ସହରାଞ୍ଚଳ ପାଇଁ ଡିଜିଟାଇଜ୍‌ଡ ହୋଲଡିଂ ଟିକସ ବ୍ୟବସ୍ଥା : ଏମ୍‌ପିଏଲ୍‌ ୨.୦ର ଶୁଭାରମ୍ଭ କଲେ ମୁଖ୍ୟ ସଚିବ

ଭୁବନେଶ୍ବର : ରାଜ୍ୟର ସମସ୍ତ ସହରାଞ୍ଚଳରେ ହୋଲଡିଂ ଟିକସ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ଫଳପ୍ରସୁ କରିବା ପାଇଁ ଡିଜିଟାଇଜ୍‌ଡ୍‌ ଟିକସ ବ୍ୟବସ୍ଥା ଏମ୍‌.ପି.ଏଲ୍‌-୨.୦ର ଶୁଭାରମ୍ଭ ହୋଇଛି। ଶୁକ୍ରବାର ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ‘ଅମୃତ’ ଯୋଜନା ଅନ୍ତର୍ଗତ ରାଜ୍ୟର ୯ଟି ସହରାଞ୍ଚଳରେ ପ୍ରତି ଘରକୁ ପାଇପ୍‌ ଜଳ ଯୋଗାଣ ନେଇ ଜାତୀୟ ସ୍ତରରେ ଓଡ଼ିଶା ଲଗାତାର ପ୍ରଥମ ସ୍ଥାନ ଅଧିକାର କଲାପରେ ରାଜ୍ୟ ସରକାର ସହରାଞ୍ଚଳ ରାଜସ୍ବ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ, ଏହାଦ୍ବାରା ସହରାଞ୍ଚଳରେ ଟିକସ ସଂଗ୍ରହ ବ୍ୟବସ୍ଥା ଅଧିକ ସହଜ, ସ୍ବଚ୍ଛ ଓ ଫଳପ୍ରସୁ ହୋଇପାରିବ। ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ଏହି ସୁବିଧା ପ୍ରସ୍ତୁତ କରାଯାଇଛି। ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଶ୍ରୀ ମହାପାତ୍ର ସମସ୍ତ ଟିକସ ପ୍ରଦାନକାରୀ ଜନସାଧାରଣ, ଟିକସ ସଂଗ୍ରହକାରୀ ଅଧିକାରୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅନୁରୋଧ କରିଥିଲେ। ସଫଳ କାର୍ଯ୍ୟାନ୍ବୟନ ମାଧ୍ୟମରେ ନିଜ ସହର ପାଇଁ ସୁନାମ ଆଣିବା ସହ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଏକ ଜାତୀୟ ମଡେଲ୍‌ ଭାବେ ପ୍ରମାଣିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଭିଡିଓ କନଫରେନ୍‌ସିଂ ଜରିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ କହିଥିଲେ, ଗତବର୍ଷ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ପୁରୀ, ବାଲେଶ୍ବର, ବାରିପଦା, ଭଦ୍ରକ ଆଦି ୯ଟି ଅମୃତ ଯୋଜନା ଅନ୍ତର୍ଭୁକ୍ତ ସହରମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହାକୁ ଏମ୍‌.ପି.ଏଲ୍‌-୧.୦ ଭାବେ ନାମିତ କରାଯାଇଥିଲା। ଏହା ଲୋକମାନଙ୍କ ଦ୍ବାରା ଆଦୃତ ହୋଇଥିଲା। ଏହି ବ୍ୟବସ୍ଥା ଫଳରେ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ ବର୍ଷରେ ୩୭% ଅଧିକ ରାଜସ୍ବ ସଂଗ୍ରହ ହୋଇଥିଲା। ବର୍ତ୍ତମାନ ଏହି ବ୍ୟବସ୍ଥାକୁ ଏମ୍‌.ପି.ଏଲ୍‌-୨.୦ ଭାବେ ବିକଶିତ କରାଯାଇ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳକୁ ସଂପ୍ରସାରିତ କରାଯାଇଛି।

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ କହିଥିଲେ, ଏହି ବ୍ୟବସ୍ଥା ମାଧ୍ୟମରେ ୯ ଶହରୁ ଉର୍ଦ୍ଧ୍ବ ଟିକସ ଅଧିକାରୀ ଓ କର୍ମଚାରୀ ଏବଂ ମିସନ ଶକ୍ତି ଗୋଷ୍ଠୀର ସଦସ୍ୟମାନେ ସାମିଲ ହେବେ। ରାଜସ୍ବ ସଂଗ୍ରହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସାମିଲ ହେବା ନୂଆ ପଦକ୍ଷେପ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ୯ଟି ସହରରେ ମାତ୍ର ଦୁଇ ମାସ ଭିତରେ ୭୩.୨ କୋଟି ଟଙ୍କା ଆଦାୟ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଟିକସ ସଂଗ୍ରହ ୧୦୦.୬୫ କୋଟିକୁ ବୃଦ୍ଧି ପାଇଥିଲା। ନୂଆ ବ୍ୟବସ୍ଥାରେ ଟିକସ ସଂଗ୍ରହକାରୀ ଅଧିକାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ମଧ୍ୟରେ ଏକ ସକାରାତ୍ମକ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ରହିଛି। ମହାନଗର ନିଗମ, ପୌର ସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରି ୩ଟି ବିଭାଗରେ ପ୍ରାୟ ୨୧ଟି ପୁରସ୍କାର ଓ ମାନ୍ୟତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ ନାୟକ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜନାଗ୍ରହର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ବିଶ୍ବନାଥନଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ସହରାଞ୍ଚଳ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର