ପିପିଇ କିଟ୍‌ କିଣାରେ ଦୁର୍ନୀତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଏତଲା

ଭୁବନେଶ୍ୱର : ସମଗ୍ର ରାଜ୍ୟ କାରୋନା ସହ ଲଢ଼ୁଥିବା ବେଳେ ପିପିଇ(ବ୍ୟକ୍ତିଗତ ସୁରକ୍ଷା ଉପକରଣ)କିଣାରେ ସରକାର ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରି ଔଷଧ ନିଗମ ସାଧାରଣ ପରିଚାଳକ ଓ ତତ୍‌କାଳୀନ ଔଷଧ ଖରିଦ୍‌ କମିଟି ଅଧ୍ୟକ୍ଷ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ୭ ଜଣଙ୍କ ନାମରେ ଏତଲା ଦିଆଯାଇଛି। ଆଇନଜୀବୀ ଲଲାଟେନ୍ଦୁ ଦାସ ଏ ନେଇ ଖାରବେଳ ଥାନାରେ ଏତଲା ଦେବା ସହ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ଅଭିଯୋଗ ମୁତାବକ, କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ଦିଲ୍ଲୀର କୋରୋଡେକ୍ସ ଇନ୍‌ଫ୍ର‌ାଷ୍ଟ୍ରକଚର୍‌ ପ୍ରାଃ ଲିଃ ଜରିଆରେ ପିପିଇ କିଟ୍‌ କିଣିଥିଲେ। ଏହି ସଂସ୍ଥା ରିୟଲ ଇଷ୍ଟେଟ ବେପାର କରୁଥିବା ବେଳେ ପୂର୍ବରୁ ମେଡିକାଲ ସରଞ୍ଜାମ କିଣାବିକା କରିବା ଅଭିଜ୍ଞତା ନଥିଲା କିମ୍ବା ରାଜ୍ୟ ଔଷଧ ନିଗମର ତାଲିକାଭୁକ୍ତ ନଥିଲା। କିନ୍ତୁ ସରକାର ଏହି ସଂସ୍ଥା ଜରିଆରେ ୧୫ଶହ ଟଙ୍କା ହିସାବରେ ୧ ହଜାର ପିପିଇ କିଟ୍‌ କିଣିଥିଲେ। ରାଜ୍ୟ ଔଷଧ ନିଗମ ସାଧାରଣ ପରିଚାଳକ ଡା. ଜ୍ଞାନବ୍ରତ ମହାନ୍ତି ଏହି ଖରିଦ୍‌ ଅର୍ଡର ପ୍ରକାଶ କରିଥିଲେ। ମୋଟ ୨୪ ଲକ୍ଷ ୩୩ ହଜାର ପିପିଇ କିଟ୍‌ କିଣିଛନ୍ତି। ଏଥିରେ ହୋଇଥିବା ଦୁର୍ନୀତିରେ ୩ଶହ କୋଟି ଟଙ୍କା ହରିଲୁଟ୍‌ ହୋଇଛି ବୋଲି ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି।

ପିପିଇ କିଟ୍‌ଗୁଡ଼ିକ ଉତ୍ତମ ଗୁଣବତ୍ତାର ନୁହେଁ, କିମ୍ବା କୌଣସି ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରମାଣିତ ନୁହେଁ। ପିପିଇ କିଟ୍‌ ଭଳି ମେଡିକାଲ ସରଞ୍ଜାମ କିଣିବା ପାଇଁ କେନ୍ଦ୍ର ସରକାର ଇ-ମାର୍କେଟ୍‌ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ବ୍ୟବସ୍ଥାକୁ ଉପେକ୍ଷା କରି ନିମ୍ନମାନର ପିପିଇ କିଟ୍‌ କିଣାଯାଇଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଏମାନଙ୍କୁ ଘଣ୍ଟ ଘୋଡ଼ାଇ ଅପରାଧରେ ସାମିଲ ହୋଇଛନ୍ତି। ଏମାନଙ୍କୁ ବିରୋଧରେ ୩୨୩/ ୪୨୦/ ୪୦୬/ ୪୬୭/ ୪୬୮/ ୨୦୧/ ୫୦୬/ ୩୪ ଓ ୧୨୦ବି ବଳରେ ମାମଲା ରୁଜୁ କରିବା ପାଇଁ ସେ ଏତଲାରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର