କିଡନି ରୋଗରେ ଆକ୍ରାନ୍ତ ପୁଅକୁ ବଞ୍ଚାଇବାକୁ ମା’ ଦେବାକୁ ଚାହୁଁଛନ୍ତି କିଡନି, ଅର୍ଥ ସାଜିଛି ବାଧକ

ମାଲକାନଗିରି: ମା’ ହେଉଛି ଏ ସଂସାରର ସବୁଠାରେ ତ୍ୟାଗୀ, ସହିଷ୍ଣୁ, ସାହସୀ, ସ୍ନେହୀ। ମା’ପରି କିଏ ଆଉ କିଏ ହେବ। ଦଶ ମାସ ଦଶ ଦିନ ଧରି ଗର୍ଭରେ ରଖି ଅନେକ ଯନ୍ତ୍ରଣା ସହି ପିଲାଙ୍କୁ ଜନ୍ମ ଦେଇଥାଏ। କିନ୍ତୁ ପିଲାର କୌଣସି ଅସୁବିଧା ହୋଇଗଲେ ପ୍ରଥମେ ମା’ଙ୍କୁ ହି କଷ୍ଟ ହୋଇଥାଏ। ମା’କେତେ ଦରଦି ଏବଂ ତ୍ୟାଗୀ ଜିଲ୍ଲାର ଏକ ଘଟଣାରୁ ସ୍ପଷ୍ଟ ହୋଇଯାଉଛି।

ମାଲକାନଗିରି ଜିଲ୍ଲାର ଏମଭି-୮୭ ଗ୍ରାମରେ ବାସ କରନ୍ତି ଦିନେଶ ମାଲାକାର। ଦିନେଶଙ୍କର ଛୋଟିଆ ପରିବାର ବେଶ ଖୁସିରେ ରହୁଥିଲେ।ପରିବାର କହିଲେ ବୃଦ୍ଧା ମାଆ,ପତ୍ନୀ ଏବଂ ଅଢେଇ ବର୍ଷର ଝିଅ। ମା’ ଶ୍ୟାମଳୀଙ୍କ  ତିନି ପୁଅ। ତେବେ ଗତ ୧୫ ବର୍ଷ ତଳେ ଦିନେଶଙ୍କ ବାପା ଏହି ପରିବାରକୁ ଛାଡି ଅନ୍ୟତ୍ର ବାହା ହୋଇ ଚାଲିଯାଇଥିଲେ। ବର୍ତ୍ତମାନ ଦୁଇ ପୁଅ ଅନ୍ୟତ୍ର ବାହା ହୋଇ ରହିଥିବା ବେଳେ ସାନ ପୁଅକୁ ନେଇ ମାଆ ଶ୍ୟାମଳୀ ଘରେ ରୁହନ୍ତି। କୁଲି ମଜୁରି କରି ଶ୍ୟାମଳୀ ପିଲାଙ୍କୁ ବଡ କରିଥିଲେ।

ତେବେ ଦୁଇ ପୁଅ ମଧ୍ୟ ହାତ ଛାଡି ଦେଇଥିଲେ। ସାନ ପୁଅ ଦିନେଶ ଏକ ଅଟୋ ନେଇ କୌଣସି ପ୍ରକାରେ ଘର ଚଳାଉଥିଲେ। ତାଂକର କିଡନୀ ଖରାପ ହୋଇଯାଇଥିବାରୁ ସେ ଏବେ ଶଯ୍ୟାସାୟୀ। ଦିନେଶ ଘରେ ରହିଯିବାରୁ ପରିବାର ଚଳିବା ଏକ ପ୍ରକାର କଷ୍ଟ ହୋଇପଡିଛି। ଦିନେ ଖାଇଲେ ଦୁଇ ବେଳା ଉପବାସ ରହୁଛନ୍ତି। ପାଖରେ ଥିବା ଅଟୋକୁ ମଧ୍ୟ ଦିନେଶ ବିକ୍ରି କରି ନିଜର ଚିକିତ୍ସାରେ ଲଗାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।

ମାଲକାନଗିରି ଡାକ୍ତରଖାନାରେ ଦିନେଶ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କିଡନି ଖରାପ ହୋଇପଡିଥିବା ଡାକ୍ତର କହିଥିଲେ। ସେ ମାଲକାନଗିରି ଆସି ଡାଇଲସିସ କରାଉଛନ୍ତି। କିନ୍ତୁ ପୁଅର ଏଭଳି ଅବସ୍ଥା ଦେଖି ମା’ର ଦେହ ସହୁ ନାହିଁ। ସେ ସବୁବେଳେ ପୁଅକୁ ଦେଖି କାନ୍ଦୁଛି। ନିଜ ପୁଅକୁ ବଞ୍ଚାଇବାକୁ ନିଜର କିଡନି ଦେବାକୁ ପ୍ରସ୍ତୁତ ବୋଲି କାନ୍ଦି କାନ୍ଦି କହିଛନ୍ତି। କିଡନି ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଂକା ଦରକାର ପଡୁଛି। ତେବେ ଏହି ପରିବାର ପାଖରେ ସେତିକି ଟଂକା ନଥିବା ବେଳେ କିପରି ଟ୍ରାନ୍ସପ୍ଲାଣ୍ଟ ହେବ ଚିନ୍ତାରେ ପଡିଛନ୍ତି। ଯଦି ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ସହଯୋଗର ହାତ ବଢାଯାଏ ତେବେ ଦିନେଶ ବଂଚିଯାଇଥାନ୍ତା ବୋଲି କୁହାଯାଇଛି। ହସ ଖୁସିର ପରିବାର କିଛି ଦିନ ମଧ୍ୟରେ ଦୁଃଖୀ ପରିବାର ପାଲଟିଯାଇଥବା ସ୍ଥାନୀୟ ଲୋକେ କହିଛନ୍ତି। ଲକଡାଉନ ଚାଲିଥିବା ବେଳେ ପରିବାରରେ ଏବେ ବହୁ କଷ୍ଟ ଦେଇ ଗତି କରୁଛି। ତୁରନ୍ତ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ ନକଲେ ଏହି ପରିବାର ଆଗାମୀ ଦିନରେ ଆହୁରି ସମସ୍ୟାର ସମ୍ମୁଖୀନ ହେବେ ବୋଲି କୁହାଯାଇଛି। ଦିନେଶଙ୍କୁ ବଂଚାଇବା ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର