ସୁବର୍ଣ୍ଣରେଖା ପ୍ରକଳ୍ପ ଅଧିନସ୍ଥ ବିଭିନ୍ନ ଡ୍ୟାମ୍ କାମ ଶେଷ କରିବା ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ 

ଭୁବନେଶ୍ୱର: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସୁବର୍ଣ୍ଣରେଖା ବହୁମୁଖୀ ପ୍ରକଳ୍ପରେ ନିର୍ମାଣାଧୀନ ହେଉଥିବା ଇଚ୍ଛା ଡ୍ୟାମର କାମ ସାରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି | ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ସୁବର୍ଣ୍ଣରେଖା-ଖରାଖାଇ ଅବବାହିକାରେ ଖରିଫ ଫସଲ ପାଇଁ ଡ୍ୟାମ ନିର୍ମାଣ ହୋଇଛି | ଆଉ ଇଚ୍ଛା ଡ୍ୟାମ ସମ୍ପୂର୍ଣ୍ଣ ହେଲେ ଜଳସେଚନ ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବ |

ଇଚ୍ଛା ଡ୍ୟାମ ପାଇଁ ୧୨୦୮ କୋଟି ଟଙ୍କାରୁ ରାଜ୍ୟ ସରକାର ଝାଡ଼ଖଣ୍ଡ ସରକାରଙ୍କୁ ୧୦୨୯.୯୧ କୋଟି ଟଙ୍କା ଦେଇଛନ୍ତି | ସେହିପରି ଡ୍ୟାମ ହେବା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୩୬ଟି ଗ୍ରାମର ଗ୍ରାମବାସୀଙ୍କୁ ଥଇଥାନ କରାଯାଇ ୫୧୯୬ ଏକର ଜମି ଅଧିଗ୍ରହଣ କରାଯାଇଛି | ସେହିପରି ଚାନ୍ଦିଲି ଡ୍ୟାମରେ ବର୍ଷା ସମୟରେ ୧୮୧.୫୦ ମିଟର ପାଣି ରଖାଯାଉଥିବାବେଳେ ଏହାର ଜଳଧାରଣ କ୍ଷମତା ୧୯୨ ମିଟର ରହିଛି |

ଯେହେତୁ ଡ୍ୟାମର କ୍ଷମତା ଅନୁସାରେ ପାଣି ରଖାଯାଉନାହିଁ, ତେଣୁ ବନ୍ୟା ସମସ୍ୟା ସୃଷ୍ଟି ହେଉଛି | ତେଣୁ ଇଚ୍ଛା ଡ୍ୟାମର ନିର୍ମାଣକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ବର୍ଷା ସମୟରେ ଚାନ୍ଦିଲି ଡ୍ୟାମରେ ଜଳ ସଂରକ୍ଷିତ ରଖିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି | ଇଚ୍ଛା ଡ୍ୟାମର ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କୁ ଜଳସେଚନର ସୁବିଧା ମିଳିବା ସହ ଚାନ୍ଦିଲି ଡ୍ୟାମରେ ଜଳ ସଂରକ୍ଷିତ ରଖିଲେ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ବୋଲି ନବୀନ ଲେଖିଛନ୍ତି |

ସମ୍ବନ୍ଧିତ ଖବର