଲା। ଅନୁପ ତଦନ୍ତରେ ସହଯୋଗ କରୁ ନ ଥିବା ନେଇ ଏସ୍‌ପି ସନ୍ତୋଷ ସିଂହ କହିଥିଲେ। ଗତ ଥର ରିମାଣ୍ଡ ପରେ ପୁଲିସ ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମାତ୍ର କିଏ ସେହି ତୃତୀୟ ବ୍ୟକ୍ତି ତାହା ଏ ପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରି ନାହିଁ। ଇତିମଧ୍ୟରେ ପୁଲିସ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଛି। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ବଲେରୋ କିମ୍ବା ଲୁହାରଡ଼୍‌ ଜବତ କରି ପାରିନାହିଁ। ଏହି ହତ୍ୟାକାଣ୍ଡର କୌଣସି ଚାକ୍ଷୁସ ପ୍ରମାଣ ନଥିବା ବେଳେ କେହି ଅଭିଯୋଗକାରୀ ନଥିବାରୁ ପୁଲିସ କିଭଳି ଏହାକୁ ପ୍ରମାଣିତ କରିବ ଓ ଗିରଫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବ ସେ ନେଇ ଉଦ୍ୟମ ଅବ୍ୟାହତ ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର