ନିଶା କାରବାରକୁ ବିରୋଧ କରିବାରୁ ହତ୍ୟା: ନାବାଳକକୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଚାରି ଦିନ ପରେ ଗଳିତ ଶବ ଜବତ

ଚନ୍ଦ୍ରଶେଖରପୁର : ରାଜଧାନୀରେ ଏକ ବସ୍ତିରେ ବ୍ରାଉନ୍‌ସୁଗାର କାରବାରକୁ ବିରୋଧ କରିବାକୁ ଯାଇ ଗୋଟିଏ ପରିବାରକୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିଛି। ବଡ଼ ଭାଇ ଉପରେ ଥିବା ରାଗର ପ୍ରତିଶୋଧ ନେବାକୁ ଯାଇ ନାବାଳକ ସାନ ଭାଇକୁ ଟେକି ନେଇ ଜଙ୍ଗଲ ଭିତରେ ନିର୍ମମ ଭାବେ ହତ୍ୟା କରିଛନ୍ତି ନିଶା ବେପାରୀମାନେ।

ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଜି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ୧୩ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେ‌ଳେ ୪ ଦିନ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗୁରୁବାର ଦିନ ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରୁ ଗଳିତ ମୃତଦେହକୁ ଜବତ କରିଛି। ହତ୍ୟାର ଶିକାର ହୋଇଥିବା ନାବାଳକ ହେଲେ ପଣ୍ଡା ପାର୍କ ବସ୍ତିର ଯୁଧିଷ୍ଠିର ନାୟକଙ୍କ ୧୬ ବର୍ଷର ପୁଅ ଦୈତ୍ୟରାଜ। ଏହି ମାମଲାରେ ପୁଲିସ ଦୁଇ ସନ୍ଦିଗ୍ଧ ନିଶା ବେପାରୀ ଦୀପକ ଓ ଗେଡ଼ୁ ମଧ୍ୟରୁ ଜଣକୁ ଉଠାଇଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଦର୍ଶାଇ ପୁଲିସ ଅଧିକ କିଛି ସୂଚନା ଦେଇନାହିଁ।

ଗତ ୧୪ ତାରିଖ ସକାଳୁ ଦୈତ୍ୟରାଜଙ୍କ ବାପା ଯୁଧିଷ୍ଠିର ଚନ୍ଦ୍ରଶେଖରପୁର ଥାନାରେ ପୁଅର ନିଖୋଜ ଖବର ଦେଇଥିଲେ। ଏମିତିକି ସେ ତାଙ୍କ ପୁଅକୁ ଅପହରଣ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଅପହରଣ ପଛରେ ଦୁଇ ନିଶା ବେପାରୀ ଦୀପକ ଓ ଗେଡ଼ୁର ସମ୍ପୃକ୍ତି ରହିଛି ବୋଲି ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ କିନ୍ତୁ ମାମଲାକୁ ହାଲୁକା ଭାବେ ନେଇଥିଲା ଓ ପୁଅକୁ ଖୋଜାଖୋଜି କରିବାକୁ ପରାମର୍ଶ ଦେଇଥିଲା। ବଡ଼ କଥା ହେଉଛି ଯୁଧିଷ୍ଠିର ଯେଉଁ ଦୁଇ ସନ୍ଦିଗ୍ଧଙ୍କୁ ନାଁ ଉଠାଇଥିଲେ, ପୁଲିସ ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କଲାନାହିଁ। ଆଜି ସକାଳୁ ବସ୍ତିର କିଛି ଲୋକ ସଂଲଗ୍ନ ଅଭୟାରଣ୍ୟକୁ ଯାଇଥିବା ବେଳେ ଟ୍ରେଞ୍ଚ୍‌ ଭିତରେ ପାଣି‌ରେ ବୁଡ଼ି ରହିଥିବା ଏକ ମୃତଦେହର ହାତ ଉପରକୁ ଦେଖାଯାଉଥିବା ଦେଖିବାକୁ ପାଇଥିଲେ। ହାତରେ ଏକ ଟାଟୁ ଥିଲା ଓ ସେଥିରୁ ତାହା ଦୈତ୍ୟରାଜର ବୋଲି ସେମାନେ ସନ୍ଦେହ କରିଥିଲେ।

ଖବର ପ୍ରଚାରିତ ହେବା ପରେ ପୁଲିସ ଓ ଯୁଧିଷ୍ଠିରଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ପୁଲିସ ପାଣିରୁ ମୃତଦେହକୁ ଉଠାଇ ଉପରକୁ ଆଣିବା ପରେ ତାହା ଦୈତ୍ୟରାଜର ବୋଲି ସ୍ପଷ୍ଟ ହୋଇଥିଲା। ମୃତଦେହର ମୁହଁ ପୋଡ଼ି ଯାଇଥିଲା ଓ ଗୁପ୍ତାଙ୍ଗରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଥିଲା। ଦେହରେ ଥିବା ଅନେକ କ୍ଷତ ଚିହ୍ନରୁ ସ୍ପଷ୍ଟ ବାରି ହେଉଥିଲା ଯେ ଦୁର୍ବୃତ୍ତମାନେ ଦୈତ୍ୟରାଜକୁ ପ୍ରବଳ ମାଡ଼ ମାରିବା ପରେ ହତ୍ୟା କରି କୌଣସି ରାସାୟନିକ ପଦାର୍ଥ ମୁହଁରେ ପକାଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଦୁର୍ବୃତ୍ତମାନେ ଏଭଳି କରିଥିବା ଅନୁମାନ କରାଯାଉଛି। ଆଜି ଶବ ବ୍ୟବଚ୍ଛେଦ କରାଯାଇନାହିଁ। ଅଧିକ ତଦନ୍ତ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ଓ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର