ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟ ଗଲେ ମୁସଲିମ ଛାତ୍ର

ମଧ୍ୟବର୍ତ୍ତୀ ଆବେଦନପତ୍ର ଦାଖଲ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନ‌ାହିଁ ତାକୁ ନେଇ ଦ୍ବନ୍ଦ୍ବ ବଢ଼ୁଛି। ମାମଲା ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାରି ଭିତରେ ରଥଯାତ୍ରା ବନ୍ଦ କରିବାକୁ ଜଣେ ଓଡ଼ିଆ ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଥିବା ବେଳେ ରଥଯାତ୍ରା ସପକ୍ଷରେ ମଧ୍ୟ ଏକାଧିକ ପକ୍ଷ ସାମିଲ ହୋଇଛନ୍ତି। ଆସନ୍ତାକାଲି ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ରୋଚକ ଘଟଣାଟି ହେଲା ମହାପ୍ରଭୁଙ୍କ ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ଆଜି ମଧ୍ୟବର୍ତ୍ତୀ ଆବେଦନପତ୍ର (ଆଇଏ ନମ୍ବର- ୫୫୭୪୫/୨୦୨୦) ଦାଖଲ କରିଛନ୍ତି ନୟାଗଡ଼ ଜିଲ୍ଲାର ଜଣେ ମୁସଲମାନ ସଂପ୍ରଦାୟର ଯୁବକ ଅଫତାବ ହୁସେନ। ଆଜି ଏ ନେଇ ମଧ୍ୟବର୍ତ୍ତୀ ଆବେଦନପତ୍ର ଦାଖଲ ହୋଇଥିବା ନେଇ ତାଙ୍କ ଓକିଲ ପ୍ରଣୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଯୁକ୍ତ ତିନି ଅର୍ଥନୀତି ସମ୍ମାନ ରଖି ନୟାଗଡ଼ କଲେଜରେ ଅଧ୍ୟୟନ କରୁଥିବା ଅଫତାବ ମହାପ୍ରଭୁଙ୍କ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଶ୍ରୀ ହୁସେନ ‘ସମ୍ବାଦ’କୁ କହିଛନ୍ତି, ସାଢେ ୪ କୋଟି ଓଡ଼ିଆଙ୍କ ମୁରବି ହେଉଛନ୍ତି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆମେ ପ୍ରତିଟି ଓଡ଼ିଆ ତାଙ୍କୁ ନେଇ ଦେଶବିଦେଶରେ ପରିଚିତ। ତାଙ୍କ କ୍ଷେତ୍ର ନୀଳାଚଳ ଧାମ ପୁରୀ ଓ ତାଙ୍କ ଘୋଷଯାତ୍ରା ବିଶ୍ବ ପ୍ରସିଦ୍ଧ। ସେ ଆମର ସବୁକିଛି। ମାତ୍ର ତାଙ୍କ ରଥଯାତ୍ରାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ସବୁ ଦାୟିତ୍ବ ଛାଡ଼ି ଦେଇଥିଲା ବେଳେ ଏହି ମାମଲା ପୁଣି କାହିଁକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା? ନିଜ ମୁରବିଙ୍କୁ ନେଇ ବାରମ୍ବାର କାଠ ଗଡ଼ାରେ ଠିଆ କରାଯାଉଥିବା ବେଳେ ସାଢ଼େ ୪ କୋଟି ଓଡ଼ିଆ କ’ଣ ପାଇଁ ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି।

image source–wikiwand

ସେ ପୁଣି କହିଛନ୍ତି, ଯାହାକୁ ନେଇ ଆମେ ସମସ୍ତେ ଗର୍ବିତ ତାଙ୍କ ପାଇଁ କେହି ଆଗକୁ ଆସୁନାହାନ୍ତି କାହିଁକି। କରୋନା ସଙ୍କଟ ଆସିଛି, ଏହା ସତ। ତେବେ ଏହି ସଙ୍କଟ ଯଦି ବର୍ଷ ବର୍ଷ ଧରି ଲାଗି ରହେ ତେବେ‌ କ’ଣ ମହାପ୍ରଭୁଙ୍କ ନୀତିକାନ୍ତି ସବୁ ଦିନ ପାଇଁ ବନ୍ଦ କ’ଣ ରଖାଯାଇପାରିବ ? ସେ ଯଦି ମାନବୀୟ ଲୀଳା କରୁଛନ୍ତି ତାଙ୍କ ରଥ ନହେଲେ, ନୀତି କରାନଗଲେ ପରମ୍ପରା ବ୍ୟାଘାତ ହେବ ନାହିଁ କି ବୋଲି ମତ ରଖିଛନ୍ତି।

ମହାପ୍ରଭୁଙ୍କ ନୀତି ପାଇଁ ବାରମ୍ବାର ଆଇନର ଆଶ୍ରୟ ନିଆନଯାଉ। ହାଇକୋର୍ଟ ନିର୍ଦ୍ଦେଶ ଦେଇ ସାରିବା ପରେ ମାମଲାକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେବା ଭଲ ଲକ୍ଷଣ ନୁହେଁ ବୋଲି ଅଫତାବ କହିଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ଇମଦାଦ ହୁ‌ସେନଙ୍କ ପୁଅ ଅଫତାବ ହୁସେନ (୧୯)ଙ୍କ ଏଭଳି ଉଦ୍ୟମ ପ୍ରଶଂସନୀୟ। ଗୋଟିଏ ପଟେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ମନାନ୍ତର ହେଉଥିବା ବେଳେ ଜଣେ ଓଡ଼ିଆ ଭାବେ ରଥଯାତ୍ରା ସପକ୍ଷରେ ସେ ‌ଯେଉଁ ସକାରାତ୍ମକ ଚିନ୍ତା କରିଛନ୍ତି ତାହା ଶିକ୍ଷଣୀୟ। ଅଫତାବଙ୍କ ଏ ପ୍ରକାର ବଳିଷ୍ଠ ଯୁକ୍ତି ନିଶ୍ଚିତ ପକ୍ଷରେ ଏକ ଉଦହାରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚ‌ା ହେଉଛି।

ସମ୍ବନ୍ଧିତ ଖବର