ସଂଗୀତକାର ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
କଟକ/ଭୁବନେଶ୍ବର : ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଲୋକପ୍ରିୟ କଣ୍ଠଶିଳ୍ପୀ ଅମରେନ୍ଦ୍ର ମହାନ୍ତି (ବୁଲୁ ଭାଇ) ଆଉ ନାହାନ୍ତି। ଏହି ମହାନ ପ୍ରତିଭାଧରଙ୍କ ଜୀବନର ଅନ୍ତ ଘଟାଇଛି କରୋନା ଭାଇରସ୍। ୧୯୫୮ ଫେବ୍ରୁଆରି ୧୬ ତାରିଖରେ କଟକରେ ଜନ୍ମିତ ଅମରେନ୍ଦ୍ର ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୩ ବର୍ଷ ହୋଇଥିଲା। ଅମରେନ୍ଦ୍ରଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୩ ତାରିଖରେ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ୧୫ ଦିନର ସଂଘର୍ଷ ପରେ ସେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଜ୍ବାଇଁ ଅଭିଷେକ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ଅମରେନ୍ଦ୍ରଙ୍କ ଏକମାତ୍ର ଝିଅ ଅନ୍ବେଷା ମହାନ୍ତି, ଦୁଇ ଭାଇ ବାପି, ମିନା, ବିଏମ୍ସିର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ଏଡିଏମ୍, ସୂଚନା ଓ ଲୋକ ସଂପର୍କ ବିଭାଗର ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ନଗେନ୍ଦ୍ରନାଥ ମହାନ୍ତି ଓ ଶରତ କୁମାର ମହାନ୍ତିଙ୍କ ପୁଅ ଅମରେନ୍ଦ୍ର ପି.ଏମ୍. ଏକାଡେମିରୁ ସ୍କୁଲ ଶିକ୍ଷା ପରେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା କରିଥିଲେ।
ଆରମ୍ଭରୁ ସଂଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା ଏବଂ ସେ ପ୍ରଖ୍ୟାତ ସଂଗୀତକାର ଅକ୍ଷୟ ମହାନ୍ତିଙ୍କର ଘନିଷ୍ଠ ଥିଲେ। ହରେକୃଷ୍ଣ ମହାନ୍ତି, ବାଳକୃଷ୍ଣ ଦାଶ, ସୁନନ୍ଦା ପଟ୍ଟନାୟକଙ୍କ ଠାରୁ ସେ ସଂଗୀତର ମୌଳିକ ଶିକ୍ଷା ଗ୍ରହଣ କରିଥିଲେ ବି ବିଧିବଦ୍ଧ ଭାବେ ସେ ସଂଗୀତ ଶିଖି ନଥିଲେ। ଆକାଶବାଣୀ, କଟକ କେନ୍ଦ୍ରର ଯୁବବାଣୀ ଜରିଆରେ ନିଜର ସଂଗୀତ ଜୀବନ ଆରମ୍ଭ କରି ପରବର୍ତୀ ସମୟରେ ଅମରେନ୍ଦ୍ର ଉଭୟ ଚଳଚ୍ଚିତ୍ର ସଂଗୀତ ଓ ଭଜନରେ ନିଜର ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି। ସବିତା କାନୁନଗୋଙ୍କୁ ସେ ପ୍ରେମ ବିବାହ କରିଥିଲେ। ତାଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଆଉ ଯୁବବାଣୀରେ ଗାଇଥିବା ‘ସବିତା… ସବିତା… ସବିତା.. ଖୁବ୍ ଲୋକପ୍ରିୟ ହୋଇଥିଲା। ଅକ୍ଷୟ ମହାନ୍ତି ହୁଅନ୍ତୁ କି ଚିତ୍ତ ଜେନା, ଭିକାରି ବଳ ହୁଅନ୍ତୁ କି ସୁବାସ ଦାଶ, ଶୀର୍ଷାନନ୍ଦ ଦାସକାନୁନଗୋ ହୁଅନ୍ତୁ ଅଥବା ପ୍ରଣବ ପଟ୍ଟନାୟକ, ମହମ୍ମଦ ଅଜିଜ୍ ହୁଅନ୍ତୁ କି ସୋନୁ ନିଗମ… ସମସ୍ତଙ୍କୁ ନେଇ ନିଆରା ଢଙ୍ଗରେ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କୁ ଭେଟି ଦେବାରେ ସେ ଥିଲେ ଅତୁଳନୀୟ। ସୁନା ପଂଜୁରୀ ଚଳଚ୍ଚିତ୍ରରେ ‘ ପୁଚୁକି ଗାଲି ଫେସନବାଲି’ ଗୀତ ଜରିଆରେ ସେ ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ପୁଣିଥରେ ଲୋକପ୍ରିୟ କରାଇବାରେ ସଫଳ ହୋଇଥିଲେ। ସେହି ଗୀତକୁ ସୋନୁ ନିଗମ ଗାଇ ଥିଲେ। ଶ୍ରଦ୍ଧାଞ୍ଜଳି ଫିଲ୍ମ ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶନାରେ ପାଦ ଥାପି ଥିବା ଅମରେନ୍ଦ୍ର ସୁନା ପଞ୍ଜୁରୀ, ଭାଇ ହେଲା ଭଗାରି, ପଥର ଖସୁଛି ବଡ଼ ଦେଉଳୁ, ଅଣ୍ଟି ଛୁରୀ ତଣ୍ଟି କାଟେ, ଘରଜ୍ବାଇଁ, ଠାକୁର ଅଛନ୍ତି ଚଉବାହାକୁ, ସୁନା ଭାଉଜ, ବସୁଧା, ବାପା, ସିଂହବାହିନୀ, ପବିତ୍ର ବନ୍ଧନ, ମେଘ ବରଷିବ ଟୁପୁରୁ ଟାପୁରୁ, ପ୍ରେମ ଅଲଗା ପ୍ରକାର, ଗାଁର ନା ଗାଲୁଆପୁର ଭଳି ଅନେକ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ଶୋଇ ଯା ମାମା…, ମୋର ମନ ଉଡି ଉଡି ଯାଏ ରେ…, ଏଇ ଆକାଶକୁ ଭଲ ପାଏ ବୋଲି.., ପଚାରିଲେ ରାଧିକାଙ୍କୁ ଦିନେ ନନ୍ଦ ବଳା…, ଚାଲ ବେଗି ବେଗି ଯିବା ସଙ୍ଗାତ…, ମିଛ ଦୁନିଆରେ ଗୋଟିଏ ସତ…, ଜୟ ଜଗଦୀଶ ହରେ, ସଂଜ ସକାଳେ ତୁମ ଛବି ଖୋଜେ ନୀରଭିଜା ନୟନରେ, ଜୟ ଜଗନ୍ନାଥ ପତିତ ପାବନ ଓଡ଼ିଶା ବଡ଼ଠାକୁର ଭଳି ଅଲୁଭା ସଙ୍ଗୀତର ସ୍ବର ସ୍ରଷ୍ଟା ଥିଲେ ଅମରେନ୍ଦ୍ର।
ଭଜନ ସମ୍ରାଟ ଭିକାରୀ ବଳଙ୍କ ପାଇଁ ‘ଭାବପୂର୍ଣ୍ଣ ଗୀତରେ ସ୍ବର ସଂଯୋଜନା କରିଥିବା ଅମରେନ୍ଦ୍ର ନୀଳଶଇଳ, ପ୍ରଭୁ ଦର୍ଶନ, ଜଗନ୍ନାଥ ମହିମା, ଶ୍ରୀ ହନୁମାନ ଚାଳିଶା, ଶରଧାବାଲି, ଅଠର ଦିନର ମହାଭାରତ, ନନ୍ଦିଘୋଷ ରଥ, ନନ୍ଦରାଜା ପୁଅ, ବଡ଼ ଦିଅଁ, କଳାକାହ୍ନୁ ଏବଂ ହୋଲି ସଙ୍ଗୀତ ପ୍ରସ୍ତୁତ କରି ସଂଗୀତ ପ୍ରେମୀଙ୍କ ହୃଦୟରେ ଆଜି ବି ସତେଜ ହୋଇ ରହିଛନ୍ତି। ଓଡ଼ିଶା ଅପେରା, ତୁଳସୀ, ଗୌରୀ, ପାର୍ବତୀ, ତ୍ରିନାଥ, ଶିବାନୀ ବାଣେଶ୍ବରୀ ପ୍ରମୁଖ ଗଣନାଟ୍ୟରେ ବହୁଚର୍ଚ୍ଚିତ ନାଟକରେ ମଧ୍ୟ ଅମରେନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
କଟକରେ ନିଜ ଘରେ ଅମରେନ୍ଦ୍ର ପ୍ରଥମେ ‘ଆଶା ଷ୍ଟୁଡିଓ’ ପ୍ରତିଷ୍ଠା କରିଥିଲେ। ପୂର୍ବରୁ ବଲିଉଡ୍ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଆ ଗୀତ ରେକର୍ଡିଂ କରିବା ପାଇଁ ଓଡ଼ିଶା ସଂଗୀତକାର ମୁମ୍ବାଇକୁ ଯାଉଥିବା ବେଳେ ଅମରେନ୍ଦ୍ର ମହମ୍ମଦ ଅଜିଜଙ୍କୁ ପ୍ରଥମଥର ପାଇଁ କଟକ ଆଣି ତାଙ୍କର ଆଶା ଷ୍ଟୁଡିଓରେ ଗୀତ ରେକର୍ଡିଂ କରିଥିଲେ। ପୁଚୁକି ଗାଲି ଫେସନ ବାଲି ଗୀତରେ ମଧ୍ୟରେ ସେ ସୋନୁ ନିଗମଙ୍କୁ ପ୍ରଥମ ଥର ସୁଯୋଗ ଦେଇଥିଲେ। କୁମାର ସାନୁ, ଉଦିତ ନାରାୟଣ, ଆଦିତ୍ୟ ନାରାୟଣଙ୍କ ଭଳି ପ୍ରସିଦ୍ଧ କଣ୍ଠଶିଳ୍ପୀ ବି ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇଛନ୍ତି। ମୁମ୍ବାଇ ଯାଇ ସେ ଟି ସିରିଜରେ କାମ କରିବାର ସୁଯୋଗ ପାଇଥିଲେ ବି କଟକ ଆଉ ଓଡ଼ିଶାର ମୋହ ଛାଡି ନପାରି ଅଳ୍ପ ଦିନରେ ଫେରି ଆସିଥିଲେ। ଦୁଇ ବର୍ଷ ତଳେ ତାଙ୍କର ପତ୍ନୀ ସବିତା କାନୁନଗୋଙ୍କ ପରଲୋକ ଘଟିଥିଲା। ସେବେଠାରୁ ସେ ଏକପ୍ରକାର ଭାଙ୍ଗି ପଡିଥିଲେ। କଟକ ଛାଡି ସେ ଭୁବନେଶ୍ବରର ଶୈଳଶ୍ରୀ ବିହାରରେ ରହୁଥିଲେ ବି ନିଜକୁ ଜଣେ ସଚ୍ଚା କଟକିଆ ଭାବେ ସେ ପରିଚୟ ଦେଉଥିଲେ। ଭୁବନେଶ୍ବରରେ ସେ ଅମରେନ୍ଦ୍ର ମହାନ୍ତି ମ୍ୟୁଜିକ୍ ଏକାଡେମି (ଆମ୍ମା) ପ୍ରତିଷ୍ଠା କରି କୋଭିଡ୍ ସମୟରେ ସଂଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ। କୋଭିଡ୍ ସମୟରେ ସେ ଭର୍ଚୁଆଲ୍ ପ୍ଲାଟଫର୍ମ ଜରିଆରେ ବି ସେ ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମ ଜାରି ରଖିଥିଲେ।