ରାଗିଲେ ନରସିଂହ, କଂଗ୍ରେସର କକ୍ଷତ୍ୟାଗ

ଭୁବନେଶ୍ବର : ବିଧାନସଭାରେ ପୁଣିଥରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି କଥା କଟାକଟି ହୋଇଛନ୍ତି।

ଶୁକ୍ରବାର ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଜ୍ୟରେ କମ୍‌ ବୃଷ୍ଟିପାତ ନେଇ ଗୃହରେ ବିବୃତି ରଖିଥିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। କିନ୍ତୁ ମନ୍ତ୍ରୀଙ୍କ ବିବୃତିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ନେଇ କିଛି ବି ସ୍ଥାନ ପାଇନଥିଲା। କଂଗ୍ରେସ ନେତା ଶ୍ରୀ ମିଶ୍ର ଗୃହରେ ଏ ନେଇ ସ୍ପଷ୍ଟ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। କିନ୍ତୁ ବାଚସ୍ପତି ଶ୍ରୀ ପାତ୍ର ଏହାକୁ ଅନୁଧ୍ୟାନ କରିବେ ବୋଲି କହିବାରୁ ଶ୍ରୀ ମିଶ୍ର ସେଥିରେ ସହମତ ହୋଇନଥିଲେ।

ଶ୍ରୀ ମିଶ୍ର କହିଥିଲେ, ୪ ଦିନ ତଳେ ରାଜ୍ୟରେ ସ୍ବଳ୍ପ ବୃଷ୍ଟିପାତ ନେଇ ଗୃହରେ ମନ୍ତ୍ରୀଙ୍କ ବିବୃତି ଦାବି କରିବାବେଳେ ସେ ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା କଥା ଉଠାଇଥିଲେ। ଏବେ ଯେତେବେଳେ ମନ୍ତ୍ରୀ ବିବୃତି ରଖିଛନ୍ତି ଚାଷୀ ଆତ୍ମହତ୍ୟା ନେଇ ସ୍ପଷ୍ଟ କରିବା ଆବଶ୍ୟକ।

ଏହି ସମୟରେ ଗୃହରେ ରାଜସ୍ବମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବାଚସ୍ପତିଙ୍କ ରୁଲିଂ ପାଠ କରି କହିଥିଲେ, ବାଚସ୍ପତି ଯାହା ନିର୍ଦ୍ଦେଶ ଦେଇଥିଲେ ସେହି ଅନୁଯାୟୀ ବିବୃତି ରଖାଯାଇଛି। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରୁଲିଂ ଦିଆଯାଇନଥିଲା। ପରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ବାଚସ୍ପତିଙ୍କ ରୁଲିଂ ଦାବି କରିବାରୁ ବାଚସ୍ପତି ଏ ବିଷୟରେ ଅନୁଧ୍ୟାନ କରିବେ ବୋଲି କହିଥିଲେ। ବାଚସ୍ପତି ନ ଶୁଣିବାରୁ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ। ଏହି ସମୟରେ ଶ୍ରୀ ମିଶ୍ର ନିଜ ଆସନରେ ଠିଆ ହୋଇ କହିଥିଲେ, ଆପଣ ଯେପରି ବିରୋଧୀଙ୍କ ସ୍ବରକୁ ବୁଲ୍‌ଡୋଜିଂ କରୁଛନ୍ତି ସେଥିରେ ଗୃହ କାର୍ଯ୍ୟରେ ସହଯୋଗ କରିହେବନି। ବାଚସ୍ପତି ଶ୍ରୀ ପାତ୍ର କଂଗ୍ରେସ ସଦସ୍ୟ ଓ ବିଧାୟକ ଦଳ ନେତାଙ୍କୁ ବାରମ୍ବାର ବୁଝାଇବାକୁ ଉଦ୍ୟମ କରିଥିଲେ ବି କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର