ନବନିର୍ମାଣ କୃଷକ ସଂଗଠନର ଧାରଣା ତୃତୀୟ ଦିନରେ : ୧୬ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ଜଣେ ଅନଶନକାରୀ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତି

ଭୁବନେଶ୍ୱର : ଚାଷୀଙ୍କୁ ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ୍‌ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନରେ ମଧ୍ୟ ଦୁଇ ଶହରୁ ଅଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଏହାକୁ ସମର୍ଥନ ଜଣାଇ ଆଜି ମଧ୍ୟ କଂଗ୍ରେସ ନେତୃବୃନ୍ଦ ଧାରଣାସ୍ଥଳରେ ପହଞ୍ଚିଥିଲେ।

ଅପରପକ୍ଷରେ ଭାପୁର ଅଞ୍ଚଳର ରମେଶ ଚନ୍ଦ୍ର ବାରିକ ଅସୁସ୍ଥ ହେବା କାରଣରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୧୬ତାରିଖରୁ ସମସ୍ତ ଜିଲ୍ଲାର ସଦର ମହକୁମାରେ ଆନ୍ଦୋଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆଜି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି। ଗତକାଲି ଭଳି ଆଜି ୨ଶହରୁ ଅଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଦାବି ଉପସ୍ଥାପନ କରି ଅକ୍ଷୟ କୁମାର କହିଲେ ଯେ ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା, ଚିରଞ୍ଜୀବୀ ବିଶ୍ୱାଳ, ପ୍ରକାଶ ବେହେରା, ଯୋଗେନ୍ଦ୍ର ସିଂ, ତାରା ପ୍ରସାଦ ବାହିନୀପତି ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସମାଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର