ନିଶା ପାଇଁ ପରିବାରରେ ମୁଣ୍ଡ ଗଡ଼ିଲା

ମଦ୍ୟପ ପୁଅକୁ ମାରି ପୋତିଦେଲା ମା’, ୧୧ ଦିନ ପରେ ଶବ ଉଦ୍ଧାର, ମା’,ପୁଅ ଥାନାରେ ଅଟକ

ବାହାନଗା : ନିଶାପାଣି ଖାଉଥିବାରୁ ମା’ ଓ ବଡ଼ପୁଅ ଆକ୍ରମଣରେ ସାନପୁଅର ପ୍ରାଣ ଯାଇଛି। ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ତାହାରପୁର ଗ୍ରାମର ବାଇଧର ଜେନାଙ୍କ ସାନ ପୁଅ ବଳରାମ ଜେନା (୨୪)। ଆକ୍ରମଣରେ ସାନପୁଅ ମରିଯିବା ପରେ ଅନ୍ୟ ଉପାୟ ନପାଇ ଘର ଭିତରେ ଗାତ ଖୋଳି ମୃତଦେହ ପୋତି ଦିଆଯାଇଥିଲା। ଏ ସମ୍ପର୍କରେ କେହି ବିନ୍ଦୁବିସର୍ଗ ସୂଚନା ପାଇନଥିବାବେଳେ ୧୧ ଦିନ ପରେ ଏହି ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ସୋର ଥାନା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ମା ଓ ବଡପୁଅକୁ ଆଣି ଥାନାରେ ଅଟକ ରଖିଛନ୍ତି।

ସୂଚନା ମୁତାବକ, ବାହାନଗା ବ୍ଲକ୍‌ ଅନ୍ତର୍ଗତ ତାହାରପୁର ଗ୍ରାମର ବାଇଧର ଜେନା ଘର କରି ରହୁଛନ୍ତି। ବାଇଧରଙ୍କ ସାନପୁଅ ବଳରାମ ଡ୍ରାଇଭର ଭାବେ କାମ କରୁଥିବାବେଳେ ଅଧିକାଂଶ ସମୟ ନିଶାପାଣି କରନ୍ତି। ଗତ ୧୨ ତାରିଖ ରାତି ପ୍ରାୟ ୧୧ଟା ସମୟରେ ନିଶାପାଣି ଖାଇ ବଳରାମ ଘରକୁ ଫେରିବା ପରେ କୌଣସି କଥାକୁ ନେଇ ମା-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ଧାରଣ କରିବାରୁ ମାଆ ଶୁକୁରୀ ଜେନା (୫୫) ଓ ବଡ଼ପୁଅ ଜଗବନ୍ଧୁ (୩୨) ମିଶି ବଳରାମଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ଶାବଳ ମାଡ଼ରେ ଘଟଣାସ୍ଥଳରେ ବଳରାମଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମା ଓ ବଡ଼ପୁଅ କିଂକର୍ତ୍ତବ୍ୟବିମୂଢ ହୋଇ ତରବରିଆ ଭାବେ ମୃତଦେହକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ। ସାନପୁଅ ହଠାତ୍‌ ନିଖୋଜ ହୋଇଯାଇଥିବା ଦେଖି ବାପା ବାଇଧର ଘର ପାଖ ଲୋକଙ୍କୁ ପଚରାଉଚରା ମଧ୍ୟ କରିଥିଲେ। ହେଲେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ କେହି ସାମାନ୍ୟତମ ଟେର୍‌ ପାଇନଥିଲେ। ୧୧ ଦିନ ପରେ ତ୍ରିବେଣୀରେ ସାନଭାଇର ପିଣ୍ଡଶ୍ରାଦ୍ଧ ସାରି ବଡଭାଇ ଜଗବନ୍ଧୁ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ମୃତ ବଳରାମଙ୍କ ସ୍ତ୍ରୀ ଓ ୩ ବର୍ଷର ଶିଶୁକନ୍ୟା ଥିବା ସୂଚନା ମିଳିଛି।

ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ଼
କେନ୍ଦୁଝର : ମଦନିଶା ମଣିଷକୁ ବିପଥଗାମୀ କରେ। ରକ୍ତସର୍ମ୍ପକରେ ରକ୍ତଛିଟା ଲଗାଏ। ନିଶାସକ୍ତ ବ୍ୟକ୍ତି ହିତାହିତ ଜ୍ଞାନ ଭୂଲି ନିଜ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରିବାକୁ କୁଣ୍ଠାବୋଧ କରେନି। ଯାହାର ଏକ ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତ ରଙ୍ଗମାଟିଆ ଗ୍ରାମରେ। ଉକ୍ତ ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ମଦ୍ୟପ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗମାଟିଆ ଗ୍ରାମର ଲୁଣ୍ଡା ମୁଣ୍ଡା ଆଜି ମଦପିଇ ପାଟିତୁଣ୍ଡ କରୁଥିଲା। ଲୁଣ୍ଡାର ସାନ ଭାଇ ଦେବେନ୍ ମୁଣ୍ଡା (୩୮)ଙ୍କ ସ୍ତ୍ରୀ ପାଟିତୁଣ୍ଡ କରିବାକୁ ବାରଣ କରିଥି‌ଲା। ଏଥିରେ ଲୁଣ୍ଡା ଉତ୍ତ୍ୟକ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ତାର ଭାଇବୋହୂକୁ ହାଣିବାକୁ ଗୋଡ଼େଇ ଥିଲା। ତେବେ ଭାଇବୋହୂ ବର୍ତ୍ତିଯିବାରୁ ଏଥିରେ ବିଫଳ ହୋଇ ସେ ଘରେ ଶୋଇଥିବା ସାନଭାଇ ଦେବେନଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା। ଦେବେନଙ୍କ ମୁଣ୍ଡକୁ ଚୋଟ ମାରିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସାନଭାଇକୁ ହତ୍ୟା କରିବା ପରେ ଲୁଣ୍ଡା କେଉଁଆଡେ ଫେରାର ହୋଇଯାଇଛି। ଏଥିନେଇ ପୁଲିସ ଖବର ପାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିଲା। ଦେବେନ ମୁଣ୍ଡାଙ୍କର ଛୋଟଛୋଟ ୨ ପୁଅ, ୨ ଝିଅ ଏବଂ ସ୍ତ୍ରୀ ବେସାହାରା ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର