ଛତୁ ଚାଷ ତାଲିମ ଶିବିର ଉଦ୍‌ଯାପିତ

ବାରିପଦା : ବାରିପଦା ପୌରପରିଷଦର ତକତପୁରସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର(ଆରଏସଇଟିଆଇ) ଆନୁକୂଲ୍ୟରେ ଗତ ନଭେମ୍ବର ୨୦ରୁ ଆରମ୍ଭ ହୋଇଥିବା ୧୦ ଦିବସୀୟ ଛତୁ ଚାଷ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଦେବେନ୍ଦ୍ର ନାଥ ବାସ୍କେ ଓ ସ୍କିଲ ଶିକ୍ଷକ ଛତିଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାରେ ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରାଇବା, ଯୁବ ପୀଢ଼ି ଓ ମହିଳାମାନଙ୍କୁ ମୂଦ୍ରା ଋଣ, ଜୀବନ ବୀମା, ଅନ୍ୟାନ୍ୟ କୃଷି ଋଣ ଆଦି ଯୋଗାଇ ଦିଆଯାଇ ବିଭିନ୍ନ ପ୍ରକାରର ଉଦ୍ୟୋଗ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରାଇଥିଲେ ।

ଉକ୍ତ ତାଲିମ କାର୍ଯ୍ୟକ୍ରମରେ ଜାତୀୟ ଏକାଡ଼େମୀ ଅଫ୍ ରୁଡ଼ସେଟି ପକ୍ଷରୁ ନିଯୁକ୍ତ ଛତୁଚାଷ ତାଲିମ ଶିକ୍ଷକ ତଥା ସଫଳ ଛତୁଚାଷୀ ଓ ଛତୁ ମଞ୍ଜି ଉତ୍ପାଦନକାରୀ ଶିଶିର କୁମାର ମହାନ୍ତ ତାଲିମ ଶିବିରରେ ଯୋଗ ଦେଇଥିବା ଜିଲ୍ଲାର ବିଭିନ୍ନ ବ୍ଲକର ଆଗ୍ରହୀ ଚାଷୀମାନଙ୍କୁ ଚତୁଚାଷ ପଦ୍ଧତି, ଚାଷରୁ ମିଳୁଥିବା ଲାଭ, ଚାଷ ନିମନ୍ତେ ଉପଲବ୍ଧ ସରକାରୀ ସୁବିଧା ସୁଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଶେଷରେ ଛତୁଚାଷ ତାଲିମ ଶିବିରରେ ଯୋଗ ଦେଇଥିବା ସମସ୍ତ ଚାଷୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର