ଚାଉଳ ପାଇଁ ନଗଡ଼ା ଛାତ୍ରଛାତ୍ରୀ ୨୦ କିଲୋମିଟର ଚାଲିବା ଘଟଣା: ରିପୋର୍ଟ ତଲବ କଲେ ସ୍କୁଲ ଓ ଗଣଶିକ୍ଷା ନିର୍ଦ୍ଦେଶକ

କାଳିଆପାଣି : ‘ଚାଉଳ ପାଇଁ ୨୦ କିଲୋମିଟର ଚାଲିଲେ ନଗଡ଼ା ଛାତ୍ରଛାତ୍ରୀ’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶନ ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। ଏଭଳି ସମ୍ବେଦନଶୀଳ ଘଟଣା ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏ ନେଇ ରାଜ୍ୟ ସ୍କୁଲ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ଗଙ୍ଗାଧର ସାହୁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସଚିବ ଶ୍ରୀ ସାହୁ ତାଗିଦ୍ କରିଥିବା ଜଣାପଡ଼ିଛି।

ଏହି ଖବରକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆଜି ତନାଘନା ହୋଇଥିଲା। ଏହି ଆଧାରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଆଜି ସୁକିନ୍ଦା ବିଡିଓ ଡ. ମଣି ପ୍ରସାଦ ମିଶ୍ରଙ୍କୁ କୈଫିୟତ ମାଗିଥିବାବେଳେ ଡିଇଓ ରଞ୍ଜନ କୁମାର ଗିରିଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ବଳରାମ ନାୟକ, ମଧ୍ୟାହ୍ନ ଭୋଜନ ବିଭାଗର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଗୟାଧର ପରିଡ଼ା ଓ ଦେଓଗାଁ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ଗିରିଧାରୀ ଦେହୁରୀଙ୍କୁ କୈଫିୟତ ମଗାଯାଇଥିଲା। ତେବେ ଦୂର ଦୂରାନ୍ତରେ ଥିବା ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଚାଉଳ ପରିବହନ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନଥିବା ନେଇ ବିଦ୍ୟାଳୟ ପକ୍ଷରୁ ଦର୍ଶାଯାଇଛି। ଏଥିସହିତ ଏବିଇଓ ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି, ନଗଡ଼ା ଭଳି ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯୋଗାଣ ବିଭାଗର ସହାୟତା ଓ ସମନ୍ବୟରେ ଏଣିକି ନଗଡ଼ା ଓ ଗୁହିଆଶାଳ ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ଗାଁର ପ୍ରାଥମିକ ସ୍କୁଲରେ ଏବଂ ତୁମୁଣି ଗାଁର ପିଲାମାନଙ୍କ ପାଇଁ ସେହି ଗ‌ାଁରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟାଯିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନଗଡ଼ାର ଛାତ୍ରଛାତ୍ରୀମାନେ ବୁଧବାର ଦିନ ୧୦ କିଲୋମିଟର ଦୂର ସାତକୁଲିଆ ପାହାଡ଼ ତଳେ ଥିବା ଦେଓଗାଁ ପ୍ରାଥମିକ ସ୍କୁଲକୁ ଆସି ଚାଉଳ ମୁଣ୍ଡାଇ ପୁଣି ସମାନ ୧୦ କିଲୋମିଟର ଦୂରରେ ଥିବା ଗାଁକୁ ଫେରୁଥିବାର ଦୃଶ୍ୟ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର