ନାକୋ ରିପୋର୍ଟ : ରାଜ୍ୟରେ ୪୧ ହଜାରରୁ ଅଧିକ ଲୋକଙ୍କୁ ଏଚ୍‌ଆଇଭି

ନୂଆ ଏଚ୍‌ଆଇଭି ଆକ୍ରାନ୍ତରେ ୩୦ପ୍ରତିଶତ ହ୍ରାସ

ଭୁବନେଶ୍ୱର : ଗତ ୭ବର୍ଷରେ ରାଜ୍ୟରେ ନୂଆ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ୨୪୨୨ ନୂଆ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆସାମ, ଆନ୍ଧ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ଓଡ଼ିଶା ଯଥେଷ୍ଟ ପଛରେ ରହିଛି, ତଥାପି ରାଜ୍ୟ ପାଇଁ ଏହା ଚିନ୍ତାଜନକ। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋ ପକ୍ଷରୁ ନିକଟରେ ଜାରି ହୋଇଥିବା ବାର୍ଷିକ ରିପୋର୍ଟରେ ଏଚ୍‌ଆଇଭି/ଏଡ୍‌ସରେ ଓଡ଼ିଶାର ଏଭଳି ଚିତ୍ର ରହିଛି। ଯାହାଫଳରେ ୨୦୩୦ ମସିହା ସୁଦ୍ଧା ଦେଶରେ ଏଚ୍‌ଆଇଭି/ଏଡ୍‌ସର ମୂଳୋତ୍ପାଟନ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତହିଁରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଗତବର୍ଷ ରାଜ୍ୟରେ ଯେତିକି ନୂଆ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏହାର ହାର ହେଉଛି ୨.୪୨ ପ୍ରତିଶତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪୪ପ୍ରତିଶତ ହେଉଛନ୍ତି ମହିଳା। ରାଜ୍ୟରେ ଏବେ ୪୧ହଜାର ୩୫୭ଜଣ ଏଚ୍‌ଆଇଭି ଆକ୍ରାନ୍ତ ରହିଛନ୍ତି। ତହିଁରେ ୧୭୮୪୩ ହେଉଛନ୍ତି ମହିଳା। ୧ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୦.୪୧୪ ପ୍ରତିଶତ ଏଚ୍‌ଆଇଭି ଆକ୍ରାନ୍ତ ବସବାସ କରୁଛନ୍ତି। ୧୭୧୪୨ଜଣ ଆକ୍ରାନ୍ତଙ୍କୁ ଏଆରଟି କେନ୍ଦ୍ର ସହିତ ସାମିଲ କରାଯାଇଛି। ଦେଶରେ ଯୁବକଙ୍କ ମଧ୍ୟରେ ଏଚ୍‌ଆଇଭି/ଏଡ୍‌ସର ମାତ୍ରା ୦.୨୨ ରହିଥିବା ବେଳେ ଓଡ଼ିଶାରେ ଏହା ହେଉଛି ୦.୧୩। ଏଥିରେ ୧୫ବର୍ଷରୁ ୪୯ବୟସ୍କ ବ୍ୟକ୍ତିଙ୍କୁ ହିସାବକୁ ନିଆଯାଇଥାଏ। ୧୯୯୦ ମସିହାରୁ ୨୦୧୭ ମସିହା ମଧ୍ୟରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ସେହିପରି ୧ହଜାର ଜନସଂଖ୍ୟାରେ ଦେଶରେ ୦.୦୭ ଏଚ୍‌ଆଇଭି ଘଟଣା ନଜରକୁ ଆସୁଥିବା ବେଳେ ଓଡ଼ିଶାରେ ଏହା ହେଉଛି ୦.୦୬। ଯାହାକି ବିଶେଷ ଉତ୍ସାହଜନକ ନୁହେଁ। ମିଜୋରାମ, ନାଗାଲାଣ୍ଡ, ତେଲେଙ୍ଗାନା, ଚଣ୍ଡୀଗଡ଼, ଦିଲ୍ଲୀ, ଆଣ୍ଡାମାନ ଓ ନିକୋବାର, ଆନ୍ଧ୍ର ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏ କ୍ଷେତ୍ରରେ ଓଡ଼ିଶାଠାରୁ ଯଥେଷ୍ଟ ଆଗରେ ରହିଛନ୍ତି।

ଅପରପକ୍ଷରେ ୨୦୧୦ ମସିହାରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟରେ ନୂଆ ଏଚ୍‌ଆଇଭି ଆକ୍ରାନ୍ତଙ୍କ କ୍ଷେତ୍ରରେ ୩୦ପ୍ରତିଶତ ଏଚ୍‌ଆଇଭି ଘଟଣା ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାସତ୍ତ୍ୱେ ୪ରୁ ଅଧିକ ରାଜ୍ୟରେ ଓଡ଼ିଶାଠାରୁ ଆଗରେ ରହିଛନ୍ତି। ହିମାଚଳ ପ୍ରଦେଶରେ ସର୍ବାଧିକ ୬୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ମଧ୍ୟପ୍ରଦେଶରେ ୪୨ ପ୍ରତିଶତ, ପଞ୍ଜାବରେ ୩୫ ଓ ଉତ୍ତର ପ୍ରଦେଶରେ ୩୪ ପ୍ରତିଶତ ହ୍ରାସ ଘଟିଛି। କେବଳ ଉତ୍ତରାଖଣ୍ଡରେ ୪ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଗତବର୍ଷ ରାଜ୍ୟରେ ୧୩୮୯ଜଣ ଲୋକଙ୍କରଏଚ୍‌ଆଇଭି/ଏଡ୍‌ସରେ ମୃତ୍ୟୁ ହୋଇଛି। ତେବେ ଗତ ୭ବର୍ଷରେ ଏଥିରେ ୨୨ପ୍ରତିଶତ ହ୍ରାସ ଘଟିଛି। ଯେତିକି ସଂଖ୍ୟକ ଆକ୍ରାନ୍ତ ଗତବର୍ଷ ଏଚ୍‌ଆଇଭି/ଏଡ୍‌ସରେ ପ୍ରାଣ ହରାଇଛନ୍ତି ତହିଁରେ ୪୦ପ୍ରତିଶତ ହେଉଛନ୍ତି କେବଳ ମହିଳା। ରାଜ୍ୟରେ ୧ହଜାର ଜନସଂଖ୍ୟାରେ ୧.୩୯ ପ୍ରତିଶତ ଏଥିରେ ପ୍ରାଣ ହରାଉଛନ୍ତି। ତେବେ ମା’ଠାରୁ ଆକ୍ରାନ୍ତ ଶିଶୁ ବା ପିଏମ୍‌ଟିସିଟିରେ ରାଜ୍ୟର ସ୍ଥିତ ଉଦବେଗଜନକ ରହିଛି। ଗତବର୍ଷ ଦେଶରେ ୨୨ହଜାର ୬୭୭ ମା’ଠାରୁ ଶିଶୁ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛି। ଓଡ଼ିଶାରେ ୬୦୩ ଶିଶୁ ଏହାର ଶିକାର ହୋଇଛନ୍ତି। ୨୭୬ଜଣଙ୍କୁ ସୁବିଧା ଉପଲବ୍ଧ ହୋଇପାରିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗନା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ରାଜ୍ୟ ଓଡ଼ିଶା ଉପରେ ରହିଥିବା ଏହି ରିପୋର୍ଟରେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର