କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ରାଉରକେଲାରେ ପୁଲିସକୁ ପଥରମାଡ କଲେ ଲୋକ

ରାଉରକେଲା: କଣ୍ଟେନମେଣ୍ଟ ଜୋନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ନାଲାରୋଡ଼ ମହତାବ ରୋଡ କଣ୍ଟେନମେଣ୍ଟ ଅଂଚଳର ଲୋକ। ଉତ୍ୟକ୍ତ ଲୋକ ପୁଲିସକୁ ପଥରମାଡ଼ କରିଥିବାର ଖବର ସାମ୍ନାକୁ ଆସିଛି | ଏହି ଅଂଚଳରୁ ଆଜି ପୁଣି ଏକ ପଜିଟିଭ ବାହାରିଥିବାବେଳେ କରୋନା ପଜିଟିଭଙ୍କ ସଂଖ୍ୟା ୬ ରେ ପହଂଚିଛି | ମିଳିଥିବା ସୂଚନା ମୁତାବକ ରାଉରକେଲାର ନାଲାରୋଡ଼ରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ବ୍ୟାରିକେଡ଼ କରାଯାଇଥିଲା | ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଇଥିବାବେଳେ ଘରୁ ନ ବାହାରିବାକୁ କୁହାଯାଇଥିଲା |

ପ୍ରଶାସନର ଏଭଳି କଟକଣାକୁ ନେଇ ସ୍ଥାନୀୟ ଲୋକ ଆଜି ପୁଲିସ ଉପରକୁ ପଥରମାଡ କରିବା ସହ ବ୍ୟାରିକେଡ଼କୁ ଭାଙ୍ଗିଦେଇଛନ୍ତି | ଏବେ ବି ଉତ୍ତେଜନା ଲାଗିରହିଥିବାରୁ ଅଧିକ ସଂଖ୍ୟକ ପୁଲିସ ଫୋର୍ସକୁ ସେଠାକୁ ପଠାଯାଇଛି | ଘଟଣାସ୍ଥଳରେ ପୁଲିସ ଡ଼ିଆଇଜି କବିତା ଜଲନ ,ଏସପି କେ ଶିବା ସୁବ୍ରମଣି ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି |

ସମଗ୍ର ଦେଶରେ କରୋନା ସହିତ ଲଢ଼ିବା ପାଇଁ କରୋନା ଯୋଦ୍ଧାମାନେ ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇ ବି କାମରେ ଲାଗିଥିବାବେଳେ ବିଶୃଙ୍ଖଳିତ ଲୋକମାନେ କିନ୍ତୁ ଏହାକୁ ନ ବୁଝି ପୁଲିସ ଉପରେ ଆକ୍ରମଣ କରିଛନ୍ତି | ଏଠାରେ ସୂଚନା ଥାଉ କି ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ନାଲାରୋଡ଼ ଅଞ୍ଚଳରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର