ମୁଗଚାଷ ପ୍ରୋତ୍ସାହନ ପ୍ରହସନ: ୨୩୬୦ କୁଇଣ୍ଟାଲ ବିହନ ବାଣ୍ଟିଲେ କାହାକୁ?

ଜିଲ୍ଲା କୃ‌ଷି ବିଭାଗ ଅନ୍ଧାରରେ, ଏନ୍‌ଜିଓ କହୁଛି ଚାଷ ଭଲ ହୋଇଛି

ଯାଜପୁର/ଟାଉନ/ଦଶରଥପୁର/ବରୀ: ଚଳିତ ବର୍ଷ ରବି ଋତୁରେ ଯାଜପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହାୟତାରେ ୧୨ହଜାର ହେକ୍ଟର ଜମିରେ ମୁଗଚାଷ କରାଯାଇ ଚାଷୀଙ୍କୁ ୨୩୬୦ କୁଇଣ୍ଟାଲ ଉନ୍ନତ ବିହନ ବଣ୍ଟନ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏହି କାର୍ଯ୍ୟକୁ ସିଆରଏଫଏମ ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ କୃଷି ବିଭାଗ ସହଯୋଗରେ କାର୍ଯ୍ୟକାରୀ କରାଯାଇଛି। ମାତ୍ର ମୁଗ ଅମଳ ହେବାକୁ ବସିଲାଣି ଜିଲ୍ଲା କୃଷି କାର୍ଯ୍ୟାଳୟ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଗତବର୍ଷ ଭଳି ଉନ୍ନତ ମୁଗଚାଷ କାର୍ଯ୍ୟକ୍ରମ ପୁଣି ପ୍ରହସନରେ ପରିଣତ ହୋଇଛି। ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍‌ରେ ସରକାରୀ ସହାୟତାରେ ୧୨ହଜାର ହେକ୍ଟରରେ ମୁଗଚାଷ ପାଇଁ ୨୩୬୦ କୁଇଣ୍ଟାଲ ବିହନ ବଣ୍ଟନ ହୋଇଛି। ଯାଜପୁର ବ୍ଲକ୍‌ରେ ୧୨୫୦ହେକ୍ଟର ଜମି ପାଇଁ ୨୫୦ କୁଇଣ୍ଟାଲ ବିହନ ବଣ୍ଟନ ହୋଇଥିବା ବେଳେ ବିଂଝାରପୁର ବ୍ଲକ୍‌ରେ ୧୪୦୦ହେକ୍ଟର ଜମି ପାଇଁ ୨୮୦କୁଇଣ୍ଟାଲ, ଦଶରଥପୁର ବ୍ଲକ୍‌ର ୧୬୦୦ ହେକ୍ଟର ଜମି ପାଇଁ ୩୨୦କୁଇଣ୍ଟାଲ, ରସୁଲପୁର ବ୍ଲକ୍‌ରେ ୮୦୦ହେକ୍ଟର ଜମି ପାଇଁ ୧୬୦କୁଇଣ୍ଟାଲ, ଧର୍ମଶାଳା ବ୍ଲକ୍‌ରେ ୧୪୫୦ହେକ୍ଟର ଜମି ପାଇଁ ୧୯୦କୁଇଣ୍ଟାଲ, ବରୀରେ ୧୩୫୦ହେକ୍ଟର ଜମି ପାଇଁ ୨୭୦କୁଇଣ୍ଟାଲ, ବଡ଼ଚଣା ବ୍ଲକ୍‌ର ୧୩୫୦‌ହେକ୍ଟର ଜମି ପାଇଁ ୨୭୦କୁଇଣ୍ଟାଲ, ଦାନଗଦୀ ବ୍ଲକ୍‌ରେ ୭୫୦ହେକ୍ଟର ଜମିରେ ମୁଗଚାଷ ପାଇଁ ୧୫୦କୁଇଣ୍ଟାଲ ବିହନ, ସୁକିନ୍ଦା ବ୍ଲକ୍‌ରେ ୧୦୫୦ହେକ୍ଟର ଜମିରେ ଚାଷ ପାଇଁ ୨୧୦କୁଇଣ୍ଟାଲ ଓ କୋରେଇ ବ୍ଲକ୍‌ରେ ୮୦୦ହେକ୍ଟର ଜମିରେ ଚାଷ ପାଇଁ ୧୬୦କୁଇଣ୍ଟାଲ ମୁଗ ବିହନ ବ୍ୟବହାର ହୋଇଥିବା କୃଷି ବିଭାଗ ତଥ୍ୟ କହୁଛି। ଏହି ବିହନ ସହିତ ଚାଷୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସାର, କୀଟନାଶକ ଔଷଧ, ଘାସମରା ଔଷଧ ପ୍ରଭୃତି ବଣ୍ଟନ କରାଯାଇଛି ବୋଲି ସରକାରୀ କାଗଜପତ୍ରରେ ଦର୍ଶାଯାଇଛି।

ତେବେ ବିହନ ନାମକୁ ମାତ୍ର ବଣ୍ଟନ କରାଯାଇଛି। ଯେଉଁ ବିହନ ବଣ୍ଟନ କରାଯାଇଥିଲା ସେଥିରେ ଗଛଗୁଡ଼ିକ ହଳଦିଆ ପଡ଼ିଯାଇଥିବାରୁ ଫୁଲ ଫଳ ଆସୁନାହିଁ ବୋଲି କୋରେଇ ବ୍ଲକ୍‌ର ଚାଷୀମାନେ ଜିଲ୍ଲାପାଳ ଓ କୃଷି ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଦଶରଥପୁର ବ୍ଲକ୍‌ରେ ମଧ୍ୟ ଅଧିକାଂଶ ଚାଷୀଙ୍କୁ ବିହନ ମିଳିନାହିଁ। କାହାକୁ ବିହନ ବଣ୍ଟନ କରାଯାଇଛି ? କେଉଁଠି ମୁଗଚାଷ ହୋଇଛି ? ସେସମ୍ପର୍କରେ ଦଶରଥପୁର ବ୍ଲକ୍ କୃଷି ଅଧିକାରୀ ପ୍ରଦୀପ କୁମାର ବେହୁରିଆ ଜାଣିନାହାନ୍ତି ବୋଲି କହିଛନ୍ତି। ତାଙ୍କୁ ସଂପୃକ୍ତ ଏନ୍‌ଜିଓ ମୁଗଚାଷ ସମ୍ପର୍କରେ କୌଣସି ତଥ୍ୟ ଦେଇନାହିଁ। ଅନୁରୂପ ଭାବେ ବରୀ ବ୍ଲକ୍ କୃଷି ଅଧିକାରୀ ସୀତାକାନ୍ତ ରାଉତ କହନ୍ତି ବାରମ୍ବାର ତାଗିଦ ସତ୍ତ୍ବେ ସଂପୃକ୍ତ ସିଆରଏଫଏମ ଏନ୍‌ଜିଓ ମୁଗଚାଷର ତଥ୍ୟ ଦେଉନି।

ସେହିପରି ଜିଲ୍ଲା ମୁ୍ଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଚାଷ ସମ୍ପର୍କରେ ତଦାରଖ କରୁଥିବା ଅତିରିକ୍ତ କୃଷି ଅଧିକାରୀ ଜ୍ୟୋତିରଞ୍ଜନ ଦାଶ କହନ୍ତି ସମ୍ପୃକ୍ତ ଏନ୍‌ଜିଓ ମୁଗଚାଷ ସମ୍ପର୍କିତ କୌଣସି ତଥ୍ୟ ପ୍ରଦାନ କରିନାହିଁ। ଅପରପକ୍ଷରେ ଏନ୍‌ଜିଓ ସିଆରଏଫଏମ୍‌ର ଜିଲ୍ଲା ସଂଯୋଜକ ସୌଭାଗ୍ୟ ନାୟକ କହିଛନ୍ତି କୃଷି ବିଭାଗ ସଠିକ୍ ଭାବେ ଏହି କାର୍ଯ୍ୟ କରିନପାରିବାରୁ ସରକାର ଆମକୁ ଦାୟିତ୍ବ ଦେଇଛନ୍ତି। ପ୍ରତି ବ୍ଲକ୍‌ରେ ଭଲ ମୁଗଚାଷ ହୋଇଛି। ଭିଏଡବ୍ଲୁଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ମିଳିମିଶି ସମସ୍ତ କାମ କରାଯାଇଛି ବୋଲି ସେ କହିଛନ୍ତି। ଏନ୍‌ଜିଓ ପକ୍ଷରୁ ଏଭଳି ଉତ୍ତର ମିଳୁଥିବା ବେଳେ କୃଷି ବିଭାଗ ଅଧିକାରୀ ଓ ଚାଷୀଙ୍କ ଭିନ୍ନମତ ରହିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ମୁଗଚାଷ ଚାଷ ନାମରେ ଚାଲିଥିବା କେଳେଙ୍କାରୀ ପଦାକୁ ଆସିବ ବୋଲି ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର