ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି: ଉତ୍ତର ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ କରାଯାଉ

ବାଲେଶ୍ୱର : ଉତ୍ତର ଓଡ଼ିଶାର ଅର୍ଥନୈତିକ କେନ୍ଦ୍ର ବାଲେଶ୍ୱରରେ ରେଳ ଡିଭିଜନ୍‌ ପ୍ରତିଷ୍ଠା ଓ ନୀଳଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ କରିବାକୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର-ନୀଳଗିରି ମଧ୍ୟରେ ରେଳ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଥିବାରୁ ନବଜ୍ୟୋତି ତାକୁ ସ୍ୱାଗତ କରିଛନ୍ତି। ବାଲେଶ୍ବର-ନୀଳଗିରି ରେଳପଥକୁ ମୟୂରଭଞ୍ଜ ଜିଲ୍ଲା ମଧ୍ୟଦେଇ ଉତ୍ତର ଓଡ଼ିଶାର ଖଣି ଅଞ୍ଚଳକୁ ସଂପ୍ରସାରଣ କରାଗଲେ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ବାଲେଶ୍ୱରରେ ଏକାଧିକ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ବିଗତ ୨୦ ବର୍ଷ ମଧ୍ୟରେ ଏଠାରେ ଶିଳ୍ପ ପ୍ରତିଷ୍ଠା ଦୂର କଥା, ପୂର୍ବରୁ ଥିବା ଶିଳ୍ପଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ଯାହାଫଳରେ ଏହି ଅଞ୍ଚଳରେ ବେକାରୀ ଓ କର୍ମନିଯୁକ୍ତି ସମସ୍ୟା ବୃଦ୍ଧି ପାଇଛି। ଶ୍ରୀ ବୈଷ୍ଣବ ପୂର୍ବରୁ ବାଲେଶ୍ୱର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାରୁ ଏ ସମ୍ପର୍କରେ ଅବଗତ ଥିବେ। କୋଭିଡ୍‌ ମହାମାରୀଜନିତ କଟକଣା ଏଠାକାର ଅର୍ଥନୀତିକୁ ଆହୁରି ଖରାପ କରିଦେଇଛି।

ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବାଲେଶ୍ୱର ଓ ଉତ୍ତର ଓଡ଼ିଶାର ଅର୍ଥନୈତିକ ବିକାଶ ନିମନ୍ତେ ଏଠାରେ ରେଳ ଭିତ୍ତିଭୂମିର ବିକାଶକୁ ଏକ ଅଂଶ ଭାବରେ ସାମିଲ କରାଯିବା ଉଚିତ। ସଂପ୍ରତି ବାଲେଶ୍ୱରରେ ରେଳ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଖଡଗପୁର ଡିଭିଜନ୍‌ ଅଧୀନରେ ରହିଛି। ଏହି କାରଣରୁ ରେଳ ମନ୍ତ୍ରଣାଳୟର ନୀତି, ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ବାଲେଶ୍ୱର ଓ ଉତ୍ତର ଓଡ଼ିଶା ସବୁବେଳେ ଅବହେଳିତ ହୋଇଆସୁଛି। ଯେଉଁଥିପାଇଁ ଏଠାରେ ରେଳ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ନିରୁତ୍ସାହଜନକ ଓ ମନ୍ଥର। ତେବେ ବାଲେଶ୍ୱରରେ ଏକ ରେଳ ଡିଭିଜନ୍‌ ଯଥାଶୀଘ୍ର ପ୍ରତିଷ୍ଠା କରାଗଲେ ତାହା ଅଞ୍ଚଳବାସୀଙ୍କ ନାର୍ଯ୍ୟ ଆଶାଆକାଂକ୍ଷା ପୂରଣ କରିବାରେ ସହାୟକ ହେବା ସହିତ ଏ ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ଘଟିବ, ଯାହା ଗତ ଦୁଇ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଛି।

ଏଥିସହିତ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ଉତ୍ତର ଓଡ଼ିଶାର ୮୦ କିଲୋମିଟର ଦୀର୍ଘ ବେଳାଭୂମି ସହିତ ନୀଳଗିରି ଓ ମୟୂରଭଞ୍ଜ ପାର୍ବତ୍ୟାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ କରିଡର୍‌ ସ୍ଥାପନ ପାଇଁ ନୀଳଗିରି-ମୟୂରଭଞ୍ଜ ରେଳଲାଇନ୍ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ। ଉକ୍ତ ରେଳ ଲାଇନର ମୁଖ୍ୟଭାଗ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମଧ୍ୟ ଦେଇଯିବ। ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ, ବହୁବିଧ ଜୀବଜନ୍ତୁ, ବୃକ୍ଷଲତା, ବନ୍ୟପ୍ରାଣୀରେ ଭରପୂର ଏବଂ ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ମଧ୍ୟ ଘଟିବ। ତା ସହିତ ଉଦୟପୁର ଦେଇ ଜଳେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଏବଂ ଏହି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠଗୁଡିକୁ ସଂଯୁକ୍ତ କରି ଏକ ରେଳଲାଇନ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଦଶନ୍ଧି ଦଶନ୍ଧି ଧରି ଏଥିପାଇଁ କେବଳ ପ୍ରତିଶ୍ରୁତି ମିଳିଛି, କିନ୍ତୁ ତାହା ସାକାର ହୋଇ ପାରିନାହିଁ। ଅନୁରୂପ ଭାବରେ ରୂପସା-ବାଙ୍ଗିରପୋଷି ରେଳ ଲାଇନକୁ ଗୋରୁମହିଷାଣି ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଅସରନ୍ତି ଆଲୋଚନା ଚାଲିଛି। ଏହା ନିର୍ମାଣ କରାଗଲେ ଜାମସେଦପୁର, ଝାଡ଼ଖଣ୍ଡକୁ ୧୦୦ କିମି ଦୂରତା କମିଯିବ। ବାଲେଶ୍ୱର ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ରେଳ ମନ୍ତ୍ରଣାଳୟ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହି ସମସ୍ତ ପ୍ରସ୍ତାବଗୁଡ଼ିକ ସାକାର ହେଲେ ତାହା ଉତ୍ତର ଓଡ଼ିଶାର ପୂର୍ଣ୍ଣାଙ୍ଗ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ଏବଂ କେନ୍ଦ୍ର ସରକାରଙ୍କର ପୂର୍ବ ଭାରତର ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ‘ପୂର୍ବୋଦୟ ଅଭିଯାନ କ୍ଷେତ୍ରରେ ପରିପୂରକ ଭୂମିକା ନିର୍ବାହ କରିପାରିବ। ରେଳମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର